ଶୁଣାଣି କରିବାକୁ ମନା କଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ସୋସିଆଲ ମିଡିଆ (ଫେସବୁକ୍‌, ଟ୍ୱିଟର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍‌) ଆକାଉଣ୍ଟ ଗୁଡ଼ିକ ସହ ଆଧାର ନମ୍ବର ଯୋଡ଼ିବାକୁ ଦାବି କରି ଦାୟର ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଅଦାଲତ କହିଛନ୍ତି ଯେ ସବୁ ମାମଲାରୁ ସୁପ୍ରିମକୋର୍ଟକୁ ଅଣାଯିବାର ଆବଶ୍ୟକତା ନାହିଁ । ଏପରି ଦାବି ଉପରେ ମାଡ୍ରାସ ହାଇକୋର୍ଟ ଏବେ ଶୁଣାଣି କରୁଛନ୍ତି । ତେଣୁ ଆବେଦନକାରୀ ସେଠାକୁ ଯାଇପାରିବେ ଏବଂ ନିଜର ପକ୍ଷ ଉପସ୍ଥାପନ କରିପାରିବେ ।
ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ଏହି ମାମଲା ଦାୟର କରିଥିଲେ । ସେ ନିଜ ଆବେଦନରେ ଦର୍ଶାଇଥିଲେ କି ସୋସିଆଲ ମିଡିଆରେ ବିପୁଳ ସଂଖ୍ୟାରେ ନକଲି ଆକାଉଣ୍ଟ ଖୋଲାଯାଇଛି । ଏମିତିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଏଭଳି ନକଲି ଆକାଉଣ୍ଟ ଖୋଲାଯାଇଛି । ଭାରତରେ ୩.୫ କୋଟି ଟ୍ୱିଟର ଆକାଉଣ୍ଟ ଭିତରୁ ୧୦% ହେଉଛି ନକଲି ଆକାଉଣ୍ଟ । ଏପରି ନ କଲି ଆକାଉଣ୍ଟ ଜରିଆରେ ମିଥ୍ୟା ସମ୍ବାଦର ପ୍ରଚାର କରାଯାଉଛି । ସେହିପରି ଆଉ କେତେକ ଆକାଉଣ୍ଟ ଜରିଆରେ ଅର୍ଥ ବିନିମୟରେ ଅପପ୍ରଚାର କରାଯାଉଛି । ତେଣୁ ଏଭଳି ଆକାଉଣ୍ଟ ଗୁଡ଼ିକ ଉପରେ ଅଙ୍କୁଶ ଲଗାଇବାକୁ ହେଲେ ସେଗୁଡ଼ିକୁ ଆଧାର ନମ୍ବର ସହିତ ଯୋଡ଼ାଯିବା ବାଧ୍ୟତାମୂଳକ କରାଯିବା ଆବଶ୍ୟକ । ଏଭଳି ନକଲି ଆକାଉଣ୍ଟ ଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଆବେଦନରେ ଦାବି କରାଯାଇଥିଲା । ତା ଛଡ଼ା ନିର୍ବାଚନରେ ମତଦାନର ୪୮ ଘଣ୍ଟା ପୂର୍ବରୁ ପେଡ଼ ନ୍ୟୁଜ କିମ୍ବା ବିଜ୍ଞାପନରେ ପ୍ରସାରଣ ବ୍ୟାନ କରିବାକୁ ମଧ୍ୟ ସେଥିରେ ନିବେଦନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ