ଶୀତଳ ଭଣ୍ଡାରରେ ଅଟକିଛି ଗଜପତି ମେଡିକାଲ କଲେଜର ପ୍ରସ୍ତାବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ବହୁଳ ତଥା ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାରୀ ଭାବେ ଗତ ୫ ବର୍ଷ ତଳେ ଜାଗା ଚି଼ହ୍ନଟ ପ୍ରକ୍ରିୟା ଶେଷ ହୋଇଯାଇଛି. ହେଲେ ବର୍ତ୍ତମାନ ସୁଦ୍ଧା ଗଜପତି ମେଡିକାଲ କଲେଜ ନିର୍ମାଣ ନେଇ କୌଣସି କାର୍ୟ୍ୟ ଆରମ୍ଭ କରାଯାଇନାହିଁ. ଶୀତଳ ଭଣ୍ଡାରରେ ଅଟକି ରହିଛି ଗଜପତି ମେଡିକାଲ କଲେଜର ନିର୍ମାଣ ପ୍ରସ୍ତାବ. ବିଗତ ୨୦୨୦ ମସିହାରେ ଅର୍ଥାତ ୫ ବର୍ଷ ତଳେ ଗଜପତି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ସରକାରୀ ଭାବେ ପ୍ରସ୍ତାବ ଅନୁମୋଦିତ ହୋଇ ଜାଗା ଚି଼ହ୍ନଟ ପ୍ରକ୍ରିୟା ମଧ୍ୟ ଶେଷ ହୋଇଯାଇଛି. ପ୍ରଶାସନିକ ଓ ରାଜନେତାଙ୍କ ଉଦାସୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜିଲ୍ଲାବାସୀ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି. ମେଡିକାଲ କଲେଜ ନିର୍ମାଣର ଆଶା ବର୍ତ୍ତମାନ ମଉଳି ଯାଇଛି. ପୂର୍ବ ସରକାର ସମୟରେ ଏହି ନିଷ୍ପଭି ହୋଇଥିବା ବେଳେ ବର୍ତ୍ତମାନ ନୂତନ ସରକାର ଏହି ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଜିଲ୍ଲାବାସୀ ଦାବି କରିଛନ୍ତି. ଦୁର୍ଗମ ବନ ପାହାଡ଼ ଘେରା ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ସ୍ବାସ୍ଥ୍ୟସେବା ଗତ ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହି ଆସିଛି. ଜିଲ୍ଲା ଡାକ୍ତରଖାନାରେ ବହୁ ଡାକ୍ତର ପଦବୀ ଖାଲି ପଡିଥିବା ଯୋଗୁଁ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ ଭାବେ ବିପଯ୍ୟସ୍ତ ହୋଇପଡିଛି. ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ପାଇଁ ସମ୍ପୂର୍ଣ ଭାବେ ଆନ୍ଧ୍ର ଉପରେ ନିର୍ଭର କରି ଆସୁଛନ୍ତି. ଆନ୍ଧ୍ରର ଘରୋଇ ନର୍ସିଂ ହୋମ ଗଜପତି ଜିଲ୍ଲା ଲୋକଙ୍କୁ ସ୍ୱାସ୍ଥ୍ୟସେବା ନାମରେ ବିଭିନ୍ନ ଭାବେ ଅର୍ଥ ଲୁଟୁଥିବା ବହୁ ଅଭିଯୋଗ ରହିଆସିଛି. ଏସବୁ ସତ୍ୱେ ସରକାର ଓ ରାଜନେତାଙ୍କ ଇଚ୍ଛାଶକ୍ତି ଅଭାବରୁ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବାଜନିତ ସମସ୍ୟାକୁ ସମାଧାନ କରାଯାଉନାହିଁ. ଜିଲ୍ଲାବାସୀଙ୍କୁ ଉଚିତ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଗଜପତି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ନୂତନ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସର୍ବସାଧାରଣରେ ଦାବି ହୋଇଛି.