ଶେଷଦେବଙ୍କ ନ୍ୟାୟ ଯାତ୍ରା ୧୯ ଦିନରେଅତ୍ୟାଚାରୀ ଶାସନ ବ୍ୟବସ୍ଥାକୁ ଶାଣିତ ସମାଲୋଚନା
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଓଡ଼ଗାଁ ରଘୁନାଥଙ୍କ ପୀଠରୁ ଚାଷୀ ପେନସନ୍ ୫୦୦୦ଟଙ୍କା, ବୁଢ଼ା ବୁଢୀଙ୍କ ବାର୍ଦ୍ଧକ୍ୟ ଭତ୍ତା ୧୫୦୦ ଟଙ୍କା ଓ ଧାନ କ୍ୱିଣ୍ଟାଲ୍ ୨୯୩୦ କରିବା ଦାବିରେ ଆରମ୍ଭ ହୋଇଥିବା ନ୍ୟାୟଯାତ୍ରା ଆଜି ଖଣ୍ଡପଡ଼ା ବ୍ଲକ ପରିକ୍ରମା ସାରି ଭାପୁରରେ ପହଞ୍ôଚଛି । ଆଜି ଭାପୁରର ଧାନଚିଙ୍ଗଡ଼ା ଓ ପଥର ଚକଡ଼ା ଅଞ୍ଚଳରେ ପଦଯାତ୍ରୀ ଦଳଙ୍କୁ ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ । ଗ୍ରାମବାସୀଙ୍କୁ ସମ୍ବର୍ଦ୍ଧିତ କରି ଶ୍ରୀ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସ୍ୱାଧୀନତାର ସାତ ଦଶନ୍ଧି ଯାଏ ସମ୍ବିଧାନ ଓ ଗଣତନ୍ତ୍ର ବାହାନାରେ ରାଜ୍ୟ ସରକାରମାନେ ସତୁରୀଭାଗ ଚାଷୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଛନ୍ତି । ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ୍ ଲାଗୁ କଲାବେଳକୁ ଗୋଟିଏ ଆଇନ୍ ହେଲାବେଳେ ଚାଷୀଙ୍କ ଉତ୍ପାଦିଦ ଦ୍ରବ୍ୟ ହାସଲ ବେଳକୁ ଆଉ ଗୋଟିଏ ନିୟମ ଲାଗୁ ହେଉଛି । ସବୁଠାରୁ ଦୁଃଖର କଥା ହେଉଛି ନିୟମ ପ୍ରଣୟନକାରୀ ଓ ପାଳନକାରୀମାନେ ଆଇନକୁ ଭାଙ୍ଗି ଦେଉଛନ୍ତି । ସପ୍ତମ ବେତନ କମିଶନ ଓ ଚାଷୀମାନଙ୍କ ପାଇଁ କରାଯାଇଥିବା ସ୍ୱାମୀନାଥନ କମିଟି ସୁପାରିଶ କାର୍ଯ୍ୟରୁ ଜଣାପଡ଼ିଲା ଯେ କୋର୍ଟ କଚେରୀ, ବିଧାନସଭା ଲୋକସଭା ଚାଷୀଙ୍କ ସପକ୍ଷରେ କେହି ନାହାନ୍ତି । ଗୋଟିଏ କୃଷିପ୍ରଧାନ ଦେଶରେ ଓ କୃଷିପ୍ରଧାନ ରାଜ୍ୟରେ ଦିନକୁ ଦିନ ଚାଷରେ କ୍ରମାଗତ କ୍ଷତି ସହି ତଳିତଳାନ୍ତ ହେଉଥିଲା ବେଳେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅବହେଳା କରାଯାଉଛି । ନ୍ୟାୟପାଳିକା, ବିଧାନସଭା, ଲୋକସଭା, ସମ୍ବିଧାନ ଚାଷୀର ସ୍ୱାର୍ଥରେ କେହି ଲାଗୁନାହାନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଚାଷୀମାନେ କେବଳ ସଂଗଠିତ ହୋଇ ସଶକ୍ତ କ୍ରିୟାଶୀଳ ସଂଘର୍ଷକୁ ନେଇ ଚାଷୀମାନେ ଏ ବ୍ୟବସ୍ଥା ଭିତରେ ସେମାନଙ୍କର ହକ୍ ଛଡାଇ ଆଣିପାରିବ ବୋଲି ଆୟୋଜିତ ଗ୍ରାମସଭାମାନଙ୍କରେ ଶ୍ରୀ ନନ୍ଦ ଚାଷୀମାନଙ୍କୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଜିଲ୍ଲା ସଂଯୋଜକ ମହେଶ୍ୱର ଜେନା ଓ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସୁରେନ୍ଦ୍ର ନାଥ ମହାରଣା, ସହ ସଂଯୋଜିକା ମମତା ନାଥ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଜଗନ୍ନାଥଙ୍କ ନାଁରେ ଗରିବ ଓଡ଼ିଆ ଚାଷୀଙ୍କୁ ଧୋକା ଦେବା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହ ସଂଯୋଜକ ପ୍ରସନ୍ନ ପ୍ରଧାନ, ଭାଗବତ ପରିଡା, ବାଉରିବନ୍ଧୁ ବେହେରା, ରୀନା ସ୍ୱାଇଁ, ତ୍ରିଲୋଚନ ଗୁରୁ, ସଂସାରୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଷ୍ଠାତା ସଦସ୍ୟ ଦେବୀ ପ୍ରସାଦ ମହାରଣାଙ୍କ ସଙ୍ଗୀତ ଗାଁ ଗାଁରେ ବେଶ୍ ଆଦୃତି ଲାଭ କରିଥିଲା । ଶ୍ରୀ ମହାରଣା ପଦଯାତ୍ରାରେ ଓ ସଂଗଠନରେ ଚାଷୀମାନେ ସାମିଲ୍ ହେଲେ ସେମାନଙ୍କର ଦାବି ହାସଲ ହୋଇପାରିବ ବୋଲି କହିଥିଲେ । ଏହି ପଦଯାତ୍ରା ଆସନ୍ତା ୧୨ ତାରିଖରେ ଖୋର୍ଦ୍ଧା ବୋଲଗଡ଼ରେ ପହଞ୍ôଚବ ।


