ଶୂନ୍ଯବ୍ରହ୍ମ ଶରଣଂ
ଶରଣ ରକ୍ଷଣ ଗୁରୁ
ମହିମା ଅଲେଖ,
ବିଶ୍ବ ବ୍ରହ୍ମାଣ୍ଡ ମଙ୍ଗଳ
ଶୂନ୍ଯବ୍ରହ୍ମ ରଖ ।
ଫଳ ମୂଳ ନଭୁଞ୍ଜୁଛ
ଭୁଞ୍ଜାଅ ମାନବେ,
ବୃକ୍ଷ ବଳ୍କଳ ପିନ୍ଧିଛ
ବସ୍ତ୍ର ଦେଇ ସର୍ବେ ।
ସକଳେ ଦେଇଛ ବାସ
ଶୂନ୍ଯେ ବାସ କରି,
ଜନ୍ମ ମୃତ୍ୟୁ ବନ୍ଧେ ଛନ୍ଦି
ଉର୍ଦ୍ଧରେ ବିହରି ।
ଆସନେ ସର୍ବେ ବସାଇ
ଶୂନ୍ଯରେ ବସିଛ,
ମନ୍ଦିର ତୋଳାଇ ଶୂନ୍ଯ
ମନ୍ଦିର କରିଛ ।
ନିରାକାର ନିରିବେଦ
ନିଅଇଁଠା ପଦ,
ନିଶବଦ ଶୂନ୍ଯବ୍ରହ୍ମ
ଅନୁଭବେ ସ୍ବାଦ ।
ଅରୂପ ବୋଲାଇ ରୂପ
ମଧ୍ୟେ ବିହରୁଛ,
ରୂପେ ସକଳ ସୌନ୍ଦର୍ଯ୍ୟ
ତୁମେ ହିଁ ଭରିଛ ।
ରୂପରୁ ଅରୂପ ଗଲେ
ସଂପର୍କ ହିଁ ଶୂନ୍ଯ,
ଏ ଶରୀର ଅବଶେଷେ
ପଞ୍ଚଭୂତେ ଲୀନ ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ