ଶେଷ ହେଲା ବିଧାନସଭା
ଭୁବନେଶ୍ୱର, (ୱାଇଏନ୍ଏସ୍): ଗତ ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହୋଇଥିବା ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ ଧାର୍ଯ୍ୟ ସମୟର ୫ ଟି କାର୍ଯ୍ୟ ଦିବସ ପୂର୍ବରୁ ଶନିବାର ଦିନ ଶେଷ ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସଂଧ୍ୟା ୭ଟାରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଏପ୍ରିଲ ୯ ତାରିଖରେ ଗୃହର କାର୍ଯ୍ୟକ୍ରମ ଶେଷ ହେବାକୁଥିବା ବେଳେ ଏହାକୁ ହ୍ରାସ କରିବାପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିଥିଲେ । ଗୃହ ଶେଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବାଚସ୍ପତି , କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ସ୍ୱସ୍ତିବାଚକ ଅଭିଭାଷଣ ପ୍ରଦାନ କରିଥିଲେ । ତେବେ ବିଜେପି ସଦସ୍ୟମାଦେ ଏହି ସମୟରେ ଅନୁପସ୍ଥିତ ଥିଲେ । କୋଭିଡ୍ କଟକଣା ମଧ୍ୟରେ ୨ ଟି ପର୍ଯ୍ୟାୟରେ ଏହି ଅଧିବେଶନର ବୈଠକ ଚାଲିଥିଲା । ବୈଠକ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହରେ ଦେଖାଦେଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି , ଉପବାଚସ୍ପତି ଓ ଅଧିଷ୍ଠାତା ମଣ୍ଡଳୀର ସଦସ୍ୟମାନେ ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ଫଳରେ କିଛି ଦିନ ଗୃହରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଚାଲିପାରିନଥିଲା । ଏପରିକି ସରକାରୀ ବିଭାଗର ଖର୍ଚ୍ଚ ଦାବି ଗୁଡିକ ଆଲୋଚନା ହୋଇନପାରି ଗିଲୋଟିନ୍ ଦ୍ୱାରା ପାରିତ ହୋଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ୧୪ ଦିନ ଧରି ୨୨ ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବା ନେଇ କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଥିଲେ ହେଁ ମାତ୍ର ୮ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା । ବିଧାନସଭା ଓ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥବା ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ସମେତ ମୋଟ ୩୫ ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ରେ ପାରିତ ହୋଇଥିଲା । ଉଭୟ ବିରୋଧୀ ଦଳ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୁଲତବୀ ପ୍ରସ୍ତାବ ନୋଟିସ୍ ମାନ ଦେଇଥିଲେ ହେଁ ଅଚଳାବସ୍ଥାପାଇଁ ସେଗୁଡିକ ମଧ୍ୟ ଆଲୋଚନା ହୋଇପାରିନଥିଲା । କହିବାକୁ ଗଲେ ଗୋଟିଏ ଗୋଟିଏ ଦିନରେ ପ୍ରଥମାର୍ଦ୍ଧ ବୈଠକ ୨ ରୁ ୩ ମିନିଟ୍ ଚାଲିପାରିଥିଲା । ଏହି ଅଧିବେଶନରେ ଦୃଷ୍ଟି ଆକର୍ଷଣକାରୀ ନୋଟିସ୍ କାର୍ଯ୍ୟସୂଚୀରେ ସ୍ଥାନିତ ହୋଇନଥିଲା ବେଳେ ଶୂନ୍ୟକାଳ ମଧ୍ୟ ହୋଇପାରିନଥିଲା । ଫେବୃଆରୀ ୧୮ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଅଭିଭାଷଣରୁ ଗୃହର ବୈଠକ ଆରମ୍ଭ ହୋଇଥିଲା । ଚଳିତ ଅଧିବେଶନ ଘଟଣାବହୁଳ ଥିଲା । ମଣ୍ଡିରୁ ଧାନ କିଣାନହେବା କୁ ନେଇ ଗୃହରେ କଂଗ୍ରେସ ଓ ବିଜେପି ଦଳ ସଦସ୍ୟମାନେ ବାରମ୍ବାର ହଟ୍ଟଗୋଳ ସୃଷ୍ଟି କରିଥିଲେ । ଏଥିଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭରୁ ୬ ଦିନ ପର୍ଯ୍ୟନ୍ତ ଅଚଳାବସ୍ଥା ଲାଗି ରହିଥିଲା । ସେହିପରି ମଣ୍ଡି ସମସ୍ୟା ନେଇ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ସାନିଟାଇଜର ପିଇ ଗୃହରେ ଆତ୍ମହତ୍ୟା ଉଦ୍ୟମ କରିବା ବିଧାନସଭାରେ ନୂଆ ଇତିହାସ ସୃଷ୍ଟି କରିଥିଲା । ପରେ ସୁବାଷଙ୍କ କ୍ଷମାପ୍ରାର୍ଥନା ଦାବି କରି ବିଜେଡି ବିଧାୟକଙ୍କ ହଟ୍ଟଗୋଳ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା । ସାମାଜିକ ,ଅର୍ଥନୈତିକ ଓ ଆଇନଗତ ଦୃଷ୍ଟିରୁ ଚଳିତ ଅଧିବେଶନ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା । ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ଉପସ୍ଥାପନ କରିଥିବା ବେଳେ ୧,୭୫,୮୯୦ କୋଟି ୨୩ ଲକ୍ଷ ୬୦ହଜାର ଟଙ୍କାର ବିନିୟୋଗ ବିଲ୍ ପାରିତ ହୋଇଥିଲା । ବିରୋଧୀ ଦଳର ବିନା ଅଂଶଗ୍ରହଣରେ ବଜେଟ୍ , ବିନିୟୋଗ ବିଲ୍ ଓ ବିଭାଗୀୟ ଖର୍ଚ୍ଚଦାବି ପାରିତ ହୋଇଥିଲା । ବିଭାଗୀୟ ବଜେଟ୍ ଆଲୋଚନା ଉପରେ ମନ୍ତ୍ରୀମାନେ ଦେଇଥିବା ଉତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ ।


