ଶୂନ୍ଯ ପୁରୁଷ

ଶରଣ ଦିଅ ହେ ତୁମ ଚରଣ ତଳେ
କର ଯୋଡି ଭିକ୍ଷାକରେ ପଦ୍ମ ପୟରେ ।
ପ୍ରଭୁ ଶୂନ୍ଯ ମନ୍ଦିରେ ।ଘୋଷା।।

ଚତୁର୍ଦିଗ ଭ୍ରମି ଭ୍ରମି ଜନମ ଦିନୁ
କେଉଁଠାବେ ନଭେଟୁଛି ତୁମ ଶ୍ରୀତନୁ,
ଆଜି ବୁଝୁଅଛି ଶୂନ୍ଯରେ ନିବାସ
ଆଶା ଶୂନ୍ଯେ ଭେଟ ଏ ଭାଗ୍ଯେ ଥରେ ।
ପ୍ରଭୁ ଶୂନ୍ଯ ମନ୍ଦିରେ ।।

ଯୋନି ଜନ୍ମେ ଜାତ କଲ ସାରା ଜଗତ
ଅଯୋନି ସମ୍ଭୂତ ତୁମେ ବଡ ବିଚିତ୍ର,
ମାୟା ମୋହ ଭ୍ରମେ ଭ୍ରମାଇ ଭ୍ରମାଇ
କି ସୁଖ ପାଉଛ ଏ ଜଗତରେ ।
ପ୍ରଭୁ ଶୂନ୍ଯ ମନ୍ଦିରେ ।

କ୍ଷୁଧା ତୃଷ୍ଣା ନିଦ୍ରା ଭରି ସକଳ ଦେହେ
ଅନ୍ନ ଜଳ ନ ଛୁଉଁଛ ଜଗତ କହେ,
କ୍ଷୁଧା ତୃଷ୍ଣା ନିଦ୍ରା ନାହିଁ ହାଇ ଛାଇ
ଆହାର ବିହାର ଶୂନ୍ଯ ଶୂନ୍ଯରେ ।
ପ୍ରଭୁ ଶୂନ୍ଯ ମନ୍ଦିରେ ।

ଭଜି ଭଜି ଜପି ଜପି ଆୟୁଷ ଶେଷ
ବାକି ଅଛି ଟିକେ ମୋର ଶେଷ ନିଃଶ୍ବାସ,
ବିଶ୍ବାସ ନିଶ୍ବାସ ଯାଉଛି ଆସୁଛି
ଦର୍ଶନ ଦିଅ ଶୂନ୍ଯ ରାହାସେ ବାରେ ।
ପ୍ରଭୁ ଶୂନ୍ଯ ମନ୍ଦିରେ ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ