ଶିଶୁ ସୃଜନୀ କର୍ମଶାଳା ସହ ପ୍ରାଚୀର ପତ୍ରିକା ଶ୍ୱେତପଦ୍ମା ଉନ୍ମୋଚିତ

ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ): ଉଗ୍ରତାରା ଉଚ୍ଚ ବିଦ୍ୟାଳୟ, କୁମୁଟାଲପେଟା ରାୟଗଡ଼ା, ଓ ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ, ଭୁବନେଶ୍ୱର   ର ମିଳିତ ଆନୁକୁଲ୍ୟରେ  ବିଦ୍ୟାଳୟ ସ୍ତରରେ ଶିଶୁ ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ପାଇଁ ତଥା ସେମାନଙ୍କ ମନରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଅଧିକରୁ ଅଧିକ ଆଗ୍ରହ ଓ ଉତ୍କଣ୍ଠା ବୃଦ୍ଧି କରିବା ପାଇଁ ଜାନୁଆରୀ ୨୩ ତାରିଖ ଗୁରୁବାର ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଉଗ୍ରତାରା  ଉଚ୍ଚ ବିଦ୍ୟାଳୟ, ରାୟଗଡ଼ା ଠାରେ ଶିଶୁ ସୃଜନୀ କର୍ମଶାଳା ଉଦ୍ଘାଟିତ ତଥା ଶିଶୁ ପ୍ରାଚୀର ପତ୍ରିକା ଶ୍ୱେତପଦ୍ମା ଉନ୍ମୋଚିତହୋଇଥିଲା । ଏହି କର୍ମଶାଳା ତିନୋଟି ପର୍ଯ୍ୟାୟରେ ସମାପନ ହୋଇଥିଲା।
ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଦୁଇ ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଥିଲା ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍ ବାଲା ମୂରଲୀ କ୍ରିଷ୍ଣା ଅଧ୍ୟକ୍ଷତା କରି ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବହୁତ୍ ପ୍ରେରଣାଦାୟୀ ବାର୍ତ୍ତା ରଖିଥିଲେ। କୁନି କୁନି ପିଲାମାନେ ତାଙ୍କ ମନରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରି କିଛି କିଛି କଥା ବକ୍ତବ୍ୟରେ କହିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୃଜନବଳୟ ସୃଷ୍ଟି କରାଯାଇ ସେମାନଙ୍କ ଦ୍ଵାରା ଗଳ୍ପ, କବିତା, ପ୍ରବନ୍ଧ ଓ ସଂଳାପ ଆଦି ଲେଖା ଆହ୍ବାନ କରାଯାଇଥିଲା । ଏଥିରେ ପାଖାପାଖି ୫୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଶେଷ ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍ ବାଲା ମୂରଲୀ କ୍ରିଷ୍ଣାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସୁନାମଧନ୍ୟ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ଯୁଗଳ କିଶୋର ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ଭାବେ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଜେନା, ବନଫୁଲ ପ୍ରକାଶନି ପକ୍ଷରୁ ପ୍ରକାଶିତ ସାହିତ୍ୟ-ଫର୍ଦ୍ଦ ପତ୍ରିକାର ସମ୍ପାଦିକା  ପ୍ରାବନ୍ଧିକା ସୁଶ୍ରୀ କୃଷ୍ଣାଞ୍ଜଳି ଦାଶ, ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦକ ମନୋଜ କୁମାର ପଣ୍ଡା, ବିଶିଷ୍ଟ ଶିଶୁ ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡତୀଆ , ବିରଞ୍ଚି ନାରାୟଣ ଦାସ,  ଓ ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀଯୁକ୍ତ ରୋହିଣୀ କୁମାର ମହାଦୟ ଯୋଗ ଦେଇ ଶିଶୁ ସୁଲଭତା ଓ ଶିଶୁ ବିକାଶ ନିମନ୍ତେ ଆବଶ୍ୟକୀୟ ଦିଗ ଓ ସୁବିସ୍ତୃତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। କୁନି କୁନି ଶିଶୁ ନୃତ୍ୟଶିଳ୍ପୀ ମାନଙ୍କ ଦ୍ବାରା ଏକ ସୁନ୍ଦର ନୃତ୍ୟ ଆସର ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ଶ୍ରୀମତୀ ବିଷ୍ଣୁପ୍ରିୟା ଦାଶ ମଞ୍ଚ ପରିଚାଳନା , ଶ୍ରୀମତୀ ପ୍ରତିମା କୁମାରୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ପ୍ରଭାତୀ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମଗ୍ର ପରିବେଶଟି ଯଥେଷ୍ଟ ଉତ୍ସବମୁଖର ଥିଲା। ଏହିପରି କାର୍ଯ୍ୟକ୍ରମ ପ୍ରତି ବିଦ୍ୟାଳୟ ରେ ହେଉ ବୋଲି ସମସ୍ତେ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ