ଶିଶୁଙ୍କୁ ସୁରକ୍ଷା ଦେବା ଉପରେ ଗୁରୁତ୍ବାରୋପ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ବୈଠକ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା କମିଟିର ବାହ୍ୟକର୍ମୀ ମହେଶ ଚନ୍ଦ୍ର ଦାଶ ମଞ୍ଚ ଆହ୍ବାନ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସୁତାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ବ୍ଲକ ଶିଶୁ ବିକାଶ ଅଧିକାରିଣୀ ସବିତା ସେଠୀ ଙ୍କ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ଅତିରିକ୍ତ ଶିକ୍ଷାଧିକାରିଣୀ ଯୋଗଦେଇ ଶିଶୁ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ । ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଯୌନ ନିର୍ଯ୍ୟାତନା ସମ୍ବନ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ଆଲୋଚନା ହୋଇଥିଲା । ଶିଶୁ ସୁରକ୍ଷାକୁ ମଜଭୁତ କରିବା ନିମନ୍ତେ ପଞ୍ଚାୟତ ସ୍ତରୀୟ କମିଟିକୁ ଦୃଢ କରିବାକୁ ସହମତି ପ୍ରକାଶ ପାଇଥିଲା । ଚାଇଲ୍ଡ ଲାଇନ କୋଅର୍ଡିନେଟର ଶୁଭଶ୍ରୀ ପଡିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।