ଶୁଭ ଶୁକ୍ରବାରରେ କ୍ରୁଶ ଶୋଭାଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) :-ପ୍ରଭୁ ଯୀଶୁଙ୍କ ବଳିଦାନ ଦିବସ ଭାବେ ସମଗ୍ର ବିଶ୍ୱରେ ପବିତ୍ର ଶୁକ୍ରବାର (ଗୁଡ ଫ୍ରାଇଡେ) ପାଳିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଛି । ଏନେଇ ସମାଳେ ବାଲେଶ୍ୱରର କ୍ୟାଥୋଲିକ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମୀ ଭାଇ-ଭଉଣୀମାନେ ପ୍ରଭୁ ଯୀଶୁଙ୍କୁ ଉଦ୍ଦେଶ୍ୟରେ ସାମୂହିକ ପ୍ରାର୍ଥନା କରିଥିଲେ । ଅପରାହ୍ନ ପ୍ରାୟ ୨ଟା ୩୦ ସମୟରେ ସହରର ଶ୍ରୀକଣ୍ଠପୁର କ୍ୟାଥୋଲିକ୍ ପଡ଼ାର ‘ଷ୍ଟାର କ୍ଲବ’ ନିକଟରୁ ପ୍ରଭୁଙ୍କର କ୍ରୁଶଯାତ୍ରା ବା ଯାତନାର ଯାତ୍ରା ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରା ସହର ପରିକ୍ରମା ସହ ସ୍ଥାନୀୟ ଚର୍ଚ୍ଚରେ ପହଞ୍ଚିଥିଲା । ମୌଳବାଦୀଙ୍କ ଦ୍ୱାରା ପ୍ରଭୁ ଯୀଶୁଙ୍କୁ ଦିଆଯାଇଥିବା ନିର୍ଯାତନାର ନିଦର୍ଶନ ପ୍ରତିକୃତି ସହର ରାସ୍ତାର ୧୪ ଗୋଟି ସ୍ଥାନରେ ସ୍ଥାପିତ ହୋଇଥିଲା । ଶୋଭାଯାତ୍ରା ପ୍ରତ୍ୟେକ ପ୍ରତିକୃତି ସ୍ଥଳରେ ଅଟକିବା ସହିତ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ଏହି ଯାତ୍ରା ଚର୍ଚ୍ଚରେ ପହଂଚିବା ପରେ ସେଠାରେ ଏକ ସାମୂହିକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ରୋମାନ କ୍ୟାଥୋଲିକ ଡାଇଓସିସର ମୁଖ୍ୟ ପ୍ରଶାସକ ଫାଦର ଆଇଜାକ, ଫାଦର ଯଦୁ ମାରାଣ୍ଡି ଓ ଫାଦର ରାୟ ପ୍ରମୁଖ ଏଥିରେ ଯୋଗଦେଇ ମାନବ ସମାଜର ଉଦ୍ଧାର ପାଇଁ ପ୍ରଭୁ ଯୀଶୁ ଯାତନା ସହିବାକୁ ପଛାଇ ନଥିଲେ ବୋଲି କହିଥିଲେ । ପ୍ରେମ, ଶାନ୍ତି ଓ ଏକତା ପାଇଁ ଯେ ଯାତନା ସହିବାକୁ ପଡ଼େ, ପ୍ରଭୁ ଯୀଶୁ ୨ ହଜାର ବର୍ଷ ପୂର୍ବରୁ ସମଗ୍ର ମାନବ ସମାଜକୁ ଏହି ବାର୍ତ୍ତା ଦେଇଥିଲେ ବୋଲି ସେମାନେ ବକ୍ତବ୍ୟରେ କହିଥିଲେ । ପୁଣ୍ୟ ଶୁକ୍ରବାରର ୪୦ ଦିନ ପୂର୍ବରୁ ଖ୍ରଷ୍ଟଧର୍ମୀ ଭାଇଭଉଣୀମାନେ ପବିତ୍ର ଶୁକ୍ରବାର ଉଦ୍ଦେଶ୍ୟରେ ଉପବାସ ବ୍ରତ ଆରମ୍ଭ କରିବା ସହିତ ପ୍ରଥମ ବୁଧବାର ଦିନରୁ ପ୍ରଭୁଙ୍କ କ୍ରୁଶବିଦ୍ଧ ଯନ୍ତ୍ରଣା ଅନୁଭବ କରିଥା’ନ୍ତି । ଏହି ଉପବାସର ପରିସମାପ୍ତି ୪୦ ଦିନର ଶେଷ ଶୁକ୍ରବାର ଦିନ ଘଟିଥାଏ । ତେବେ ପୁଣ୍ୟ ଶୁକ୍ରବାରର ପରଦିନ ଅର୍ଥାତ ଶନିବାର ରାତିରେ ପ୍ରଭୁଙ୍କର ପୁନଃରତ୍ଥାନକୁ ସଭିଙ୍କର ଅପେକ୍ଷା ଥାଏ ସେମାନେ ପ୍ରକାଶ କରିଥିଲେ । କ୍ୟାଥୋଲିକ ଚର୍ଚ୍ଚର ଫାଦର ଓ ସିଷ୍ଟରମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶ୍ରୀକଣ୍ଠପୁରର ଯୁବକ ଯୁବତୀମାନେ ଏହି ପୁଣ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ