ଶୁଣୁନାହିଁ ପ୍ରଶାସନ, ମହିଳା ମହାସଂଘ ମନମାନୀ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଚେତାବନୀ

ବାରିକପୁର, (‌ୱାଇଏନଏନଏସ) : ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତ ମହିଳା ମହାସଂଘର ସଭାନେତ୍ରୀ ଦୀର୍ଘଦିନ ହେବ ମନମାନୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ପଞ୍ଚାୟତ ଅଞ୍ଚଳରେ ଗଠିତ ୭୨ଗୋଟି ଏସଏଚଜି ମହିଳା ମାନଙ୍କୁ ମହିଳା ମହାସଂଘ ପାତରଅନ୍ତର ନୀତି ଦେଖାଉଥିବା ଅଭିଯୋଗ ହୋଇଛି । ଏନେଇ କିଛି ଏସଏଚଜିର ସଦସ୍ୟା ମାନେ ଗତ ଏକମାସ ପୂର୍ବରୁ ମହିଳା ମହାସଂଘର ବିଭିନ୍ନ ଅନିୟମିତତା ଓ ସଭାନେତ୍ରୀଙ୍କ ମନମାନୀ ବିରୁଦ୍ଧରେ ବ୍ଲକ ପ୍ରଶାସନ ଓ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରିତାପର ବିଷୟ ସମସ୍ତ ଅଭିଯୋଗ ପାଇଲା ପରେ ମଧ୍ୟ ପ୍ରଶାସନ ଏଦିଗରେ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ବରଂ ପ୍ରଚ୍ଛଦପଟ୍ଟରେ ମହାସଂଘର ସମସ୍ତ କାର୍ଯ୍ୟଧାରାକୁ ପ୍ରଶାସନ ପକ୍ଷରୁ ସମ୍ମତି ପ୍ରଦାନ କରାଯାଉଥିବା ଜଣାଯାଇଛି । ବିଶେଷକରି ମହିଳା ମହାସଂଘ ପରିଚାଳନା ଦାୟିତ୍ୱରେ ଥିବା ଓଡିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ଓ ବ୍ଲକ ସଂଯୋଜକ ବିଭିନ୍ନ ଅନିୟମିତତାକୁ ପ୍ରଶୟ ଦେଉଛନ୍ତି । ଯେଉଁଥିପାଇଁ ମହିଳା ମହାସଂଘ ଦୀର୍ଘଦିନ ହେବ ମନମାନୀ ଭାବେ କାର୍ଯ୍ୟ କରୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ସେଭଳି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉନାହିଁ । ପରିଶେଷରେ ଆଜି କେତେକ ଏସଏଚଜି ଗ୍ରୁପର ସଭାପତି ଓ ସଦସ୍ୟାମାନେ ବିଡିଓଙ୍କୁ ଭେଟିବାକୁ ଆସିଥିଲେ । ମା ତାରିଣୀ ଏସଏଚଜିର ସଭାନେତ୍ରୀ ସୁନିତା ଜେନା, ମା ମଙ୍ଗଳା ଏସଏଚଜିର ସଭାନେତ୍ରୀ ବିଣ୍ଣୁପ୍ରିୟା ଦାସ, ଜୟ ଜଗନ୍ନାଥ ଏସଏଚଜିର ସମ୍ପାଦିକା ବାସନ୍ତୀ ପରିଡା, ସାଇସ୍ୱରୂପା ଏସଏଚଜିର ସଭାନେତ୍ରୀ ଇତିଶ୍ରୀ ଦାସ, ସମ୍ପାଦିକା ଉର୍ମିଳା ପରିଡା ପ୍ରମୁଖ ଆଜି ବ୍ଲକକୁ ଆସି ବିଡିଓଙ୍କ ଅନୁପସ୍ଥିତିରେ ଓଡିଶା ଜୀବିକା ମିଶନ କାର୍ଯ୍ୟକର୍ତ୍ତାଙ୍କୁ ମହିଳା ମହାସଂଘ ଅନିୟମିତତା ଆବଦରେ ଅବଗତ କରିଛନ୍ତି । ଏହା ସତ୍ତ୍ୱେ ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତାହେଲେ ଆଗାମୀ ଦିନରେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ