ଶେଷଗତି

ଜୀଵନସାରା ଆରାମ କଣ ଜାଣିନଥିବା ମିନତିଦେବୀଙ୍କୁ ଆଜି ଏକ ଶେଷ ଆରାମ ଜୀଵନ ମିଳିଯାଇଛି. ଖଟ, ଗଦି,ସଫା ବେଡ଼ସିଟ ଓ ପ୍ରତିଦୁଇଦିନରେ ବେଡ଼ସିଟ ବଦଳା ଯାଉଛି. ହାତ ପାଖରେ ଗୋଟେ ଟେବୁଲ ଓ ଟେବୁଲ ଉପରେ ଯାବତୀୟ ଅତ୍ୟାବଶ୍ୟକୀୟ ଜିନିଷ ପତ୍ର. ଯେତେବେଳେ ଯାହା ଦରକାର କଲିଂ ବେଲ ଚିପିଲେ ଆୟା ଆସି ପହଞ୍ଚି କଣ ଦରକାର ବୁଝିନେଇ ଆଣିଦେଉଛି. ଏତେ ସୁଖ ଶେଷ ବେଳକୁ ଥିଲା ବୋଲି ପାଖ ପାଖ ଖଟରେ ପଡି କେହି ବୁଢା ବୁଢ଼ୀ କହୁଥିବାର ଶୁଣିଲେ ମିନତିଙ୍କ ଆଖି ଓଦା ହୁଏ. ତାଙ୍କର ମନେପଡେ ତାଙ୍କ ଶାଶୁଙ୍କ ଶେଷ ଆରାମ କାଳରେ କନ୍ଥା ପକାଇ ତଳେ ଶୋଇ ଶୂନ୍ୟକୁ ଚାହିଁ ଇଶ୍ୱରଙ୍କୁ ପ୍ରାର୍ଥନା କରୁଥିବା ଅବସ୍ଥାରେ ଏଇ ହାତରେ କେତେ ସେବା ଯତ୍ନ କରିଛନ୍ତି ସେ ହେଲେ ଆଜି ତାଙ୍କୁ ଶେଷ ଆରାମ ଘରେ ପୁଅ ବୋହୁ ନାତି ନାତୁଣୀଙ୍କ ସଙ୍ଗେ ନୁହଁ ବରଂ ଅନାଥାଶ୍ରମର ତୁଳିତଳ୍ପ ଶଯ୍ୟାରେ ବିତେଇବାକୁ ପଡୁଛି.ଝିଅ ବୁଝେଇ ଦେଇ ଯାଇଛି ଦେଖ ବୋଉ ଘରେ ଥିଲେ ତୋ କାମ କିଏ କରନ୍ତା କହିଲୁ. ଭାଇ ଭାଉଜ ତ ଚାକିରିଆ. ତାଙ୍କ ପିଲାଙ୍କର ମଧ୍ୟ ସେମାନେ ନିଜେ ଦାଇତ୍ୱ ନେଇ ପାରୁନାହାଁନ୍ତି ଯେ ଜଣେ ଲୋକ ନିଯୁକ୍ତ କରିଛନ୍ତି. ପିଲାଙ୍କର ଦେଖାଶୁଣା ଠିକ ଠାକ ନହୋଇ ପାରିଲେ ତୁ ସେ ଆୟା ଉପରେ ବିରକ୍ତ ହେଉ ଯେ ଥରକୁ ଥର ଦୁଇଜଣ ଛାଡି ଗଲାପରେ ଏବେ କେତେ କଷ୍ଟରେ ଆଉ ଜଣେ ଆସିଛି. ତୁ ନିଜେ କରିପାରିବୁନି କିନ୍ତୁ ଅନ୍ୟ ଜଣେ କେମିତି କରୁଛି ତା ସ୍ବାଧୀନତା ଉପରେ ହସ୍ତକ୍ଷେପ କଲେ ସେ କଣ ସମ୍ଭାଳିବ? ତାପରେ ତୋ ଦେହ ଭଲ ରହୁନି. ଗୋଡ଼ ଚିପି ଚିପି ଚାଲୁ ଚାଲୁ ଯଦି ପଡିଯାଉ ତେବେ କିଏ କରିବ କହିଲୁ? ଏଠି ଏତେ ଲୋକ ଖୁସିରେ ଅଛନ୍ତି ତୁ ମନଦୁଃଖ କରନା ତା ଛଡା ପ୍ରତି ଶନିବାର ଓ ରବିବାର ତ ଭାଇର ମୋର ଆସି ତୋ ଭଲମନ୍ଦ ବୁଝି ଯାଉଛୁ. ଭାଇ ତୋ ପେନସନ ଟଙ୍କା ବାଦ ପୁଣି ଅଧିକା ଟଙ୍କା ଦେଇ ତୋ ପାଇଁ ଅନ୍ୟାନ୍ୟ ସୁବିଧା କରିଦେଇଛି ଯେମିତିକି ତୁ ସବୁଦିନ ଗୀତା ଭାଗବତ ଅଧ୍ୟାୟ ଲେଖାଏଁ ଶୁଣିପାରିବୁ. ବାପାଙ୍କ ସାଙ୍ଗରେ ରହି ଦେଶ ବିଦେଶର ଖବର ଜାଣିବାରେ ଅଭ୍ୟସ୍ତ ବୋଲି ରେଡ଼ିଓ ଶୁଣିପାରିବୁ କହି ଝିଅ ତାଙ୍କର ବହେ ଘଷା ମୋଡା କରିଦେଇ ଯାଏ. ଆଖିରୁ ଦୁଇଧାର ଲୁହ ଗଡିଆସୁଥାଏ ତ ଝିଅ କହେ କାନ୍ଦନା ବୋଉ ସବୁ ମଣିଷର ଏଇ ଅବସ୍ଥା ଆସେ. ଭାବିଲୁ ଆମ କଥା. ଆମ ସମୟରେ ଆମର କିଏ କରିବ?ତୁନି ପଡନ୍ତି ମିନତି ଡାକୁଥାଆନ୍ତି ପ୍ରଭୁ ହେ ମୋ ପିଲାମାନଙ୍କୁ ଘଣ୍ଟ ଘୋଡେଇ ରଖ.
ଝିଅ ସ୍ୱାତୀ ତା ଘରକୁ ଚାଲିଗଲା ପରେ ବୃଦ୍ଧାଶ୍ରମରେ ରହି କେତେ କଥା ଭାବନ୍ତି ମାଆ ମିନତି. ତାଙ୍କ ସମୟରେ ସ୍ତ୍ରୀ ଲୋକମାନେ ଚାକିରୀ କରୁନଥିଲେ ତେଣୁ ଘରେ ରହି ସନ୍ତାନ ଲାଳନ ପାଳନ କରିବା ସହ ବୃଦ୍ଧ ପିତା ମାତାଙ୍କ ଯତ୍ନ ନେଉଥିଲେ. ଆଜିକାଲି ଘରର ଆର୍ଥିକ ଅବସ୍ଥାର ଉର୍ନ୍ନତି ପାଇଁ ଦୁଇଜଣ ଚାକିରିଆ ହେବା ନିହାତି ଜରୁରୀ କାରଣ ଯେତେସବୁ ଆଧୁନିକ ଉପକରଣର ଉଦ୍ଭାବନ ହେଉଛି ତାହାର ଉପଯୋଗ କରିବାକୁ ଓ ଇଣ୍ଟରନେଟ ଯୁଗରେ ହାତପାଆନ୍ତାରେ ସବୁ ପାଇବାକୁ କିଏ ବା ନଚାହିଁବ? ମିନତି ସବୁ ବୁଝୁଥିଲେ ମଧ୍ୟ ତାଙ୍କର ମନେପଡେ ତାଙ୍କ ବୋହୁ ବେଳ କଥା. ନିଜ ହାତରେ ସମସ୍ତଙ୍କ ପସନ୍ଦର ଛଅ ତୁଣ ନଅ ଭଜା କରିବାରେ କି ଆନନ୍ଦ ତାଙ୍କର!ଶାଶୁ ଶଶୁରଙ୍କ ମନବୁଝି ପିତାଶାଗ, ଖୁଦପିତା, ଆମ୍ବିଳ, ରାଇ, ପଣସକଠାକୁ ପିଠାଉ ଦେଇ ଭଜା, ଲିମ୍ବ କଢର ପ୍ରସ୍ତୁତିକରଣ କେତେ ଭଲ ଥିଲା ସେତେବେଳେ! ଆଜିକାଲି ଏ କକଲେଟ, ପିଜା, ବର୍ଗର, ମୋମୋ ଖାଇ ଖାଲି ରୋଗ. ଝିଅ ବୁଝାଇଦିଏ କୋଉ ଯୁଗରେ ରୋଗ ନଥିଲା କହିଲୁ ବୋଉ? ସେତେବେଳେ ମଣିଷକୁ ଚାଳିଶ କି ପଚାଶ ହେଲାବେଳକୁ ମରିଶୋଉଥିଲେ ମଶାଣୀରେ ଅଜଣା ରୋଗର ଶୀକାର ହୋଇ. ଆଜିକାଲି ଆକ୍ୱାଗାର୍ଡ଼ରୁ ଭଲ ପାଣି ପିଇ ଏସିରେ ଶୋଇ ଲୋକଙ୍କ ଜୀଵନକାଳ ବୃଦ୍ଧି ପାଇଛି ନା ନାହିଁ?ରୋଗ ସେତେବେଳେ ଥିଲା ଏବେବି ଅଛି. ସେତେବେଳେ ଲୋକ ମରୁଥିଲା ବିନା ଉପଚାରରେ ଏବେ ହସ୍ପିଟାଲ ଦଉଡିବାକୁ ଜନବଳ, ମନୋବଳ ତଥା ଅର୍ଥବଳ ଦରକାର ହେଉଛି. ଖାଲି ଯାହା ଯିଏ ଯେମିତି ବଢିଆସିଛି ସିଏ ସେଇ କଥା ଖୋଜୁଛି. ସମୟ ସୁଅରେ କେତେ ଯେ ବୈପ୍ଲବିକ ପରିବର୍ତ୍ତନ ଆସିଲାଣି ବୁଝିପାରୁନି ମଣିଷ ଯଦିଓ ବୁଝୁଛି ତାର ସୁଫଳ ନେଇପାରୁନି. ଚୁପ ହୋଇଯାଆନ୍ତି ମିନତି. ଏଇ ସମୟରେ ଆଉ ଜଣେ ବୃଦ୍ଧା ସେହି ରୁମରେ ସ୍ଥାୟୀ ହୋଇ ରହିବାକୁ ଆସିଲେ. ସେ ନୂଆଥିଲେ. ସମାଜରେ ଖୁବ ନାମ କମେଇବା ସହ ଖୁବ ରୋଗଗାର କରୁଥିଲେ ଓ ଅୟସ ଆରାମରେ ଚାକର ବାକର ପୂଜାରୀ ନିଯୁକ୍ତି ଦେଇ ସେବା ପୂଜା ପାଉଥିଲେ ତ ବୃଦ୍ଧାଙ୍କର ନିଜର ବୋଲି ପୁଅ ଝିଅ ନଥିଲେ କାରଣ ସେ ବିବାହ ବନ୍ଧନରେ ଆବଦ୍ଧ ନଥିଲେ ଜୀଵନକାଳରେ.ଏଠି ଏତେ ଅୟସ ଆରାମ ପାଉଥିଲେ ମଧ୍ୟ ଜୀବନର ଏଇ ଶେଷ ଆରାମର ସଂଜ୍ଞା ତାଙ୍କ ପାଇଁ ଖୁବ ଦୁଃଖଦ ଥିଲା. ସବୁରି ପାଇଁ ଦୁଃଖ ଆସେ କିନ୍ତୁ ଦୁଃଖର ଅନୁଶୀଳନ ଓ ଅନୁଭବର ଭିର୍ନ୍ନତା ଦେଖୁ ଦେଖୁ ମିନତିଙ୍କର ବାର୍ଦ୍ଧକ୍ୟ ରୋଗ ଦ୍ବିଗୁଣା ହେଉଥିଲା. ଔଷଧ ପତ୍ର, ଦି ଓଳି ଘସାମୋଡା ସବୁ ଥିଲେ ମଧ୍ୟ ସେ ଖୋଜୁଥିଲେ ତାଙ୍କ ଘରର ଖୋଲା ଅଗଣାରେ ବସି ଗଛ ଡ଼ାଳରେ ଥିବା ପକ୍ଷୀ ଦେଖନ୍ତେ, ଋତୁ ଅନୁଯାଇ ବଦଳୁଥିବା ଆକାଶର ରଙ୍ଗରେ ରଙ୍ଗୀନ ହୋଇ ନାତି ନାତୁଣୀଙ୍କ ପ୍ରଜାପତି ଧରୁଥିବା ଦୃଶ୍ୟରେ ଆମୋଦିତ ହୁଅନ୍ତେ କିନ୍ତୁ ହାଏ ସେତ ଆଉ ଚାଲି ପାରୁନାହାଁନ୍ତି, ନିଜ କାମ ନିଜେ କରିପାରୁନାହାଁନ୍ତି. ଘରେ କିଏ କରନ୍ତା ତାଙ୍କ କାମ?
ଏହି ଭିତରେ ସେହି ବୃଦ୍ଧା ସବୁବେଳେ ନିଜ ଜୀବନର ଶେଷ ପର୍ଯ୍ୟାୟକୁ ବିସ୍ଲେସଣ କରି କହୁଥିଲେ ଏତେ ସବୁ ସୌଭାଗ୍ୟ ପାଇ ସାରି ଶେଷ ଜୀବନକୁ ଏତେ ଦୁଃଖ ଥିଲା!ଏଇ ସାଧାରଣ ଶେଜ, ସ୍ୱାଦ ବିହୀନ ଖାଦ୍ୟ, ମଉଜମଜଲିସ ପରିବର୍ତ୍ତେ ସମୂହ ଭଜନ କୀର୍ତ୍ତନ!ପ୍ରଭୁ ଏପରି କଷ୍ଟକର ଜୀବନରୁ ମତେ ମୁକ୍ତି ଦିଅ ପ୍ରଭୁ. ସତକୁ ସତ ସେ ଚାଲିଗଲେ. ମିନତି କାନ୍ଦିପକେଇଥିଲେ ତ ଝିଅ ସ୍ୱାତୀ କହିଲା ଦେଖିଲୁ ବୋଉ ଜୀବନର ଶେଷ ଆରାମକୁ କିଏ କୋଉ ଭଳି ଦେଖୁଛି ଓ ପାଉଛି. ମିନତି ଠାକୁରଙ୍କୁ ମୁଣ୍ଡିଆ ମାରି କେବଳ କହୁଥିଲେ ମୋ ସନ୍ତାନମାନଙ୍କର ମଙ୍ଗଳ କର ପ୍ରଭୁ.ଏଣିକି ବାର୍ଦ୍ଧକ୍ୟ କବଳିତ କରୁଥିଲା ମିନତିଙ୍କୁ. ଆଉ କାନକୁ ଶୁଭୁନଥିଲା କି ଆଖିକୁ ଦେଖାଯାଉନଥିଲା. ପରିଚାରିକା ଓ ଆୟାମାନଙ୍କ ଡାକରେ ଉଠୁନଥିବା ମିନତି ପୁଅ ଝିଅଙ୍କ ଡାକରେ ଧଡ଼ପଡ଼ ହୋଇ ଉଠିବସି ପଚାରନ୍ତି ଖାଇଛଟି ଧନ ? ଭାଇ ଭଉଣୀ କହନ୍ତି ହଁ ମା ଆମେ ଖାଇଛୁ ତୁ ଉଠ ଖାଇବୁ. ମିନତିଙ୍କ ଆଖିରୁ ଗଡି ଯାଉଥାଏ ଅଶ୍ରୁଧାର ଡାକୁଥାଆନ୍ତି ପ୍ରଭୁହେ ଶ୍ରୀକ୍ଷେତ୍ର କ୍ଷେତ୍ରପତି ଶ୍ରୀଜଗନ୍ନାଥ ମୋ ପୁଅ ଝିଅଙ୍କୁ ଆୟୁଷ ଆଶିଷ ସହ ନିରୋଗ ରଖ.ଏବେ ମାଆ ଅବସ୍ଥା ସାଙ୍ଘାତିକ ଥିଲା. ଘରକୁ ଥରେ ନେଇ ବୁଲେଇ ଆଣିବାର ଅବସ୍ଥା ନଥିଲା. ପୁଅ ଝିଅଙ୍କୁ ଦେଖିଲେ କେବଳ କାନ୍ଦୁଥିଲା. ବୋହୁ ଜୋଇଁ ଓ ନାତି ନାତୁଣୀ ଆସିଲେ ତାଙ୍କୁ ଅପଲକ ନୟନରେ ଚାହିଁ ରହୁଥିଲା. ପାଟି ମଧ୍ୟ ଏ ଭିତରେ ପଡିଯାଇଥିଲା ମାଆର.
ସେଦିନ ରବିବାର ପରିବର୍ତ୍ତେ ଝିଅ ସ୍ୱାତୀ ଆସି ବୁଧବାର ପହଞ୍ଚିଥିଲା ବୋଉ ପାଖରେ କାରଣ ଏଣିକି ସେ ସପ୍ତାହର ସାତଦିନ ମାଆ ପାଖକୁ ଆସିବ ବୋଲି ନିଷ୍ପତ୍ତି ନେଇସାରିଥିଲା. ଘରେ ନିଜ ଶାଶୁ ଶଶୁରଙ୍କ ସେବା ଯତ୍ନ ଭିତରେ ସେ ମାଆ ପାଇଁ ସମୟ କାଢି ଆସିଥିଲା କାରଣ ଦିନକୁ ଦିନ ମାଆର ମାନସିକ ଓ ଶାରୀରିକ ଅବସ୍ଥା ଭଲ ରହୁନଥିଲା ବେଳେ ଭାଇର ବଦଳି ହୋଇଯାଇଥିଲା.ଭାଉଜଙ୍କର ମଧ୍ୟ ବଦଳି ହୋଇ ଭାଇ ଭାଉଜ ଅଲଗା ରହିବା ଦ୍ୱାରା ପିଲାଦୁହେଁ କେଉଁଠି ପଢିବେ ଚିନ୍ତାରେ ବ୍ୟସ୍ତ ଥିଲେ ସେମାନେ . ଏଣିକି ଝିଅ ସ୍ୱାତୀ ଭାବୁଥିଲା ପ୍ରକୃତରେ ଚାକିରିଆ ବୋହୁ କରିବା କେତେ ଦୂର ଉଚିତ?ସେ ଚାକିରୀ କରିନାହିଁ ବୋଲି ଶାଶୁ ଶଶୁରଙ୍କ ସେବା ଯତ୍ନ ନେଇପାରୁଛି ସତ ହେଲେ ପିଲା ଦୁହିଁଙ୍କୁ ବଡ଼ ଇଂରାଜି ମାଧ୍ୟମ ସ୍କୁଲରେ ପଢ଼ାଇବାକୁ ମନ କରି ଅସଫଳ ହୋଇ ଓଡ଼ିଆ ସ୍କୁଲରେ ପାଠ ପଢ଼ାଉଛି. ତାର ସ୍ୱାମୀଙ୍କ ଗୋଟେ ରୋଜଗାର ଭିତରେ ସେ ପିଲାଙ୍କ ପାଇଁ ଏତେ ଡୋନେଶନ ଦେଇ ପାଠ ପଢ଼େଇ ପାରିନି ବୋଲି ମନଦୁଃଖ କଲା ବେଳେ ତା ପିଲାଦୁହେଁ ଗାଁ ସରକାରୀ ସ୍କୁଲରେ ପାଠ ପଢି ଖୁବ ଭଲ ନମ୍ବର ରଖି ଆଗପଛ ହୋଇ ମାଟ୍ରିକ ପରୀକ୍ଷାରେ ଦଶ ଜଣଙ୍କ ଭିତରେ ଅଛନ୍ତି ବୋଲି ତା ଶୁନ୍ୟ ହୃଦୟ ପୂର୍ଣ୍ଣ ହୋଇଯିବା ବେଳେ ଭାଇର ପିଲାମାନେ ସବୁ ସୁବିଧା ପାଇ ଆଗକୁ ବଢିପାରୁନଥିବା କାରଣ ବୋଧହୁଏ ଭାଉଜଙ୍କ ଚାକିରୀ ବୋଲି ଏଣିକି ମନେ ହୁଏ ସ୍ୱାତୀର.ହେଲେ ମଧ୍ୟ ସେ ସେକଥା କେବେ ପ୍ରକାଶ କରେନି କିନ୍ତୁ ବୋଉର ଦୁଃଖ ଦେଖି ହେଉନି. ଏମିତି ଭାବୁ ଭାବୁ ସେ ପହଞ୍ଚି ଯାଇଥିଲା ଆଶ୍ରମରେ. କିନ୍ତୁ ଯାହା ଦେଖିଲା ସ୍ତମ୍ବିଭୂତ ହୋଇପଡ଼ିଲା. ଆୟା ବୋଉକୁ ଘୋଷାଡି ନେଉଥିଲା ତଳକୁ. ଖଟରୁ ବେଡ଼ସିଟ ବଦଳାଇ ପୁଣି ଘୋଷାଡି ଶୁଆଇ ଦେଲାବେଳେ ଯନ୍ତ୍ରଣାରେ ବୋଉ ମୁହଁ ଭାରି କଷ୍ଟ ପାଇବା ପରି ପ୍ରତେୟମାନ ହେଉଥିଲା. ଚାହୁଁ ଚାହୁଁ ବୋଉ ତଳକୁ ଖସିପଡିବାରୁ ଆୟା କହୁଥିଲା ମରୁନି ବୁଢ଼ୀଟା ଯାହା ଦରମା ଗଣ୍ଡାକ ପାଇବା ପାଇଁ ଏମାନଙ୍କ ଯୋଗୁଁ ହଇରାଣ ହେଉଛି ମଣିଷ. ସେ ଏସବୁ କହିବା ପୂର୍ବରୁ ବୋଉକୁ ଧରିନେଇଥିଲା ଝିଅ ସ୍ୱାତୀ କିନ୍ତୁ ଡାକୁଥିଲା ପ୍ରଭୁହେ ମୋ ବୋଉକୁ ସତରେ ନେଇଯାଅ. ତା କଷ୍ଟ ଆଉ ସହି ହେଉନି.ତା ପରଦିନ ରଥଯାତ୍ରା ଥିଲା. ଶାଶୁ ଶଶୁରଙ୍କ ସେବା ଯତ୍ନ ସହ ତାଙ୍କୁ ଟିଭିରେ ରଥଯାତ୍ରାର ଧାରାବିବରଣୀ ଦେଖିବା ଶୁଣିବାରେ ସାହାୟକ ହେଉ ହେଉ ପ୍ରବଳ ବର୍ଷା ହେଉଥିଲା ତ ସ୍ୱାତୀର ବୋଉ ପାଖକୁ ଯିବା ବିଳମ୍ବ ହୋଇଯାଇଥିଲା. ଠିକ ଯିବାକୁ ବାହାରିବା ପୂର୍ବରୁ ବୋଉ ଚାଲିଯିବା ଖବର ପାଇଥିଲା ସ୍ୱାତୀ. ବୋଉର ଦଶାହକାମ ବେଳେ ଭାଇ କହୁଥିଲା ତୋ ଶାଶୁ ଶଶୁର ବୋଉଠୁ ବହୁତ ବଡ଼ ନା ସ୍ୱାତୀ?ସ୍ୱାତୀର କିନ୍ତୁ ବୋଉର ଶେଷ ସେଇ କେଇପଦ କଥା ମୋ ପିଲାଙ୍କୁ ବାର୍ଦ୍ଧକ୍ୟ ଦେଵନାହିଁ ପ୍ରଭୁ ଅନେଶତ ବର୍ଷ ଯାଏଁ ହାତ ଗୋଡ଼ ଚଳାଇ ରଖିବ ତାଙ୍କର ହେ ପ୍ରଭୁ କହି ମୁଣ୍ଡିଆ ମାରିବା ଦୃଶ୍ୟ ସହ କଥା ପ୍ରତିଧ୍ୱନିତ ହେଉଥିଲା ଆଖି କାନରେ. ଆଖିରୁ ଅଶ୍ରୁ ନିଗିଡି କାନରେ ପଶୁଥିଲା ତ ଭାଇର ଉତ୍ତର ଦେଇପାରନଥିଲା ସ୍ୱାତୀ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ