ଶୈବପୀଠ ରେ ଶ୍ରୀ ରାମ ତାରକ ମହାଯଜ୍ଞ ଶୁଭାରମ୍ଭ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ଗ୍ରାମ ପଞ୍ଚାୟତ ବଡ଼ ପଦା ଗ୍ରାମ ସ୍ଥିତ ପ୍ରସିଦ୍ଧ ଶ୍ରୀ ଉଦୟନାଥେଶ୍ଵର ଶୈବପୀଠ ରେ ବିଶ୍ଵଶାନ୍ତି ଶ୍ରୀ ରାମ ତାରକ ମହାଯଜ୍ଞ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ଶୁଭାରମ୍ଭ ହୋଇଛି। ଆସନ୍ତା ଫେବୃୟାରୀ ୫ ତାରିଖ ମାଘମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥି ରବିବାର ପର୍ଯ୍ୟନ୍ତ ୧୧ ଦିନ ବ୍ୟାପୀ ଏହି ମହାଯଜ୍ଞ ଅନୁଷ୍ଠିତ ହେବ।ଗୁରୁବାର ଦୀକ୍ଷା ଗ୍ରହଣ, ଅଙ୍କୁରାରୋପଣ ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଭକ୍ତ ମାନସିକ ଧାରୀ ପ୍ରାୟ ୪ ଶହ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ମହିଳା ପୁରୁଷ ନିକଟସ୍ଥ ପୁରାଣ ପ୍ରସିଦ୍ଧ ରାମନଦୀ ର ସୀତା ଘାଟ ରୁ ପବିତ୍ର ଜଳଘଟ ଗ୍ରହଣ କରି ମହାଯଜ୍ଞସ୍ଥଳ ରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ମହାଯଜ୍ଞ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିଲା। ଏହି ଶୈବ ପୀଠ ର ମହିମା ପୌରାଣିକ ରାମାୟଣ ସହିତ ଜଡ଼ିତ ଥିବାରୁ ପ୍ରତି ୪ ବର୍ଷ ବ୍ୟବଧାନରେ ଏଠାରେ ବିରାଟ ମହାଯଜ୍ଞ ଆୟୋଜନ କରାଯିବା ସହିତ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମହାଯଜ୍ଞ ପରିଚାଳନା କମିଟି ର ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟ ବୃନ୍ଦ ତଥା ଗଞ୍ଜାମ – ଗଜପତି ଜିଲା ର ବିଭିନ୍ନ ଅଞ୍ଚଳ ରୁ ବହୁ ସଂଖ୍ୟକ ଭକ୍ତ ତଥା ଧର୍ମପରାୟଣ ବ୍ୟକ୍ତି ଏହି ମହାଯଜ୍ଞ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।