ଶିଶୁ ସୁରକ୍ଷା କର୍ମଚାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଦୀର୍ଘ ୯ ଘଣ୍ଟା ଧରି ଘେରାଉ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଗତ କିଛି ମାସ ପୂର୍ବରୁ ସମଗ୍ର ଗଞ୍ଜାମ ଜିଲ୍ଲାକୁ  ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଏବଂ ହିଞ୍ଜିଳିକାଟୁ ବ୍ଳକକୁ ବାଲ୍ୟ ବିବାହ ମୁକ୍ତ ବ୍ଳକ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଶାସନିକ ସ୍ତରରେ ବ୍ୟାପକ ସଚେତନତା ବିଭିନ୍ନ କୂଳ ଓ ସଂମ୍ପ୍ରଦାୟର ମୁଖିଆଙ୍କୁ ନେଇ ବୈଠକ ଆୟୋଜନ କରି ଏଥି ପ୍ରତି ଦୃଷ୍ଟି ପ୍ରଦାନ ସକାଶେ ପ୍ରୟାସ ଜାରି ରହିଥିଲେ ସୁଦ୍ଧା ବାଲ୍ୟ ବିବାହ ରୋକିବାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆର୍ଥୀକ ଅଭାବ ଅନଟନର ଚାପ ହେଉ କିମ୍ବା କିଛି ସ୍ୱାର୍ଥନେଷୀ ବ୍ୟକ୍ତିଙ୍କ ପ୍ରରୋଚନାରେ ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ବାସ୍ତବ ରୂପାୟନରେ ଅନ୍ତରାୟ ସୃଷ୍ଟି ହେଉଛି । ସରକାରଙ୍କ ନୀତି ନିର୍ଦ୍ଦେଶକୁ ଉଲଘଂନ କରି ଦଳିତ ସଂମ୍ପ୍ରଦାୟ ଦ୍ୱାରା ଆୟୋଜିତ ବାଲ୍ୟ ବିବାହ ଉତ୍ସବକୁ ସ୍ଥାନୀୟ ପ୍ରଶାସନ ତରଫରୁ ବନ୍ଦ କରିବା ପାଇଁ ଉଦ୍ୟମ ବେଳେ ପ୍ରଶାସନ ଓ ସଂପୃକ୍ତ ଗ୍ରାମର ସାହି ବାସିନ୍ଦା ମୁହାଁ ମୁହିଁ ହେବା ଘଟଣା ଜଣାପଡିଛି । ଉକ୍ତ ସମ୍ବେଦନଶୀଳ ଘଟଣାରେ ଉତ୍ୟକ୍ତ ସାହି ବାସିନ୍ଦା ଯୁକ୍ତି ତର୍କ, ବିବାହ ସପକ୍ଷରେ ଅଡି ବସିବା ଓ ଶେଷରେ ଅସଫଳ ହୋବାରୁ ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀ ଓ  ପ୍ରଶାସନିକ ଅଧିକାରୀଙ୍କୁ ଦୀର୍ଘ ୯ ଘଣ୍ଟା ଧରି ଅଟକ ରଖିବା ଘଟଣା ଏକ ଉତ୍ତେଜନାପୁର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି । ଏଭଳି ଏକ ଅପ୍ରିତିକର ଘଟଣା ମଙ୍ଗଳବାର ହିଞ୍ଜିଳି ଥାନା ବଳରାମପୁର ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ପ୍ରକାରେ, ବଳରାମପୁର ଗ୍ରାମ ଦଳିତ ସାହିର ଜୈନିକା ଯୁବତୀଙ୍କ ସହିତ ଶେରଗଡ଼ ଥାନା ଧନନ୍ତର ଗ୍ରାମର ଜୈନିକ ଯୁବକଙ୍କ ସହ ମଙ୍ଗଳବାର ବିବାହ କାର୍ଯ୍ୟକ୍ରମ ଉଭୟ ପରିବାର ପକ୍ଷରୁ ସ୍ଥିର କରାଯାଇଥିଲା । କିନ୍ତୁ ଯୁବତୀ ଜଣକ ନାବାଳିକା ହୋଇଥିବା ସତ୍ତ୍ୱେ ତାଙ୍କର ବିବାହ ହେଉଥିବା ସର୍ମ୍ପକରେ କିଛି ସୂଚନା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ହିଞ୍ଜିଳି ବିଡିଓ, ସିଡିପିଓ, ତହସିଲଦାର ଓ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ନିର୍ଦ୍ଧିଷ୍ଠ ସୂଚନା ପହଞ୍ଚିଥିଲା । ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ସଂଯୋଜକ ଉମେଶ ସାବତ, ଟିମ୍ ସଦସ୍ୟ  ବଳରାମ ମଲ୍ଲିକ , ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ସିଡିପିଓ ଅଂଶୁପା ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ପୁଲିସ ଟିମ୍ ସଂପୃକ୍ତ ଗ୍ରାମରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ । ଆବଶ୍ୟକୀୟ ତଥ୍ୟ ଓ ସୂଚନାକୁ ଅନୁଧ୍ୟାନ କରି ବିବାହ ବନ୍ଦ କରିବା ସକାଶେ ଝିଅ ପରିବାରଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଝିଅ ପରିବାର ଓ କିଛି ସର୍ମ୍ପକୀୟ ପ୍ରଶାସନର ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଯୁକ୍ତିତର୍କ ଓ ବିବାହ କାର୍ଯ୍ୟକ୍ରମକୁ ଆକଟ କରିବା ନେଇ ଉତ୍ୟକ୍ତ ହୋଇଥିଲେ ।  ସେମାନେ ବିବାହ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଦାବିରେ ଅଟଳ ରହିଥିଲେ । ପରେ ଝିଅ ପରିବାର ସହ ଉତ୍ୟକ୍ତ ସାହି ବାସିନ୍ଦା ଅପରାହ୍ନ ପ୍ରାୟ ୧ଟାରୁ ରାତି ପ୍ରାୟ  ସାଢେ ୧୦ ଟା ପର୍ଯ୍ୟନ୍ତ ଦୀର୍ଘ ସାଢେ ୯ଘଣ୍ଟା ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ଘେରାଉ କରିଥିଲେ । ଘଟଣାକୁ ନେଇ ଗ୍ରାମରେ ଚାପା ଅସନ୍ତୋଷ ଦେଖାଦେଇଛି । ଖବର ଲେଖା ହେବା ସୁଦ୍ଧା ଝିଅ ବିବାହ ସର୍ମ୍ପକରେ ପ୍ରଶାସିକ ଅଧିକାରୀଙ୍କ ଠାରୁ କୌଣସି ଠୋସ ସୂଚନା ମିଳିପାରିନାହିଁ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ