ଶେଷ ହେଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଇଭିଏମ୍ରେ ସିଲ୍ ହେଲା ହେଭିୱଟ୍ ନେତାଙ୍କ ଭାଗ୍ୟ ବ୍ରହ୍ମଗିରିରେ ସର୍ବାଧିକ ମତଦାନ

ପୁରୀ(ଜୁଗାବ୍ଦ ନ୍ୟୁଜ୍‍):ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରେ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନରେ ମଣ୍ଡଳୀରେ ମଧ୍ୟ ନିର୍ବାଚନ ଶେଷ ହୋଇଛି । ପୁରୀ ଲୋକସଭା ପାଇଁ ୮ ପ୍ରାର୍ଥୀ ଓ ଜିଲ୍ଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୨୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି । ଏବେ ଅପେକ୍ଷା ଆସନ୍ତା ମେ ୨୩ ତାରିଖ ଫଳାଫଳକୁ । ତେବେ ଭୋଟର ତାଙ୍କ ବହୁମୂଲ୍ୟ ମତଦାନ କରି ନୂତନ ରାଷ୍ଟ୍ର ଗଠନରେ ସହଯୋଗ କରିଛନ୍ତି । ପୂର୍ବ ନିର୍ବାଚନ ଠାରୁ ଚଳିତବର୍ଷ ଭୋଟର ସଂଖ୍ୟା ବୃଦ୍ଧି ପାଇଥିଲା ବେଳେ ମତଦାନର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଚଳିତ ନିର୍ବାଚନରେ ପୁରୀ ଲୋକସଭା ପାଇଁ ରାତି ୯ଟା ପର୍ଯ୍ୟନ୍ତ ୬୧.୧୫% ମତଦାନ ହାର ହୋଇଥିଲା ବେଳେ ପୁରୀ ସଦର ବିଧାନସଭା ପାଇଁ ୬୦.୫୫%, ସତ୍ୟବାଦୀ ବିଧାନସଭା ପାଇଁ ୬୭.୦୦%, ବ୍ରହ୍ମଗିରି ବିଧାନସଭା ପାଇଁ ୭୨.୦୦% ଓ ପିପିଲି ବିଧାନସଭା ପାଇଁ ୭୦.୦୦%ହାର ମତଦାନ ହୋଇଛି । ମୋଟାମୋଟି ଭାବେ ଲୋକସଭା ଓ ବିଧାନସଭା ପାଇଁ ଶତକଡା ୬୭.୨୪ ମତଦାନ ହୋଇଥିବା ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସୂଚନା ଦେଇଛନ୍ତି । ତେବେ କିଛି ଦିନ ହେଲା ଜିଲ୍ଲାରେ ଲାଗି ରହିଥିବା ନିର୍ବାଚନ ଉଷ୍ମତା ଆଜି ଶେଷ ହୋଇଛି । ଆଜି ହାତଗଣତି କେତୋଟି ବୁଥ୍ରେ ମତଦାନ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ପୁରୀ ଲୋକସଭା ପାଇଁ ମୋଟ୍ ୮ ପ୍ରାର୍ଥୀ ହୋଇଥିଲା ବେଳେ ମୁଖ୍ୟତଃ ବିଜେଡିର ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ପାଇଁ ବଡ଼ ପରୀକ୍ଷା । କାରଣ ତାଙ୍କୁ ଚେକ୍ ଦେବା ପାଇଁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ରଙ୍କୁ ଦଳ ଚଳିତଥର ପୁରୀରୁ ଆସନରୁ ପ୍ରାର୍ଥୀ କରିଛି । ତେଣୁ ଉଭୟଙ୍କ ମଧ୍ୟରେ କଡା ଟକ୍କର ହୋଇଛି । ତେବେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳିଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ଅନ୍ୟପକ୍ଷରେ ପୁରୀ ବିଧାନସଭା ଆସନ ପାଇଁ ଲଗାତର ବିଜେଡିରୁ ୫ ଥର ବିଧାୟକ ହୋଇଥିବା ମହେଶ୍ୱର ମହାନ୍ତି ପୁଣି ଥରେ ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଛନ୍ତି । ସେ ଆଜି ନିଜେ ନିର୍ବାଚନରେ ସାମିଲ ହୋଇ ନିଜର ମତଦାନ କରିଛନ୍ତି । ଚଳିତ ନିର୍ବାଚନରେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ହୋଇଛନ୍ତି ତାଙ୍କର ରାଜନୈତିକ ଶିଷ୍ୟ ତଥା ପୁରୀ ପୌର ପାଳିକାର ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ । ସେ ମଧ୍ୟ ଆଜି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ଲଗାତର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି । ତେଣୁ ସେ ଆଜି ମାଲୁଦ ପଞ୍ଚାୟତ ଅଧିନ ୧୨ ନଂ ବୁଥ୍କୁ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା ବେଳେ ଚଳିତଥର ବିଜେଡିର ବିଧାୟକଙ୍କ ପ୍ରତିଦ୍ୱନ୍ଦୀ ଭାବେ କଂଗ୍ରେସ ଦଳ ଛାଡି ବିଜେପିର ହାତ ଧରିଥିବା ଲଲିଳେନ୍ଦୁ ମହାପାତ୍ର ମଇଦାନକୁ ଆସିଛନ୍ତି । ତେଣୁ ସେ ମଧ୍ୟ ବୁଥ୍କୁ ଯାଇ ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ଜିଲ୍ଲାର ଚର୍ଚ୍ଚିତ ପିପିଲି ନିର୍ବାଚନମଣ୍ଡଳୀରେ ମଧ୍ୟ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଭୋଟ ଗ୍ରହଣ ପୂର୍ବଦିନ ପିପିଲି ବିଧାୟକ ପ୍ରାର୍ଥୀ ପ୍ଲାଇଂସ୍କ୍ୱାର୍ଡ ଓ ମାଜିଷ୍ଟେଟ୍ଙ୍କୁ ମାଡ ମାରି ଜେଲ୍ ଯାଇଛନ୍ତି । ଚଳିତ ନିର୍ବାଚନରେ ସେ ଜେଲ୍ରେ ଥାଇ ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ନିଜର ମତଦାନ କରିବା ସହିତ ତାଙ୍କୁ କଡା ଟକ୍କର ଦେଉଛନ୍ତି । ତେବେ ଜଣେ ପ୍ରାର୍ଥୀ ଜେଲରେ ରହିଥିଲା ବେଳେ ଅନ୍ୟ ଜଣେ ନିର୍ବାଚନ ମଇଦାନରେ ରହିଛନ୍ତି । ତେବେ କାହାକୁ ଜନତା ଦନାଦ୍ଦର୍ନ ବିଜୟ ଟୀକା ପିନ୍ଧାଇଛନ୍ତି ତାହା କେବଳ ଫଳାଫଳକୁ ଅପେକ୍ଷା । ତେବେ ପୁରୀ ଲୋକସଭାର ୮ ପ୍ରାର୍ଥୀ ଓ ପୁରୀ ଜିଲ୍ଲାର ୪ ବିଧାନସଭା ପାଇଁ ୨୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଶେଷ ହୋଇଥିଲା ବେଳେ ମେ ୨୩ରେ ଭୋଟ ଗଣତିରେ କେଉଁ ପ୍ରାର୍ଥୀଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଛନ୍ତି ତାହାକୁ ଅପେକ୍ଷା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ