ଶେଷ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଭାରତ ଏବେ ବିକାଶ ପଥରେ ଅଗ୍ରସର
ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ଏନ୍ଡିଏ ସରକାରଙ୍କ ୫ବର୍ଷର କାର୍ଯ୍ୟକାଳ ଶେଷ ପର୍ଯ୍ୟାୟରେ ଉପନୀତ ହୋଇଛି । ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ଏବଂ କେନ୍ଦ୍ରରେ ନୂଆ ସରକାର ଗଠନ ହେବ । ତେବେ ଗତ ୫ବର୍ଷ ଧରି ପ୍ରଧାନମନ୍ତ୍ରୀ ଭାବେ ଦେଶ ଓ ଦେଶବାସୀଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ କୃତାର୍ଥ ମନେ କରୁଛି । ଆଗକୁ ଆହୁରି ବହୁତ କିଛି କରିବାକୁ, ଅନେକ ବାଟ ଯିବାକୁ ବାକି ରହିଛି । ଅବିଶ୍ରାନ୍ତ ଭାବେ ଆମ ସମସ୍ତଙ୍କୁ କାମ କରିବାକୁ ହେବ । ଚଳିତ ସରକାରଙ୍କ ପାଇଁ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଆଜି ଶେଷ ଅଧିବେଶନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବିଦାୟୀ ଅଭିଭାଷଣ ରଖିବା ପ୍ରସଙ୍ଗରେ ଏମିତି କିଛି ଅଭିବ୍ୟକ୍ତି ବଖାଣିଛନ୍ତି ।
ମୋଦିଙ୍କ କହିଛନ୍ତି, ୨ଠ୧୪ ସାଧାରଣ ନିର୍ବାଚନ ପରେ ୧୬ତମ ଲୋକସଭା ଅଧିବେଶନକୁ ପ୍ରଧାନମନ୍ତ୍ରୀ ଭାବେ ସମ୍ବୋଧନ କରିବାର ନିଆରା ଅନୁଭୂତି ସବୁବେଳେ ତାଙ୍କ ପାଇଁ ସ୍ୱତନ୍ତ୍ର ହୋଇରହିବ । କାରଣ ଏହାପୂର୍ବରୁ ସେ କେବେ ସଂସଦକୁ ଆସିବାର ସୌଭାଗ୍ୟ ପାଇନଥିଲେ । ସଂସଦକୁ ନିର୍ବାଚିତ ହୋଇ ଆସିଥିବା ଅନ୍ୟ ସାଂସଦଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ । ଏତେବଡ ଗୁରୁଦାୟିତ୍ୱକୁ ସୁଚାରୁରୂପେ ତୁଲାଇପାରିବା ନପାରିବା ନେଇ ତାଙ୍କ ମନରେ ଭୟ ଥିଲା । କିନ୍ତୁ ସମୟ କ୍ରମେ ସେସବୁ ଭୟ ଦୂରେଇ ଯାଇଥିଲା । ଦେଶବାସୀଙ୍କ ପାଇଁ କାମ କରିବାର ଉତ୍ସାହ ଓ ଆଗ୍ରହ ତାଙ୍କୁ ପ୍ରେରଣା ଦେଇଚାଲିଲା ଓ ସେ ଆଗେଇ ଚାଲିଲେ । ଗତ ୫ବର୍ଷ ମଧ୍ୟରେ ଦେଶକୁ ସର୍ବଶକ୍ତିଶାଳୀ କରିବା ଦିଗରେ ସେ ଓ ତାଙ୍କ ସରକାର ନିରବଚ୍ଛିନ୍ନ ଓ ଅବିଶ୍ରାନ୍ତ ଭାବେ କାମ କରିଛନ୍ତି, ଯାହାର ପରିଣାମ ଆଜି ଦେଶବାସୀ ନିଜ ହାତପାହାନ୍ତାରେ ପାଇପାରିଛନ୍ତି । ଚଳିତ ଲୋକସଭା ଅଧିବେଶନ ଅନ୍ୟ ଏକ କାରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ହୋଇପାରିଛି । କାରଣ ୨ଠ୧୪ ଲୋକସଭା ନିର୍ବାଚନରେ ସର୍ବାଧିକ ମହିଳା ନେତ୍ରୀ ସଂସଦକୁ ନିର୍ବାଚିତ ହୋଇଆସିଥିଲେ । ଭାରତ ଇତିହାସରେ ଏହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ଚିରକାଳ ରହିବ । ତେବେ ଆଗାମୀ ନିର୍ବାଚନରେ ମଧ୍ୟ ଏନ୍ଡିଏକୁ ପୂର୍ବ ନିର୍ବାଚନ ପରି ପୂର୍ଣ୍ଣ ଜନସମର୍ଥନ ମିଳିବ ଓ ୧୭ତମ ଲୋକସଭା ଅଧିବେଶନ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ, ଏ ଦୃଢ଼ବିଶ୍ୱାସ ତାଙ୍କର ରହିଛି ବୋଲି ମୋଦି କହିଛନ୍ତି । ଏହି ଅବସରରେ ତାଙ୍କ ସରକାର କରିଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ମୋଦି ଆଲୋକପାତ କରିଥିଲେ ଏବଂ ନିଜ ସହଯୋଗୀ ନେତା, ମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ।
ପରେ ମୋଦି, କଂଗ୍ରେସ ଅଧ୍ୟ ରାହୁଲ ଗାନ୍ଧିଙ୍କ ପ୍ରତି ଆକ୍ଷେପ କରି କହିଥିଲେ, ଗତ ୫ବର୍ଷ ମଧ୍ୟରେ ତାଙ୍କୁ ରାଜନୀତିରେ ବହୁତ କିଛି ଶିଖିବାକୁ ମିଳିଛି । ଆନ୍ତରିକତାର ସହ କରାଯାଉଥିବା ଆଲିଙ୍ଗନ ଓ ଆଲିଙ୍ଗନ ଆଳରେ ଉପରେ ପଡିବା ମଧ୍ୟରେ ଥିବା ବୃହତ୍ ପାର୍ଥକ୍ୟ ସମ୍ପର୍କରେ ସେ ବୁଝିପାରିଛନ୍ତି । ସଂସଦରେ କିପରି ଆଖିମିଟିକା ମାରିବାକୁ ହୁଏ ତାହା ମଧ୍ୟ ତାଙ୍କ ପାଇଁ ଏକ ଅଭିଜ୍ଞତା ହୋଇ ରହିବ । ୨ଠ୧୪ ନିର୍ବାଚନ ପରେ କୁହାଯାଉଥିଲା ଯେ, ଭୂକମ୍ପ ଆସିବ ଏବଂ ଏନ୍ଡିଏ ସରକାର ଦୋହଲିଯିବ । କିନ୍ତୁ ଏହି ୫ବର୍ଷ ମଧ୍ୟରେ କେବେ ଭୂକମ୍ପ ଆସିନାହିଁ । ଆଜି ଏନ୍ଡିଏ ସରକାର ନିଜ ପୂର୍ଣ୍ଣକାର୍ଯ୍ୟକାଳ ଆଜି ଶେଷ କରିବାକୁ ଯାଉଛନ୍ତି । ମୋଦିଙ୍କ କହିବାନୁସାରେ ଚଳିତ ସଂସଦୀୟ ଅଧିବେଶନରେ ବହୁତ କିଛି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଦେଶବାସୀଙ୍କ ପାଇଁ ବହୁତ କିଛି ଆଇନ ପ୍ରଣୟନ କରାଯାଇଛି ଓ କେତେକ ସଂଶୋଧନ ହୋଇଛି । ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ବିତର୍କ, ଆଲୋଚନା, ସମାଲୋଚନା, ଆରୋପ ପ୍ରତ୍ୟାରୋପ ହୋଇଛି । କିନ୍ତୁ ଏସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଗୃହ ନିଜ କାର୍ଯ୍ୟ କରିଚାଲିଥିଲା । ଲୋକସଭାର ୮ଟି ଅଧିବେଶନରେ ଶତପ୍ରତିଶତ କାମ ହୋଇଛି ଓ ସରକାର ନିଜ ଲକ୍ଷ୍ୟକୁ ପୂୁରା କରିପାରିଛନ୍ତି । ୫ବର୍ଷ ମଧ୍ୟରେ ଦେଶବାସୀଙ୍କୁ ଯାହା ମିଳିବା କଥା ତାହା ମିଳିପାରିଛି । ଦେଶର ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କ ପାଇଁ ବେଶ୍ ସନ୍ତୋଷଜନକ । ଏହି ଅବସରରେ ମୋଦି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖର୍ଗେଙ୍କୁ ପ୍ରଶଂସା କରିଥିଲେ । ବିରୋଧୀ ଦଳ ନେତା ଭାବେ ଖର୍ଗେ ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇଥିବାରୁ ମୋଦି ତାଙ୍କୁ ଧନ୍ୟବାଦ ଦେଇଥିଲେ ।