ଶିଶୁ ଶ୍ରମ ନିରାକରଣ ପାଇଁ ସଚେତନତା ରାଲି
ବାଲେଶ୍ୱର, (ସରୋଜ ପଣ୍ଡା) :-ଶିଶୁ ଶ୍ରମ ନିରାକରଣ ପାଇଁ ଆଜି ବାଲେଶ୍ୱର ସହରରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ସକାଳ ପ୍ରାୟ ୮ଘଟିକା ସମୟରେ ସ୍ଥାନୀୟ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ଏହି ରାଲି ବାହାରି ସହର ପରିକ୍ରମା କରିଥିଲା । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଉପସ୍ଥିତିରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟ କ୍ଷେତ୍ରରେ ଶିଶୁ ଶ୍ରମିକ ନିୟୋଜନ ଏକ ଧର୍ତବ୍ୟ ଅପରାଧ ହୋଇଥିବା ବେଳେ ଏଥି ପାଇଁ ଆଇନରେ ରହିଥିବା ଦଣ୍ଡ ବ୍ୟବସ୍ଥା ଏବଂ ଶିଶୁମାନଙ୍କ ଶିକ୍ଷା ଓ ଅନ୍ୟ ଅଧିକାର ସମ୍ପର୍କରେ ସହରବାସୀଙ୍କୁ ଏହି ରାଲି ମାଧ୍ୟମରେ ସଚେତନ କରାଯାଇଥିଲା । ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ, ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରାଲିରେ ନେହେରୁ ଯୁବ କେନ୍ଦ୍ର, ସ୍ୱେଚ୍ଛାସେବୀ ଅନୁଷ୍ଠାନ “ମୁଁ ତୁମର ସାଥୀ”ର ସଦସ୍ୟ-ସଦସ୍ୟାଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ, ଶ୍ରମିକ ସଙ୍ଗଠନ ଓ ସରକାରୀ କାର୍ଯ୍ୟାଳୟର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ସହର ପରିକ୍ରମା ସମୟରେ ସେମାନେ ବିଭିନ୍ନ ସ୍ଲୋଗାନ ଓ ପ୍ଲାକାର୍ଡ ମାଧ୍ୟମରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସଚେତନତା ବାର୍ତା ପ୍ରଚାର କରିଥିଲେ । ଏହି ଅବସରରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ଅଜୟ କୁମାର ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବୃନ୍ଦାବନ ସେଠୀ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ପ୍ରଧାନ, ବିଏଡିସି ରାଜ୍ୟ ଆବାହକ ଶ୍ରୀ ଗୋପାଳ କୃଷ୍ଣ କର, ଏଆଇଟିୟୁସି ରାଜ୍ୟ ଉପସଭାପତି ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟମାନଙ୍କ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


