ଶିଶୁ ଅଧିକାର ଆଇନରେ ଖବରଦାତାଙ୍କ ଭୂମିକାକୁ ନେଇ କର୍ମଶାଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ସମ୍ମିଳନୀ ଗୃହ ଠାରେ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଶିଶୁ ଅଧିକାର ଆଇନ ଉପରେ ଖବରଦାତାଙ୍କ ଭୂମିକାକୁନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲାପାଳ ଅନୁପମ ସାହା ଯୋଗଦେଇ ଶିଶୁ ଅଧିକାର ଆଇନ ଉପରେ ଖବରଦାତାମାନଙ୍କର କିପରି ଭୂମିକା ରହିବା ଆବଶ୍ୟକ ଏବଂ ଶିଶୁ ସୁରକ୍ଷାକୁ ନେଇ ଖବରଦାତାମାନେ କିପରି ଖବର ପରିବେଶଣ କରିବା ଆବଶ୍ୟକ ସେ ବିଷୟରେ କହିଥିଲେ । ସେହିପରି ଜିଲାପାଳ ବିଭିନ୍ନ ସମୟରେ ଏବଂ ବିଭିନ୍ନ ପରିସ୍ଥିତିରେ ଉଦ୍ଧାର ହୋଇଥିବା ଶିଶୁ ମାନଙ୍କର ଫୋଟ, ପରିଚୟପତ୍ର ଇତ୍ୟାଦି ଖବରଦାତାମାନେ କିପରି ପ୍ରକାଶନ କରିବା ଦରକାର ସେ ବିଷୟରେ ମଧ୍ୟ ବୁଝାଇଥିଲେ । ରାଜ୍ୟରୁ ଆସିଥିବା ଟ୍ରେନର ମନୋଜ କୁମାର ତ୍ରିପାଠୀ ବିଭିନ୍ନ ସମୟରେ ନିର୍ଯ୍ୟାତିତ ବା ଶୋଷିତ ହେଉଥିବା ଶିଶୁମାନଙ୍କ ସମ୍ପର୍କରେ ସମ୍ବାଦପତ୍ର ଗୁଡିକ କିପରି ପରିବେଶଣ କରିବା ଆବଶ୍ୟକ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ସେହିପରି ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ବିଭିନ୍ନ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଓ ଅଧିକାର ପାଇଁ କିପରି କାର୍ଯ୍ୟ କରାଯିବା ଆବଶ୍ୟକ ସେ ବିଷୟରେ ମଧ୍ୟ ସଚେତନ କରିଥିଲେ । ଏହି ଦିନିକିଆ କର୍ମଶାଳାରେ ଜିଲା ଓ ବ୍ଲକସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ସାମ୍ବାଦିକ ଉପସ୍ଥିତରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ସେହିପରି ଶିଶୁ ସୁରକ୍ଷାକୁ ନେଇ ଘଟୁଥିବା ବିଭିନ୍ନ ସମସ୍ୟା କିପରି ଲୋକଲୋଚନକୁ ଆସିବା ଆବଶ୍ୟକ ସେ ଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମଧ୍ୟ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ ରାଉଳଙ୍କ ସମେତ ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ଉପସ୍ଥିତଥିଲେ ।