ଶିଶୁ ମଙ୍ଗଳ କମିଟି ଦ୍ୱାରା ୭୩ତମ ସ୍ୱାଧୀନତା ଦିବସ ପାଳନ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ୭୩ତମ ସ୍ୱାଧୀନତା ଦିବସ ସ୍ଥାନୀୟ ଉକ୍ରଳ ବାଳାଶ୍ରମ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଭାଗିରଥି ବାରିକ ପତାକା ଉତ୍ତୋଳନ କରିଥିଲେ ଏବଂ ଜାତୀୟ ସଂଗୀତ ବୋଲାଯାଇ ମହାନ୍ ଆତ୍ମା ମହାତ୍ମାଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ତଥା ଲାଲ ବାହାଦୂର ଶାସ୍ତ୍ରୀ ଇତ୍ୟାଦିଙ୍କ ନାମରେ ଜୟଧ୍ୱନୀ କରାଯାଇଥିଲା । ଆଜି ଦିବସର ତାତ୍ପର୍ଯ୍ୟ ବିଷୟରେ ଅଧ୍ୟକ୍ଷ କହିଲେ ଯେ ଆଜି ଦିବସ ଭାରତବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିବସ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖଠାରୁ ଭାରତ ସ୍ୱାଧୀନ ହୋଇଛି । ଆତଙ୍କବାଦୀମାନେ ଭାରତବର୍ଷକୁ ଖଣ୍ଡବିଖଣ୍ଡ କରିବାକୁ ଉଦ୍ୟମ କରୁଥିବାବେଳେ ଆମେ ସମସ୍ତେ ଏକ ହୋଇ ଭାରତବର୍ଷକୁ ପୃଥିବୀର ଏକ ଅଗ୍ରଣୀ ରାଷ୍ଟ୍ରରୂପେ ପରିଣତ କରିବାକୁ ଆହ୍ୱାନ ଦେବା ସଙ୍ଗେସଙ୍ଗେ ଆଶ୍ରମର ଛାତ୍ରମାନଙ୍କୁ ଉତ୍ତମ ଶିକ୍ଷା ତଥା ଉତ୍ତମ ଚରିତ୍ର ଗଠନ କରି ଦେଶର ଜଣେ ଉତ୍ତମ ନାଗରିକ ହେବାପାଇଁ ଉପଦେଶ ଦେଇଥିଲେ । ଶିଶୁ ମଙ୍ଗଳ କମିଟିର ସଦସ୍ୟ ପଦ୍ମଲୋଚନ ଦତ୍ତ, ସଦସ୍ୟା ଗୌରୀରାଣୀ ଉପାଧ୍ୟାୟ, ଅଫିସ ସହାୟକ ଦେବାଶୀଷ ବେହେରା ଉପସ୍ଥିତ ଥିବା ସଙ୍ଗେସଙ୍ଗେ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ମୁକ୍ତିକାନ୍ତ ପଣ୍ଡା, ସତ୍ୟରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ତଥା ଫକୀର, ଟୁଟୁ ଓ ଦୀପକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।