ଶିିଶୁ ସାହିତ୍ୟିକ ସୂର୍ଯ୍ୟମଣି ସାମନ୍ତରାୟଙ୍କ ପରଲୋକ
ଭୁବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ) : ବିଶିଷ୍ଟ ଶିଶୁସାହିତ୍ୟିକ ସୂର୍ଯ୍ୟମଣି ସାମନ୍ତରାୟଙ୍କର ୭୨ ବର୍ଷ ବୟସରେ ଆଜି ପୂର୍ବାହ୍ଣ ୧୧ଘଣ୍ଟା ୫ ମିନିଟ ସମୟରେ ଭୁବନେଶ୍ୱରଠାରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଗତ ଏକ ମାସ ଧରି ଲିଭର ଜନିତ ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିଲେ । ଆଜି ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ସଂପର୍ଣ୍ଣ କରାଯାଇଛି । ୧୯୪୬ ମସିହା ଅକ୍ଟୋବର ୧ତାରିଖ, ନୟାଗଡ଼ ଜିଲ୍ଲାସ୍ଥ ଶରଣକୂଳଠାରେ ଜନ୍ମିତ ସୂର୍ଯ୍ୟମଣି ସାମନ୍ତରାୟ ଓଡ଼ିଶା କୃଷି ଓ ବ÷ଷୟିକ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ଲାଭ କରିବା ପରେ, ଓଡ଼ିଶା ସରକାରଙ୍କ କୃଷି ଓ ସମବାୟ ବିଭାଗରେ ଦୀର୍ଘ ତିରିଶ ବର୍ଷ ଧରି ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ରାଜ୍ୟର ଜଣେ ଜଣାଶୁଣା ଶିଶୁ-ସାହିତିି୍ୟକ ଭାବରେ ସେ ପିଲାଙ୍କ ପାଇଁ ଅନେକ ଶିଶୁ-ପୁସ୍ତକ ରଚନା କରିଯାଇଛନ୍ତି । ରଚନା କରିଥିବା ପୁସ୍ତକ ମଧ୍ୟରେ- ମୋ ମଣି ମାଣିକ, ପିଲାଙ୍କ ମହତ କାମ, ପାଣି ପବନ ଆମ ଜୀବନ, ସୁନ୍ଦର ସଂସାର, ଖରା ବରଷା ଗୀତ ସରସା, ଇତ୍ୟାଦି ପୁସ୍ତକ ପିଲାଙ୍କର ଖୁବ ଆଦରଲାଭ କରିଥିଲା । ସେ ଶିଶୁ-ସାହିତ୍ୟ ନିମନ୍ତେ ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ରାମକୃଷ୍ଣ ନନ୍ଦ ସଂସାର ଶିଶୁ-ସାହିତ୍ୟ ପୁରସ୍କାର, ମୀନାବଜାର ପୁରସ୍କାର ଇତ୍ୟାଦି ଲାଭ କରିଥିଲେ । ତାଙ୍କ ରଚିତ ପୁସ୍ତକ ‘ଟିଂ କୁଡୁ କୁଡୁ ଟିକି ଚଢେଇ’ ନିମନ୍ତେ ସେ ୧୯୧୩ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କର ମୃତ୍ୟୁରେ ପିଲାଙ୍କ ଅନୁଷ୍ଠାନ ‘ଇଟିକିଲି ମିଟିକିଲି’ ତରଫରୁ ସଚିବ ଶରତ କୁମାର ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।