ଶୀତଦିନେ ବାରମ୍ବାର ପରିସ୍ରା ଲାଗୁଥିଲେ…

ଶୀତଦିନେ ଅନେକ ଲୋକ ବାରମ୍ବାର ସିଟ୍‌ରୁ ଉଠି ଟଏଲେଟ୍ ଯାଇଥାନ୍ତି। ଅଫିସ୍‌ କିମ୍ବା କଲେଜ୍‌ରେ ଏଭଳି ଲୋକଙ୍କୁ ଅନେକ ଥଟ୍ଟା କରିଥାନ୍ତି। ହୁଏତ ଲୋକେ ଏହି ଗମ୍ଭୀର ସମସ୍ୟା ସମ୍ପର୍କରେ ଜାଣି ନାହାନ୍ତି। ଡାକ୍ତର ଚେତାବନୀ ଦେଇ କହିଛନ୍ତି ଯେ ଶୀତଦିନେ ବାରମ୍ବାର ପରିସ୍ରା ଲାଗିବା ଏକ ଭୟଙ୍କର ରୋଗର ସଙ୍କେତ ହୋଇପାରେ।

ଡାକ୍ତରଙ୍କ ଭାଷାରେ ଏହି ରୋଗକୁ କୋଲ୍ଡ ଡାଇୟୁରେସିସ୍ କୁହାଯାଏ। ଏହି ରୋଗ ଘାତକ ମଧ୍ୟ ପ୍ରମାଣିତ ହୋଇପାରେ। ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଡକ୍ଟର ଫର୍‌ ୟୁ ଜରିଆରେ ଲୋକଙ୍କୁ ପରାମର୍ଶ ଦେଉଥିବା ଡାକ୍ତର ଡାଏନା ଗଲ୍‌ କୋଲ୍ଡ ଡାଇୟୁରେସିସ୍ ନାମକ ଏହି ରୋଗ ସମ୍ପର୍କରେ ବିସ୍ତାରରେ ସୂଚନା ଦେଇଛନ୍ତି। ଡା.ଡାଏନା କହିଛନ୍ତି ଯେ ଡାଇୟୁରେସିସ୍ କାରଣରୁ ବାରମ୍ବାର କିମ୍ବା ଅଧିକ ୟୁରିନେସନ୍‌ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ଆପଣ ଭିତରେ ଭିତରେ ଏତେ ମାତ୍ରାରେ ରୋଗଣା ହୋଇଯାଆନ୍ତି ଯେ ଏହାର ସୂଚନା ହୁଏତ ଆପଣଙ୍କୁ ମିଳିପାରେ ନାହିଁ। ଡାଇୟୁରେସିସ୍ ସମୟରେ ଶରୀରରୁ କେବଳ ପାଣି ବାହାରକୁ ବାହାରି ନ ଥାଏ, ବରଂ ଶରୀରରେ ଥିବା ପ୍ରାକୃତିକ ଲବଣ ଓ ମିନେରାଲ ବାଲାନ୍ସକୁ ମଧ୍ୟ କମ୍‌ କରିଥାଏ, ଯାହା କ୍ଷତିକାରକ ହୋଇଥାଏ। ପରିସ୍ରା ଜରିଆରେ ଶରୀରରୁ ସୋଡିୟମ ଓ ପୋଟାସିୟମ୍‌ ମଧ୍ୟ ବାହାରିଯାଏ। ଶରୀରରୁ ଅଧିକ ମାତ୍ରାରେ ସୋଡ଼ିୟମ ଓ ପୋଟାସିୟମ ବାହାରିଯିବା କାରଣରୁ ଆପଣ ହାଇପୋନାଟ୍ରେମିଆର ଶିକାର ହୋଇପାରନ୍ତି। ଶରୀରରେ ତାପମାତ୍ରା କମ୍‌ ହୋଇଗଲେ ଡାଇୟୁରେସିସ୍ ସମସ୍ୟା ଅଧିକ ବଢ଼ିଯାଏ। ତେଣୁ ଏହି ଅବସ୍ଥାରେ ଏହାକୁ ନିୟନ୍ତ୍ରଣ କରିବା ବହୁତ ଆବଶ୍ୟକ। ଶୀତଦିନେ ଡାଇୟୁରେସିସରୁ ମୁକ୍ତି ପାଇବା ଲାଗି ଶରୀରକୁ ହାଇଡ୍ରେଟ୍‌ ରଖିବା ଆବଶ୍ୟକ। ତେଣୁ ଅଧିକରୁ ଅଧିକ ପାଣି ପିଅନ୍ତୁ। ମଝିରେ ମଝିରେ ପାନୀୟ ସେବନ କରିବା ଦ୍ବାରା ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ। ରିପୋର୍ଟ ଅନୁସାରେ ୩୦ ବର୍ଷ ବୟସ ପରେ ଲୋକଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଏହି ବୟସରେ ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ମଝି ରାତିରେ ପରିସ୍ରା କରିବାକୁ ଉଠିଥାନ୍ତି। କେବଳ ସେତିକି ନୁହେଁ, ୬୫ ବର୍ଷ ବୟସ ପରେ ମଧ୍ୟ ପ୍ରତି ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ବ୍ୟକ୍ତି ପରିସ୍ରା କରିବା ପାଇଁ ମଝି ରାତିରେ ନିଦରୁ ଉଠିଥାନ୍ତି। ମଝି ରାତିରେ ପରିସ୍ରା ଲାଗିବା ରୋଗକୁ ଡାକ୍ତରୀ ଭାଷାରେ ନୋକ୍ଟୁରିଆ କୁହାଯାଏ। ଏହା ଦୁଇଟି କାରଣ ପାଇଁ ହୋଇଥାଏ। ଶୋଇବା ପୂର୍ବରୁ ଶରୀରରେ ପାଣିର ମାତ୍ରା ଅଧିକ ହେବା କିମ୍ବା କୌଣସି ବ୍ୟକ୍ତିଙ୍କୁ ଟାଇପ୍‌ ୨ ମଧୁମେହ ହେବା ଏହାର କାରଣ ହୋଇଥାଇପାରେ ବୋଲି ଡା.ଡାଏନା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ