ଶୀତୁଆ ରାତିରେ ଖୋଲା ଆକାଶ ତଳେ ଥରୁଛନ୍ତି ନିରାଶ୍ରୟ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍ଏସି ପରିସରଭୁକ୍ତ ଅଞ୍ଚଳରେ ସରକାରୀ ଜାଗା ଅଭାବରୁ ରାତ୍ରୀ ଆଶ୍ରୟସ୍ଥଳ ନିର୍ମାଣରେ ବିଳମ୍ବ ଘଟୁଥିବା ଯୋଗୁଁ ଶୀତୁଆ ରାତିରେ ଖୋଲା ଆକାଶ ତଳେ ନିରାଶ୍ରୟମାନେ ଥରୁଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆସିକା ଅଞ୍ଚଳରେ ଶୀତକାକରରେ ଘୁରୁବୁଲୁଥିବା ଅସହାୟ ଓ ନିରାଶ୍ରୟମାନେ ରହିବା ପାଇଁ ଦେଶ ସ୍ୱାଧୀନତାର ୭୭ ବର୍ଷ ପରେ ବି ରାତ୍ରୀ ଆଶ୍ରୟସ୍ଥଳଟିଏ ନିର୍ମାଣ କରିବା ପ୍ରଶାସନ ପକ୍ଷରୁ ସମ୍ଭବ ହୋଇପାରିନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍ଏସି ଅଞ୍ଚଳରେ ରାତ୍ରୀ ଆଶ୍ରୟସ୍ଥଳ ନଥିବା ଯୋଗୁଁ ଯାଯାବର, ଭିକାରୀ, ମାନସିକ ବିକାରଗ୍ରସ୍ତମାନେ ରାତ୍ରରେ ସହରର ବିଭିନ୍ନ ଘର ବାରଣ୍ଡାରେ ଖୋଲା ଆକାଶ ତଳେ ରାତି କାଟୁଥିବା ଦେଖିବାକୁ ମିଳୁଛି । ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତମାନେ ଦିନ ବେଳା ପେଟ ପାଇଁ ସଂଘର୍ଷ କରୁଥିବା ବେଳେ ରାତି ହେଲେ ଶୀତ ସହ ଲଢୁଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ଗତ କିଛି ଦିନ ହେଲା ଅସହ୍ୟ ଶୀତ ହେଉଥିବାରୁ ଏହି ନିରାଶ୍ରୟମାନଙ୍କ ପାଇଁ ଶୀତ ଏକ ପ୍ରକାର ଅଭିଶାପ ପାଲଟିଛି । ସହରରେ ରାତ୍ରୀ ଆଶ୍ରୟସ୍ଥଳ ନଥିବାରୁ ନିରାଶ୍ରୟମାନେ ରାତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସିକା ସହରର ସର୍ବାଙ୍ଗୀନ ବିକାଶ ପାଇଁ ଗୋଟିଏ ପଟେ ସହରର ସୌନ୍ଦର୍ଯ୍ୟକରଣ ଓ ବହୁ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଥିଲା ବେଳେ ସରକାରୀ ଜାଗା ଅଭାବରୁ ରାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ ବର୍ତ୍ତମାନ ସୁଦ୍ଧା ସମ୍ଭବପର ହୋଇପାରି ନାହିଁ । ଶୀତର ପ୍ରକୋପ ଜାରି ରହିଥିଲା ବେଳେ ମୁଣ୍ଡ ଗୁଞ୍ଜିବାରୁ ବାସଗୃହ ନଥିବା ବ୍ୟକ୍ତିଙ୍କ ଚିନ୍ତା ବଢିଯାଇଛି । ଏଭଳି ସ୍ଥିତିରେ ଅନ୍ୟ କିଛି ବିକଳ୍ପ ନଥିବାରୁ ମାନସିକ ବିକାରଗ୍ରସ୍ତ ହୁଅନ୍ତୁ କି ଭିକାରୀ ହୁଅନ୍ତୁ ସେମାନଙ୍କ ପାଇଁ ଘର ବାରଣ୍ଡା ପାଲଟିଛି ରାତ୍ରୀ ଆଶ୍ରୟସ୍ଥଳ । ଆସିକା ଅଞ୍ଚଳରେ ପାରଦ ଦିନକୁ ଦିନ ଖସିଆସୁଥିବା ଯୋଗୁଁ ପ୍ରବଳ ଥଣ୍ଡାରେ ବାସହରା, ଭିକ୍ଷାବୃତ୍ତି କରି ଚଳୁଥିବା ଗରିବ ଗୁରୁବାଙ୍କ ଦୁଃଖ ଅବର୍ଣ୍ଣନନୀୟ ହୋଇପଡିଛି । ଯାହାରି ଫଳରେ ନିରାଶ୍ରୟମାନେ କାକରଭିଜା ରାତିରେ ଖୋଲା ଆକାଶ ତଳେ ବିଭିନ୍ନ ଘର ଓ ଦୋକାନ ବାରଣ୍ଡାରେ ଭାଗ୍ୟକୁ ଆଦରି ରାତି ବିତାଉଥିବା ଦେଖିବାକୁ ମିଳୁଛି । ରାତ୍ରରୁ ଭୋର ସମୟ ପର୍ଯ୍ୟନ୍ତ ଫୁଟପାଥ୍ରେ ଶୟନ କରୁଥିବା ନିରାଶ୍ରୟମାନଙ୍କ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଆସିକା ଏନ୍ଏସି ଅଞ୍ଚଳରେ ରାତ୍ରୀ ଆଶ୍ରୟସ୍ଥଳ ନିର୍ମାଣରେ ବିଳମ୍ବ ସଂକ୍ରାନ୍ତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ନିରାଶ୍ରୟମାନଙ୍କ ବାସ୍ତବ ସମସ୍ୟାକୁ ହୃôଦୟଙ୍ଗମ କରି ସହରରେ ଏକ ଅତ୍ୟାଧୁନିକ ସୁବିଧା ଥିବା ରାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଏନ୍ଏସି ସଦାସର୍ବଦା ପ୍ରସ୍ତୁତ ଥିଲା ବେଳେ ସରକାରୀ ଜାଗା ଅଭାବରୁ ବର୍ତ୍ତମାନ ସୁଦ୍ଧା ତାହା ସମ୍ଭବପର ହୋଇପାରି ନାହିଁ । ଅତିଶୀଘ୍ର ବିଭାଗୀୟ ଅଧିକାରୀମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ସରକାରୀ ଜାଗା ଚିହ୍ନଟ କରାଯିବା ସାଙ୍ଗକୁ ରାତ୍ରୀ ଆଶ୍ରୟସ୍ଥଳ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ । ନିରାଶ୍ରୟ, ଯାଯାବର ଓ ଭିକାରୀ ଏବଂ ମାନସିକ ବିକାରଗ୍ରସ୍ତଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଏନ୍ଏସି ଅଧିନରେ ଥିବା ବାଣିବିହାର ଓ ତାଲୁକାଛକ କଲ୍ୟାଣମଣ୍ଡପରେ ଅସ୍ଥାୟୀ ଭାବେ ରାତ୍ରୀ ଆଶ୍ରୟସ୍ଥଳ ଖୋଲିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।