ଶିଳାନ୍ୟାସରେ ଅଟକିଲା ଟୁକୁଣା- ଆମ୍ବୋ ରାସ୍ତା ନିର୍ମାଣ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ହାଟଡିହି ବ୍ଲକ ଟୁକୁଣା -ଆମ୍ବୋ ରାସ୍ତା ନିର୍ମାଣ ହେଉନଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ କୋଟିଏରୁ ଉର୍ଦ୍ଧ ଟଙ୍କାର ଏଷ୍ଟିମେଟ ପରେ ଗତ ଫେବୃୟାରୀ ମାସରେ ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ, ବିଧାୟକଙ୍କ ଦ୍ୱାରା ଶିଳାନ୍ୟାଶ କରାଯାଇଥିଲା । ୧୦ମାସ ପରେ ମଧ୍ୟ ଆଜି ପର୍ୟ୍ୟନ୍ତ ରାସ୍ତା ନିର୍ମାଣର ନାଁ ଗନ୍ଧ ଧରୁନି ଠିକାଦାର । ଫଳରେ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଛି । ଶତଳାନ୍ୟାଶ କାମ ସାରିଦେଇ ବିଭାଗୀୟ ଅଧିକାରୀ ମାନେ ଚୁପ ହୋଇଯାଇଛନ୍ତି । ଏହି ରାସ୍ତା ଉପରେ ଆମ୍ବୋ, ସରଳ, କୋଳିପଦି, ବେଗୁନିଆପଦି, ଅଣତିରା, କରଗୋଳା ପ୍ରଭୃତି ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଦୀର୍ଘବର୍ଷ ଧରି ରାସ୍ତାଟି ଅବହେଳିତ ହୋଇ ପଡିଥିବାବେଳେ ଅନେକଥର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଜିଲ୍ଲା ପ୍ରଶାସନ ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରୁ କୋଟିଏରୁ ଉର୍ଦ୍ଧ ଟଙ୍କା ଯୋଗାଇ ଦେଇଥିଲା । ଆର.ଡି ବିଭାଗ ପକ୍ଷରୁ ଏହାର ଟେଣ୍ଡର ମଧ୍ୟ କରାଯାଇଥିଲା । ଯେଉଁ ଠିକାଦାର ଟେଣ୍ଡର ପାଇଥିଲେ ସେ ଇତିମଧ୍ୟରେ ଏଗ୍ରିମେଣ୍ଟ ମଧ୍ୟ ସାରିଛନ୍ତି । କିନ୍ତୁ ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ କରୁନଥିବାରୁ ଏବେ ବିରାଟ ବିରାଟ ଖାଲଖମା ସୃଷ୍ଟି ହୋଇ ରାସ୍ତାଟି ଯାତାୟତ ଅନୁପଯୋଗୀ ହୋଇପଡିଛି । ଏପରିକି ବିପଦ ଆପଦ ସମୟରେ ଆମ୍ବୁଲାନସ କି ଦମକଳଟିଏ ମଧ୍ୟ ଯାଇପାରୁନି । ଶହଶହ ଭାରିଯାନ ଚଳାଚଳ କରିବାଦ୍ୱାରା ରାସ୍ତାରେ ଦୁଇନତିନି ଫୁଟ ଗଭୀରର ଖାଲ ସୃଷ୍ଟି ହୋଇ ପାଣି ରହିବାଦ୍ୱାରା ଯାତାୟତରେ ଲୋକମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତିହେଉଛନ୍ତି ବୋଲି ସମାଜସେବୀ ରଶ୍ମୀରଞ୍ଜନ ରାଉତ, ରାଜେନ୍ଦ୍ର ମହାପାତ୍ର, ଜ୍ଞାନେନ୍ଦ୍ର ମହାପାତ୍ର, ହେମନ୍ତ ଦାସ, ଅମରେନ୍ଦ୍ର ମହାପାତ୍ର, ରାଜେଶ ମହାପାତ୍ର, ରୁଦ୍ର ନାରାୟଣ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀଯନ୍ତ୍ରୀ ସୁବଳ କୁମାର ପଣ୍ଡାଙ୍କୁ ପଚାରିବାରେ ସେ ଉକ୍ତ ତିନି କିଲୋମିଟର ରାସ୍ତା ପାଇଁ ଯେଉଁ ଏଷ୍ଟିମେଟ ହୋଇଥିଲା ତାହା ଠିକ ଭାବେ ହୋଇ ନାହିଁ । ଏହି ରାସ୍ତା ଉପରଦେଇ ଶହଶହ ଭାରିଯାନ ଚଳାଚଳ କରୁଥିବାରୁ ଯେଉଁ ଏଷ୍ଟିମେଟ ଅନୁଯାଇ ଟେଣ୍ଡର ହୋଇଛି ସେହି ଅନୁସାରେ ରାସ୍ତା ନିର୍ମାଣ କଲେ ରାସ୍ତାଟି ରହିବ ନାହିଁ । ତେଣୁ ମାର୍ଚ୍ଚ ମାସ ପୁର୍ବରୁ ନୁଆ ଏଷ୍ଟିମେଟ ଅନୁଯାଇ କାମ ସାରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ।


