ଶୀତଦିନେ ଯାତ୍ରା ସମୟରେ ତ୍ବଚାର ଯତ୍ନ
କେତେକ ଲୋକେ ଗରମ ଦିନେ ବୁଲିବାକୁ ପସନ୍ଦ କରନ୍ତି ତ ଆଉ କେତେକ ଲୋକେ ଶୀତଦିନେ ଭ୍ରମଣକୁ ଉପଭୋଗ କରିବାକୁ ପସନ୍ଦ କରନ୍ତି। ଗରମ ଦିନେ ତ୍ବଚାକୁ ପ୍ରଚଣ୍ଡ ରୌଦ୍ର ତାପରୁ ବଞ୍ଚାଇବାକୁ ପଡ଼ୁଥିବାବେଳେ ଶୀତଦିନେ ଥଣ୍ଡା ପବନରୁ ତ୍ବଚାକୁ ରକ୍ଷା କରିବାକୁ ପଡ଼ିଥାଏ। ଚାଲନ୍ତୁ ଜାଣିବା ଶୀତଦିନେ ଭ୍ରମଣ ସଉକ ରଖିଥିବା ଲୋକେ ନିଜ ତ୍ବଚାର କିପରି ଧ୍ୟାନ ରଖିବା ଉଚିତ।
ଫେସ୍ୱାଶ୍ : ଏଠାରେ କୌଣସି ଫେସ୍ୱାଶ୍ ସାମଗ୍ରୀ ସମ୍ପର୍କରେ ନୁହେଁ, ସାଦା ପାଣିରେ ମୁହଁ ଧୋଇବା କଥା କୁହାଯାଇଛି। ଆପଣ ଯେ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯାଆନ୍ତୁ ନା କାହିଁକି, ସେଠାକାର ଧୂଳି, ମାଟି ଓ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଦିନରେ ଦୁଇରୁ ତିନି ଥର ସାଦା ପାଣିରେ ନିଜ ମୁହଁ ସଫା କରିବା ଉଚିତ। ଯଦି ଭ୍ରମଣ କରିବା ସମୟରେ ଆପଣଙ୍କ ପାଖରେ ପାଣି ନାହିଁ, ତେବେ ନିଜ ପାଖରେ ଗୋଲାପ ଜଳ ରଖନ୍ତୁ। ତୁଳାରେ ଗୋଲାପ ଜଳ ନେଇ ଦିନରେ ଦୁଇରୁ ତିନି ଥର ଚେହେରାକୁ ନିହାତି ଭାବେ ସଫା କରନ୍ତୁ।
ମଏଶ୍ଚରାଇଜର : ଶୀତଦିନେ ଚେହେରାକୁ ମଏଶ୍ଚରାଇଜ୍ କରି ରଖିବା ନିହାତି ଜରୁରୀ। ତେଣୁ ଗାଧୋଇବା ପରେ କିମ୍ବା ମୁହଁ ଧୋଇ ହେବା ପରେ ମଏଶ୍ଚରାଇଜର ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ। ରାତିରେ ଶୋଇବା ପୂର୍ବରୁ ଚେହେରା, ହାତ, ପାଦରେ ମଏଶ୍ଚରାଇଜର କିମ୍ବା କୌଣସି ବଡ଼ି ଲୋସନ୍ ନିହାତି ଭାବେ ଲଗାନ୍ତୁ। ଯାହାଫଳରେ ଆପଣଙ୍କ ତ୍ବଚାକୁ ରାତିସାରା ପୋଷକତତ୍ତ୍ବ ମିଳିବ। ପର ଦିନ ଆପଣଙ୍କ ସ୍କିନ୍ ପୂରାପୁରି ଫ୍ରେଶ୍ ଓ ଗ୍ଲୋଇଙ୍ଗ ଦେଖାଯିବ।
ସନ୍ସ୍କ୍ରିନ୍ : ତ୍ବଚାକୁ ଯେଉଁ ଭଳି ଭାବେ ଗରମ ଦିନେ ସୂର୍ଯ୍ୟକିରଣରୁ ରକ୍ଷା କରିବା ଉଚିତ, ସେହିପରି ଶୀତଦିନେ ମଧ୍ୟ ଏହାକୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ଉଚିତ। ତେଣୁ ବାହାରକୁ ଭ୍ରମଣ କରିବାକୁ ବାହାରିବାବେଳେ ସାଙ୍ଗରେ ସନ୍ସ୍କ୍ରିନ୍ ଲୋସନ୍ ନିହାତି ରଖନ୍ତୁ।
ଉଷୁମ ପାଣିରେ ସ୍ନାନ : ଭ୍ରମଣ କରିବା ପରେ ରାତିରେ ଯେତେବେଳେ ହୋଟେଲ୍କୁ ଫେରୁଛନ୍ତି, ତେବେ ହାଲୁକା ଉଷୁମ ପାଣିରେ ସ୍ନାନ କରିବାକୁ ଭୁଲନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କ ସାରା ଦିନର ଥକାପଣ କିଛି ମିନିଟ୍ରେ ଦୂରେଇ ଯିବ। ଆପଣଙ୍କୁ ଉତ୍ତମ ନିଦ ମଧ୍ୟ ହେବ। ପରଦିନ ଆପଣଙ୍କୁ ଫିଟ୍ ଏଣ୍ଡ ଆକ୍ଟିଭ୍ ଅନୁଭବ ହେବ।
ଶୀତଦିନେ ଭ୍ରମଣ କରିବାବେଳେ ଅଧିକରୁ ଅଧିକ ପାଣି ପିଅନ୍ତୁ। ଫ୍ରାଏଡ୍ ଖାଦ୍ୟ ବଦଳରେ ସ୍ବାସ୍ଥ୍ୟ ପାଇଁ ହିତକର ଖାଦ୍ୟ ଖାଆନ୍ତୁ। ଯାହାର ଫାଇଦା ମଧ୍ୟ ଆପଣଙ୍କ ତ୍ବଚାକୁ ମିଳିବ। ଅଧିକ ଥଣ୍ଡା ଲାଗୁଥିଲେ ରୁମ୍ ହିଟର ବ୍ୟବହାର କରନ୍ତୁ। ନିଜ ମୁଣ୍ଡ ଓ ମୁହଁକୁ ଉଲ୍ରେ ତିଆରି କରାଯାଇଥିବା କ୍ୟାପ୍ ଓ ମଫ୍ଲରରେ କଭର କରିବାକୁ ଭୁଲନ୍ତୁ ନାହିଁ।