ଶିଳ୍ପାନୁଷ୍ଠାନ ବିରୋଧୀ ଆନ୍ଦୋଳନକୁ ଶାସକ ଦଳର ସମର୍ଥନ ନିର୍ବାଚନୀ ଚାଲ :କଂଗ୍ରେସ
ବାଲେଶ୍ୱର, (ସରୋଜ ପଣ୍ଡା) :ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ଓ ପେଟ୍ରୋକେମିକାଲ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ଗୁରୁତ୍ୱ ଦେଉଥିବା ରାଜ୍ୟ ଶାସକ ଦଳର ହଠାତ ଆଭିମୁଖ୍ୟ ପରିବର୍ତ୍ତନ ଓ ବାଲିଆପାଳବାସୀଙ୍କ ଆନ୍ଦୋଳନକୁ ସମର୍ଥ ଦେବାକୁ ନେଇ ସନ୍ଦେହ ପ୍ରକଟ କରିଛି ବାଲେଶ୍ୱର ଜିଲା କଂଗ୍ରେସ କମିଟି । ଶସ୍ୟ ଶ୍ୟାମଳା ଘେରା ଉର୍ବର ଚାଷଜମିରେ ପେଟ୍ରୋକେମିକାଲ ଶିଳ୍ପକୁ ବାଲିଆପାଳବାସୀ ପ୍ରଥମରୁ ବିରୋଧ କରିଆସୁଥିବା ବେଳେ ରାଜ୍ୟ ସରକାର ଶିଳ୍ପାନୁଷ୍ଠା ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଥିଲେ । ମାତ୍ର ଗତକାଲି ହାଠାତ ବିଜେଡି ଜିଲା ସଭାପତିଙ୍କ ସମେତ ରାଜ୍ୟ ଶାସକ ଦଳର ମନ୍ତ୍ରୀ-ବିଧାୟକ ଓ ଦଳୀୟ ବରିଷ୍ଠ ନେତାମାନେ ସେଠାରେ ସଭା କରି ସ୍ଥାନୀୟ ବାସିନ୍ଦାଙ୍କ ସହ ସ୍ୱର ମିଳାଇବାର ଅର୍ଥ କେବଳ ଛଳନା ବୋଲି ଜିଲା କଂଗ୍ରେସ ସଭାପତି ସଂଜୀବ ଗିରି ଆରୋପ ଉଠାଇଛନ୍ତି । ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗିରିଙ୍କ ସମେତ ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ, କଂଗ୍ରେସ ଜିଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା ପ୍ରମୁଖ ଯୋଗଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନ ପାରି ହେବାକୁ ବିଜେଡି ପକ୍ଷରୁ ବାଲିଆପାଳରେ ନୂଆ ଚାଲ ଚଳାଇଛି ବୋଲି କହିଥିଲେ । ଗତକାଲି ସଭାରେ ବାଲିଆପାଳରେ ପେଟ୍ରୋ କେମିକାଲ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବନାହିଁ ଓ ବନ୍ଦର ପାଇଁ ମଧ୍ୟ ଡିସିମିଲିଏ ବି ଜମି ଅଧିଗ୍ରହଣ ହେବନାହିଁ ବୋଲି ବିଜେଡି ନେତା ଓ ମନ୍ତ୍ରୀ କହିଥିଲେ । ଏମିତିକି ବନ୍ଦର ସମୁଦ୍ର ଭିତରେ ହେବ ବୋଲି ସରକାରୀ ଦଳର ପ୍ରତିନିଧିମାନେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେବଳ ଧୂଆଁବାଣ ବୋଲି କଂଗ୍ରେସ ନେତା ଆରୋପ କରିଛନ୍ତି । ପେଟ୍ରୋ କେମିକାଲ ଶିଳ୍ପ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା ହେଉଥିବା ବେଳେ ରାଜ୍ୟ ସରକାର ଯଦି ଏହାକୁ ବିରୋଧ କରୁଛନ୍ତି ତାହାଲେ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରନ୍ତୁ ବୋଲି କଂଗ୍ରେସର ଜିଲା ସଭାପତି ଶ୍ରୀ ଗିରି ଦାବି କରିଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ସରକାରୀ ଦଳ ବାଲିଆପାଳ ବ୍ଲକରେ ଶତପ୍ରତିଶତ ବିଫଳତା ସମ୍ନା କରିବାକୁ ଯାଉଥିବା ନେଇ ନିଶ୍ଚିତ ହେବା ପରେ ଭୋଟରଙ୍କ ସମର୍ଥନ ପାଇଁ ଦଳୀୟ ନେତା ଓ ମନ୍ତ୍ରୀମାନେ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି । ସରକାରୀ ଦଳର ଏଭଳି ମିଥ୍ୟା ପ୍ରତିଶ୍ରୁତି ବାଲିଆପାଳବାସୀଙ୍କୁ କେବେ ପ୍ରଭାବିତ କରିପାରିବ ନାହିଁ । ସମୟ ଆସିଲେ ଲୋକେ ଉଚିତ ଜବାବ ଦେବେ ବୋଲି ଜିଲା କଂଗ୍ରେସ କମିଟି ସଭାପତି ଶ୍ରୀ ଗିରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ବାଲିଆପାଳବାସୀଙ୍କ ସୁଖଦୁଃଖରେ ସର୍ବଦା ରହିଆସିଛି ଓ ଆଗାମୀ ଦିନରେ ମଧ୍ୟ ରହିବ । ତେବେ ବିକାଶ ସାଙ୍ଗକୁ ଲୋକଙ୍କ ଜୀବନ ଜୀବିକା ସୁରକ୍ଷାକୁ ଦଳ ସବୁବେଳେ ଗୁରୁତ୍ୱ ଦେଉଛି ବୋଲି କଂଗ୍ରେସ କର୍ମକର୍ତ୍ତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।


