ଶୀତଳଷଷ୍ଠୀ

ବିପିନ ବିହାରୀ ମହାନ୍ତି
ବ୍ରହ୍ମା ସଚରାଚର ପୃଥ୍ୱୀର ସବୁକିଛି ସୃଷ୍ଟି କଲେ । ତହିଁପରେ ଭଗବତୀ ଦେବୀ ପ୍ରକୃତି ନିଜ ଅଂଶରୁ ସାବିତ୍ରୀଙ୍କୁ ସୃଷ୍ଟି କରି ବ୍ରହ୍ମାଙ୍କୁ ତାଙ୍କ ପତ୍ନୀ ରୂପେ ପ୍ରଦାନ କଲେ । ସେହିପରି ନିଜ ଅଂଶରୁ ସରସ୍ୱତୀ ଓ ଲକ୍ଷ୍ମୀଙ୍କୁ ସୃଷ୍ଟି କରି ସେମାନଙ୍କୁ ବିଷ୍ଣୁଙ୍କର ଦୁଇପତ୍ନୀ କରାଇଲେ । ଏମିତି ସେମାନଙ୍କୁ ସଂସାରୀ କରାଇଦେଲେ । ହେଲେ ଶିବ ଏ ପ୍ରକୃତିଙ୍କୁ ଅଂଶ ବିଶେଷ ଭାବେ ଆଶା ନକରି ତାଙ୍କୁ ପୂର୍ଣ୍ଣମାତ୍ରାରେ ପାଇବାର ଲାଳସା ରଖି ତପସ୍ୟା କଲେ ଏବଂ ଯୋଗୀଶ୍ୱର ପାଲଟିଗଲେ । ଏଥିରେ ସନ୍ତୁଷ୍ଟ ହୋଇ ପ୍ରକୃତି ତାଙ୍କୁ ପଚାିରଲେ “ଶମ୍ଭୁ, ମୁଁ ତୁମ ତପସ୍ୟାରେ ତୁଷ୍ଟ । ତୁମର ମୋଠି କି ଅଭିଳାଷ ଅଛି, ତୁମ ଏବେ ମାଗି ନେଇପାର ।”
ଶିବ କହିଲେ, “ମୁଁ ଆପଣଙ୍କ ଅଂଶରୁ ଜାତ ସାବିତ୍ରୀ, ସରସ୍ୱତୀ କି ଲକ୍ଷ୍ମୀଙ୍କ ପରି ଦେବୀ ଚାହେଁ ନାହିଁ । ମୁଁ ଆପଣଙ୍କୁ ପରମାପୂର୍ଣ୍ଣା ପ୍ରକୃତି ରୂପେ ମୋର କୋଉ ଜନ୍ମରେ କୋଉଠି ହେଲେ ପତ୍ନୀ ଭାବେ ପାଇବାକୁ ଚାହେଁ ।
“କିନ୍ତୁ ମାଂ ପରମା ପୂର୍ଣ୍ଣା ପ୍ରକୃତିଃ ସୂୟମେବହି
ତ୍ୱମେହି ଜନ୍ମ ସଂପ୍ରାପ୍ତ କୁତ୍ର ଚିନ୍ତଜ ଲୀଳୟା ।”
ଏଥିକୁ ପ୍ରକୃତି କହିଲେ, “ମୁଁ ମୋ ମାୟାରେ ଦକ୍ଷ ପ୍ରଜାପତିଙ୍କର ପରମା ସୁନ୍ଦରୀ କନ୍ୟା ରୂପେ ଜନ୍ମ ନେଇ ତୁମର ଭର୍ଯ୍ୟା ହେବି । ତେବେ ଯେବେ ଦକ୍ଷଙ୍କର ପୂଣ୍ୟ କ୍ଷମତା କ୍ଷୀଣ ହେବ ଏବଂ ଆପଣଙ୍କର ମୋ ଦେହାଭିମାନ ପ୍ରତି ବିପରୀତ ବିଲକ୍ଷଣ ଦେଖାଯିବ, ସେତେବେଳେ ମୁଁ ମୋ ମାୟାରୁ ମୁକ୍ତି ନେଇ ମୋ ନିଜ ଆସ୍ଥାନକୁ ଫେରିଯିବି । ଏହାଦ୍ୱାରା ଆପଣଙ୍କ ଠାରୁ ମୋ ରବିୟୋଗ ଘଟିବ ଅଥଚ ଆପଣ ମୋତେ ଛାଡ଼ି କୋଉଠି ହେଲେ ରହିପାରିବେ ନାହିଁ । ଏହି ପ୍ରକାର ଆମ ଦୁହିଁଙ୍କ ମଧ୍ୟରେ ପରମ ପ୍ରୀତି ରହିଥିବ । ଅର୍ଥାତ୍ ଜନ୍ମଜନ୍ମାନ୍ତର ମୁଁ ଆପଣଙ୍କର ସାଥୀ ହୋଇଥିôବି ।
“ପୂର୍ଣ୍ଣା ପ୍ରକୃତିରେ ଆହଂ ତବ ଗୋହିନୀ ।
ଶମ୍ଭୂୟ ମାୟୟା ଚାରୁଦେଶଦକ୍ଷ ପ୍ରଜାପତେଃ ।ା
ଯଦ୍ୟ ଦେହାଭିମାନେନ ଭବିଷ୍ୟତିମୟିତ୍ୱୟି ।
ଅନାଦର ସୁଦକ୍ଷସ୍ୟ ତଦାଂ ଶୋନ ବିମୋହତ୍ୱ ତମ୍ ।ା
ମୟମୈବଂ ଗମିଷ୍ୟାମି ଭୂୟଃ ସ୍ୱସ୍ଥାନାମୁରମମ୍ ।
ତଦା ତ୍ୱୟା ମେବିଚ୍ଛେବୋ ଭବିଷ୍ୟତି ମହେଶ୍ୱର ।ା
ତଦା ତ୍ୱମପି କୁତ୍ରାପି ନୈବ ସ୍ଥାସ୍ୟାମି ମାଂ ବିନା ।
ଏବଂହି ପରମା ପ୍ରୀତିର ବୟେଃ ସାମ୍ଭବିଷ୍ୟତି ।ା
ସେହିପରି ଦକ୍ଷ ପ୍ରଜାପତି ତାଙ୍କୁ କନ୍ୟା ରୂପେ ପାଇବାରେ କଠୋର ତପସ୍ୟା କରିଥିବାରୁ ସେ ତାଙ୍କ ପ୍ରତି ସନ୍ତୁଷ୍ଟ ହୋଇ କହିଥିଲେ ଯେ ତାଙ୍କୁ ପତ୍ନୀ ରୂପେ ପାଇବାରେ ପୂର୍ବେ ଶମ୍ଭୁ ତାଙ୍କୁ ପ୍ରାର୍ଥନା କରିଥିଲେ ଏବଂ ତାଙ୍କୁ ଦକ୍ଷଙ୍କର ପୁତ୍ରୀ ରୂପେ ଜନ୍ମ ନେଲା ପରେ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ସେ ତାଙ୍କ ପୁତ୍ରୀ ହୋଇ ଜନ୍ମ ନେବେ ସତ, ମାତ୍ର ଯେଉଁଦିନ ତାଙ୍କର ପୁଣ୍ୟ କ୍ଷୀଣ ହେବ ସେ ସେତେବେଳେ ତାଙ୍କୁ ତ୍ୟାଗ କରିବେ । ତାଙ୍କର ହୋଇପାରିବେ ନାହିଁ; ପୁନଶ୍ଚ ତାଙ୍କ ଆସ୍ଥାନକୁ ଫେରିଯିବେ ।
ଯାବତଂ ତପସଃ ପୁଣ୍ୟଂ କ୍ଷୀଣତ୍ୱଂ ନାମ୍ଭୁପୈତିବୈ;
କ୍ଷୀଣତୁ ତପସଃ ପୁଣ୍ୟେ ମୟି ମନ୍ଦୋଦରୋ ଭବାନି ।ା
ଭବିଷ୍ୟତି ତଦୈ ଅହଂ ପୁନରେ ତାଦୃଶ୍ୟଂ ତନୁମ୍
ଧୃତ୍ୱା ତବ ପୁର ଗତ୍ୱା ଗମିଷ୍ୟେ ସ୍ୱୀୟମାଳମ୍ ।ା
ବଚନବଦ୍ଧତା କାରଣରୁ ଦେବୀ ପ୍ରକୃତି ଦକ୍ଷଙ୍କ ପତ୍ନୀ ପ୍ରସୂତିଙ୍କ ଔରସରୁ ପରମପୂର୍ଣ୍ଣ ପ୍ରକୃତି ନେଇ ଜନ୍ମ ହେଲେ ଏବଂ ଜନ୍ମର ଦଶଦିନ ଠାରୁ ତାଙ୍କ ନାମ ଶ୍ରଦ୍ଧାରେ ରଖାଗଲା ସତୀ । ବର୍ଦ୍ଧିଷ୍ଣୁ ବୃକ୍ଷ ଅଥବା ବର୍ଷାଦିନିଆ ନଦୀଟିଏ ପରି ସତୀ ବଢ଼ିବାକୁ ଲାଗିଲେ । ସତୀଙ୍କ ପାଇଁ ସ୍ୱୟଂବର ବ୍ୟବସ୍ଥା ହେଲା । ଦକ୍ଷଙ୍କର ଇଚ୍ଛାଥାଏ ଯେ ତାଙ୍କ ପୁତ୍ରୀ ବ୍ରହ୍ମା ବା ବିଷ୍ଣୁଙ୍କ ପତ୍ନୀ ହୁଅନ୍ତୁ । କିନ୍ତୁ ପ୍ରତିଶ୍ରୁତି ଅନୁଯାୟୀ ସତୀଙ୍କୁ ଶିବ ପ୍ରାପ୍ତି ହେବେ । ଶିବଙ୍କୁ ଦକ୍ଷ ଶ୍ମଶାନବାସୀ ବୋଲି ଘୃଣା କରୁଥିଲେ । ତେବେ କୌଣସି ମତେ ଶିବଙ୍କ ସହିତ ସତୀଙ୍କର ବିବାହ ହେଲା ଏବଂ ଶିବ ତାଙ୍କୁଧରି କୈଳାସ ଚାଲିଲେ ଏବଂ ସେଠାରେ ସମସ୍ତ ଦେବାଦେବୀ, ନରକିନ୍ନର ଇତ୍ୟାଦିଙ୍କ ଉପସ୍ଥିତିରେ ଯଥାରୀତି ବିବାହ ହେଲା । ଏହା ଥିଲା ପ୍ରକୃତିଙ୍କ ସହିତ ଶିବଙ୍କର ପ୍ରଥମ ବିବାହ ।
ହିମାଳୟ ବାସ କାଳରେ ଗିରିରାଜଙ୍କ ପତ୍ନୀ ମେନା ସତୀଙ୍କ ରୂପ, ଗୁଣ ଓ ମାଧୁର୍ଯ୍ୟରେ ପ୍ରୀତ ହୋଇ ତାଙ୍କୁ ପୁତ୍ରୀ ରୂପେ ପାଇବାକୁ ପ୍ରାର୍ଥନା କଲେ ଏବଂ ଏହାକୁ ତଥାସ୍ତୁ କଲେ ମା’ ଜଗଦମ୍ବା ଭଗବତୀ ସତୀ । ଏହା ଶକ୍ତିଙ୍କ ସହିତ ଶିବଙ୍କର ବାରମ୍ବାର ବିଛେଦକୁ ସୂଚୀତ କରାଏ । ପ୍ରଜାପତି ଦକ୍ଷଙ୍କ ଇଚ୍ଛା ବିରୁଦ୍ଧରେ ସତୀ ଶିବଙ୍କୁ ବିବାହ କରିଥିବାରୁ ସେ ଉଭୟ ଥିଲେ ଦକ୍ଷଙ୍କ ଈର୍ଷା, ଦ୍ୱେଷ ଓ ଘୃଣାର ପାତ୍ର । ସେ ସଦାବେଳେ ଶିବ ନିନ୍ଦାରେ ବ୍ୟସ୍ତ ରହିଲେ ଏବଂ ଶିବଙ୍କୁ ଅପମାନିତ କରିବା ନିମନ୍ତେ ଏକ ଦକ୍ଷଯଜ୍ଞର ଆୟୋଜନ କଲେ ଏବଂ ଶିବ ଓ ସତୀଙ୍କ ବ୍ୟତୀତ ଅନ୍ୟ ତ୍ରିପୁରବାସୀଙ୍କୁ ନିମନ୍ତ୍ରଣ କଲେ । ଯଜ୍ଞ ରକ୍ଷକ ଥିଲେ ବିଷ୍ଣୁ । ତଥାପି ପିତାଙ୍କ ଯଜ୍ଞରେ ଉପସ୍ଥିତ ରହିବାକୁ ସତୀ ଶିବଙ୍କୁ ବାଧ୍ୟ କଲେ । ମାତ୍ର ଶିବ ଏଥିକୁ ସମ୍ମତି ଦେଲେ ନାହିଁ । ଶେଷରେ ପତିଙ୍କ କଥାକୁ ଅବଜ୍ଞା କରି ସତୀ ପିତାଙ୍କ ଯଜ୍ଞକୁ ଗଲେ ଏବଂ ସେଠାରେ ପତିଙ୍କୁ ଦିଆଯାଉଥିବା ଅପମାନ ସହ୍ୟ ନକରି ଦକ୍ଷଙ୍କ ଯଜ୍ଞକୁଣ୍ଡରେ ଆହୂତି ଦେଲେ । ଏକଥା ଶିବ ଜାଣିପାରି ସତୀଙ୍କ ଶବକୁ ଯଜ୍ଞକୁଣ୍ଡରୁ ଉଦ୍ଧାର କରି ନିଜ କାନ୍ଧରେ ପକାଇ ଶିବ ତାଣ୍ଡବ ଆରମ୍ଭ କରିଦେଲେ । ଯାହା ଜଣାଗଲା ସୃଷ୍ଟି ପ୍ରଳୟ ହୋଇଯିବ । ଏଣୁ ବିଷ୍ଣୁ ସୁଦର୍ଶନ ଚକ୍ରକୁ ପଠାଇ ସତୀଙ୍କ ଶବଙ୍କୁ ବାରମ୍ବାର ଛେଦନ କରି ୫୧ ଖଣ୍ଡ କଲେ । ଏହା ତତ୍‌କାଳୀନ ଭାରତ ଭୂଖଣ୍ଡରେ ଏକାବନ ସ୍ଥାନରେ ପଡ଼ିଲା । ପରବର୍ତ୍ତୀ ସମୟରେ ଏଗୁଡ଼ିକ ହେଲେ ଶକ୍ତିପୀଠ ।
ସତୀଙ୍କୁ ହରାଇ ଶିବ କୈଳାସ ଚାଲିଗଲେ ଏବଂ ସତୀଙ୍କ ଦୁଃଖରେ ତପାଶ୍ଚରଣ କଲେ । ଏପଟେ ସତୀ ପାର୍ବତୀ ରୂପେ ଗିରିରାଜଙ୍କ ପତ୍ନୀ ମେନାଙ୍କ ଔରସରୁ ଜାତ ହେଲେ ।
ଶିବ ଓ ଶକ୍ତି ଏକ ଏବଂ ଅଭିନ୍ନ । ସେହି ହିଁ ସତ୍ୟ, ଶିବ ଓ ସୁନ୍ଦରର ଆଧାର । ସୃଷ୍ଟି, ବିକାଶ ଓ ପ୍ରଳୟର କେନ୍ଦୁବିନ୍ଦୁ । ପୂର୍ବଲୋଚନାରୁ ଜଣାପଡ଼େ ଯେ ଶକ୍ତି (ସତୀ) ବା ଆଦ୍ୟାଶକ୍ତି ଭିନ୍ନ ଭିନ୍ନ ସମୟରେ ଶିବଙ୍କର ପତ୍ନୀ ରୂପେ ଭିନ୍ନ ନାମେ ଆବିର୍ଭୂତା ହୋଇଥିଲେ ହେଁ ସେ ଏକ ଏବଂ ଅଦ୍ୱିତୀୟ । ଏହି କାରଣରୁ ଏ ଦୁହିଁଙ୍କୁ ହିନ୍ଦୁଧର୍ମରେ ମଙ୍ଗଳମୟ ଓ ମଙ୍ଗଳମୟୀ ରୂପେ ପୂଜା କରାଯାଏ ।
ଶିବ ଓ ଶକ୍ତିଙ୍କ ବହୁକାଳ ଅନ୍ତର୍ଦ୍ଧାନ ପରେ ତାରକାସୁର ବ୍ରହ୍ମାଙ୍କ ଠାରୁ ବରପାଇ ନାନା ଉତ୍ପାତ କଲା । ଏଥିପାଇଁ ଦେବଗଣ ବ୍ରହ୍ମାଙ୍କୁ ଗୁହାରିକଲେ । ବ୍ରହ୍ମା କହିଲେ ଯେ ଯଦି ପାର୍ବତୀଙ୍କ ଔରସରୁ ପୁତ୍ରଟିଏ ଜନ୍ମ ହୁଏ, ସେ ତାରକାସୁରକୁ ବଧ କରିବ । ନୋହିଲେ କେହି ନୁହେଁ । ଏଣୁ ଦେବଗଣ ଶିବଙ୍କ ଦେହରେ କାମଶକ୍ତି ଜାଗ୍ରତ ପାଇଁ କାମଦେବଙ୍କୁ ପଠାଇଲା । ସେ ଶିବଙ୍କ କୋପାନଳରେ ଭସ୍ମୀଭୂତ ହୋଇଗଲେ । ଏଥର ସେମାନେ ପାର୍ବତୀଙ୍କୁ ଅନୁରୋଧ କଲେ ।
ଆଗରୁ ଜାଣିଛେ ଯେ ସତୀଙ୍କୁ ପାଇବା ପାଇଁ ଶିବଙ୍କୁ ତପସ୍ୟା କରିବାକୁ ପଡ଼ିଥିଲା । ଏବେ ସତୀ ବା ପାର୍ବତୀ ଶିବଙ୍କୁ ପାଇବା ପାଇ ତପସ୍ୟା ଆଚରିଲେ । ଏହା ଥିଲା ତାଙ୍କର ଦୃଢ଼ ଏବଂ କଠିନ ବ୍ରତ । ଏ ତପସ୍ୟାରେ ଶିବଙ୍କ ଆସନ ଥରହର କରିଦେଲା । ଶେଷରେ ଶିବ ପାର୍ବତୀଙ୍କୁ ଦର୍ଶନ ଦେଲେ ଏବଂ ତାଙ୍କୁ ପତ୍ନୀ ରୂପେ ସ୍ୱୀକାର କଲେ । ଜ୍ୟେଷ୍ଠଶୁକ୍ଲ ପଞ୍ଚମୀ ଦିନ ଏ ବିବାହର ଗିରିରାଜ ହିମାଳୟଙ୍କ ଗୃହରେ ବୈଦିକ ରୀତିରେ ବ୍ରହ୍ମାଙ୍କ ମଧ୍ୟସ୍ଥତାରେ ଅବର୍ଣ୍ଣନୀୟ ମହାସମାରୋହରେ ସମାହିତ ହେଲା । ପରେ ଶିବ-ପାର୍ବତୀଙ୍କ କୃପାରୁ ଗଣେଶ ଜନ୍ମ ନେଲେ ଏବଂ ସେ ତାରକାସୁରକୁ ବଧ କଲେ ।
ଏ ଭାରତ ଭୂଖଣ୍ଡରେ ଶିବ ବିବାହ ମହାସମାରୋହରେ ପାଳିତ ହୁଏ । ଓଡ଼ିଶାର ଉପକୂଳବର୍ତ୍ତୀ ଇଲାକାରେ ବିଶେଷ କରି ପୁରୀ ଜିଲ୍ଲାରେ ଶାସନୀ ବ୍ରାହ୍ମଣମାନଙ୍କ ଗାଁରେ ଏହା ଦିଅଁ ବାହା ଭାବେ ଏବଂ ପଶ୍ଚିମ ଓଡ଼ିଶା ବିଶେଷ କରି ସମ୍ବଲପୁର ଓ ବରଗଡ଼ରେ ଶୀତଳଷଷ୍ଠୀ ଯାତ୍ରା ରୂପେ ପାଳିତ ହୁଏ । ଏ ବିବାହରେ ଜଣେ ବ୍ରହ୍ମା ହୋଇ ମଧ୍ୟସ୍ଥି ରୁହନ୍ତି । ବୈଦିକ ମତେ ସବୁ କର୍ମଚାଲେ । ଜ୍ୟେଷ୍ଠ ପ୍ରତିପଦରେ ନିର୍ବନ୍ଧ କନ୍ୟାପିିତାଙ୍କ ଘରେ ହୁଏ । ବିବାହର ଦିନ ପାର୍ବତୀଙ୍କୁ ବିମାନ ଯୋଗେ ବିବାହ ମଣ୍ଡପକୁ ଅଣାଯାଏ । ସେମିତି ସଂଧ୍ୟାକୁ ଶିବଙ୍କୁ ବରବେଶରେ ସଜାଇ ବୃଷଭ ବାହନ ମେଢ଼ରେ କନ୍ୟା ପିତାଙ୍କ ଗୃହକୁ ନାନା ବାଜା ଓ ରୋଶଣୀ ଓ ପଟୁଆର ମଧ୍ୟରେ ଅଣାଯାଏ । ଆମ ପ୍ରଚଳିତ ବିବାହର କର୍ମପରି ଗୋଟିଏ ପରେ ଗୋଟିଏ କର୍ମ ଚାଲେ । ବନ୍ଧୁ ବାନ୍ଧବ ବରଯାତ୍ରୀ ସମସ୍ତଙ୍କୁ ଯଥାବିଧି ସତ୍କାର କରାଯାଏ । ଶୀତଳ ଷଷ୍ଠୀ ଦିନ ବରକନ୍ୟାଙ୍କୁ ନାନା ଅଳଙ୍କାର ଓ ଉପହାର ସହ ସ୍ୱଗୃହ ବା ମନ୍ଦିରକୁ ବିଦାୟ କରାଯାଏ ।
ଶିବ-ପାର୍ବତୀଙ୍କ ବିବାହରର ଯାତ୍ରା ପଟୁଆର ନିହାତି ଦର୍ଶନୀୟ ଏବଂ ଉପଭୋଗ୍ୟ । ଏଥିରେ ନାନା ବାଜା ସହ ପାରମ୍ପରିକ ଲୋକନୃତ୍ୟର ଛାପ ସହ ଆଧୁନିକତାର ସ୍ପର୍ଶ ମଧ୍ୟ ଅଛି । ଶିବ ବିବାହ ଓ ଶୀତଳଷଷ୍ଠୀ ଆମ ଧାର୍ମିକ ପରମ୍ପରାର ଏକ ମହାନ୍ ଗଣପର୍ବ । ଓଡ଼ିଶାରେ ଏହା ସବୁର ଊର୍ଦ୍ଧ୍ୱରେ ଉତ୍କଳୀୟ ଧର୍ମ ସଂସ୍କୃତିର ଏକ ଏକତାର ପ୍ରତୀକ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶନଗର, ଜଟଣୀ, ଖୋର୍ଦ୍ଧା, ଫୋନ୍‌-୯୯୩୮୩୪୪୧୩୮
——-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ