ଶୈବ ଭକ୍ତଙ୍କ କେନ୍ଦ୍ରବିନ୍ଦୁ ଷୋଡ଼ଶ ଶତାବ୍ଦୀର ପାତାଳେଶ୍ୱର ମନ୍ଦିର

ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ): ରାୟଗଡ଼ା ସଦର ମହକୁମା ଠାରୁ ୨୩ କିଲୋମିଟର ଓ କୋଲନରା ବ୍ଲକ୍ ଥେରୁବାଲି ନିକଟ ପାଇକପଡା ଠାରେ ଅବସ୍ଥିତ ବହୁ ପୁରାତନ ଓ ଐତହାସିକ ପାତାଳେଶ୍ୱର ମନ୍ଦିର। ଓଡ଼ିଶାର ପୁରାତନ ଶୈବକ୍ଷେତ୍ର ମଧ୍ୟରୁ ଏହା ଅନ୍ୟତମ। ଜନଶୃତି ଅନୁଯାୟୀ ଏକ ଗୁମ୍ଫା ଭିତରୁ ବଡ ପଥର ଫାଟି ତା ମଧ୍ୟରୁ ମହାଦେବ ବାହାରି ଥିବାରୁ ଏହା ପାତାଳେଶ୍ୱର ନାମରେ ପରିଚିତ। ପ୍ରଭୁ ଶ୍ରୀରାମଙ୍କ ନୀଳାଚଳ ଗ୍ରସ୍ତ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା ବୋଲି ଲୋକମତ ରହିଛି। ଗଜପତି ପୁରୁଷୋତ୍ତମଦେବ କାଞ୍ଚି ବିଜୟ ପାଇଁ ଯାଇଥିବା ସମୟରେ ଏଠାରେ ପୂଜୀତ ମା ଦକ୍ଷିଣକାଳୀ ଓ ପାତାଳେଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା କରି ବାହାରି ଥିଲେ। ଗୋଟିଏ କମ୍ କୋଟିଏ ଶିବଲିଙ୍ଗ ସମେତ ଶିବ, ବିଷ୍ଣୁ, ଓ ମା ଦକ୍ଷିଣକାଳୀ ଏଠାରେ ପୂଜା ପାଉଛନ୍ତି। ମନ୍ଦିରର ଚତଃପାଶ୍ୱର୍ରେ ଛୋଟବଡ ମନ୍ଦିର ନିର୍ମାଣ ହୋଇଛି। ଉତ୍କଳୀୟ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟରେ ପରିପୂର୍ଣ ଏହି ମନ୍ଦିର ଗୁଡିକ ଆଜି ବି ଦିଗନ୍ତ। ମନ୍ଦିର ପରିସରରେ ସ୍ଥାପିତ ବିଭିନ୍ନ ଯନ୍ତ୍ର ସମୂହ ଅତି ପୁରାତନ ଶୈବ, ଶକ୍ତ ଓ ଜୈନ ମୂର୍ତ୍ତିଗୁଡିକ ଦେଖିବାକୁ ମିଳିଥାଏ । ମୂର୍ତ୍ତି ମାନଙ୍କର ସୂକ୍ଷ୍ମ କାରୁକାର୍ଯ୍ୟ ପର୍ଯ୍ୟଟକ ଓ ଭକ୍ତଙ୍କୁ ଭାବ ବିହ୍ବଳ କରୁଥିବା ବେଳେ ମନ୍ଦିର ନିର୍ମାଣ ଶୈଳୀ ଅତ୍ୟନ୍ତ ମନଲୋଭା। ଷୋଡଶ ଶତାବ୍ଦୀର ଏହି ମନ୍ଦିରର ଏହି ଅଞ୍ଚଳ ନନ୍ଦପୁର ଓ ପରେ ଜୟପୁର ରାଜାଙ୍କ ଦ୍ଵାରା ପରିଚାଳିତ ହେଲା। ସେତେବେଳେ ଏହି ଐତିହାସିକ ମନ୍ଦିର ମାନଙ୍କର ରକ୍ଷଣାବେକ୍ଷଣ ଜଣେ ଆଦିବାସୀ ଲୋକଙ୍କ ଦ୍ୱାରା କରାଯାଇଥିଲା। ଜୟପୁର ରାଜା ମୁକୁନ୍ଦଦେବ ନିଜ ଶାସନ କାଳରେ ପୂଜା ପାଇଁ ୨୪ ବ୍ରାହ୍ମଣ ପରିବାରକୁ ବେଳେ ମନ୍ଦିର ପରିଚାଳନା ଦାୟୀତ୍ଵ କେନ୍ଦ୍ରୀୟ ପ୍ରଶ୍ନତତ୍ତ ବିଭାଗ ହାତକୁ ଦେଇଥିଲେ l କେଉ ପୁରାତନ କାଳରୁ ଏହି ମନ୍ଦିର ନିର୍ମାଣ ହୋଇଥିଲେ ମଧ୍ୟ ଆଜି ବି ଏହାର ନିର୍ମାଣଶୈଳୀ , କଳା, ସ୍ଥାପତ୍ୟ ବିଦ୍ୟାର ଅତ୍ୟାଧୁନିକ ମୁକସାକ୍ଷୀ ଭାବେ ପ୍ରତୀୟମାନ। ଲୋକଗାଥା ଅନୁଯାୟୀ ପ୍ରଭୁ ଶ୍ରୀ ରାମଚନ୍ଦ୍ର ନୀଳାଚଳ ବିଜେ ଓ କାଞ୍ଚି ବିଜୟ ସହିତ ରହିଛି ସାମଞ୍ଜସ୍ୟ। ଏଠାରେ ଶିବରାତ୍ରି ଦଶହରା ଓ ମହାଷ୍ଟମୀ ପୂଜା ପାଳନ କରା ଯାଇଥାଏ।ମହାଦେବଙ୍କ ସମେତ ମା ଦକ୍ଷିଣକାଳୀଙ୍କ ଷୋଡ଼ଶ ପୂଜା ଏକାଥରେ ହେଉଥିବାରୁ ଏହାର ସ୍ଵତନ୍ତ୍ର ପୂଜା ରହିଛି। ଜାଗର ସମୟରେ ସାତଦିନ ଧରି ଜାଗରଯାତ୍ରାରେ ଓଡ଼ିଶା ସମେତ ଆନ୍ଧ୍ର, ଛତିଶଗଡ଼ର ଶତାଧିକ ଶ୍ରଦ୍ଧାଳୁ ଏଠାରେ ଯୋଗ ଦେଇଥାନ୍ତି। ସେହିପରି ଆଶ୍ୱିନ ମାସ ଦଶହରା ସମୟ ରେ ନବରାତ୍ରି ପୂଜା ସହ ତନ୍ତ୍ର ପୂଜା କରାଯାଇଥିବା ବେଳେ ମହାଷ୍ଟମୀ ଦିନ ଅର୍ଦ୍ଧରାତ୍ରରେ ଚ୍ଛାଗବଳୀ ଦିଆଯାଇଥାଏ। ଜାଗର ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ପାତାଳେଶ୍ୱରଙ୍କ ଦର୍ଶନ ନିମନ୍ତେ ରାତ୍ର ୩ଟାରୁ ଭକ୍ତଙ୍କ ଗହଲି ହୋଇଥାଏ । ଜାଗରଦିନ ରାତ୍ରରେ ମନ୍ଦିର ସମ୍ମୁଖରେ ଥିବା ପାହାଡ ଶିଖରରେ ପଥରରେ ନିର୍ମିତ ଦୀପରେ ମହାଦୀପ ଲଗାଯାଏ ।ଯେଉଥିରେ ବାରମାଣ ଘିଅ ସହ ସଲିତା ଭାବେ ଏକ ରଙ୍ଗ ଗାମୁଛା ବ୍ୟବହାର କରାଯାଇଥାଏ। ଏହି ମହାଦୀପ ଜଳିବା ପରେ କୈଲ୍ୟାଣସିଂପୁର ରେ ଥିବା ଦେବଗିରି ମନ୍ଦିର ରେ ମହାଦୀପ ଲାଗିଥାଏ ବୋଲି ଜନଶୃତି ରହିଛି। ଲୋକଙ୍କ କହିବା ଅନୁଯାୟୀ ମହାଦୀପ ଲଗାଇବା ପାଇଁ ପାହାଡ ଉପରକୁ ଚଡ଼ିବା ପୂର୍ବରୁ ଚ୍ଛାଗବଳୀ ପଡ଼ିଥାଏ ବୋଲି ସୂଚନା। ଜାଗର ଯାତ୍ରାରେ ଅନ୍ୟ କେଉ ଶୈବପୀଠ ରେ ବଳୀପ୍ରଥା ନଥିବା ବେଳେ ଆଲ୍ୟୋକିକ ଶକ୍ତି ପୀଠରେ ଏହା ଏକ ଉଦାହରଣ। ପୁରାଣଗାଥା ଅନୁଯାୟୀ ମନ୍ଦିର ପାର୍ଶ ପୋଖରୀରେ ଗୋଟିଏ କମ୍ କୋଟିଏ ଶିବଲିଙ୍ଗ ରହିଥିବା କୁହାଯାଏ। ସେହିପରି ସମ୍ମୁଖ ପାହାଡରେ ଥିବା ବଡ ବଡ ପଥରମାନ କିମ୍ବଦନ୍ତୀର ପ୍ରତୀକ ଭାବେ ବିଦ୍ୟମାନ। ମନ୍ଦିର ପରିସରରେ ସୂର୍ଯଙ୍କ ଏକ ଚୁମ୍ବକୀୟ ଶକ୍ତି କାମ କରୁଥିବା ଅନୁଭୂତି ହେଉଥିବା କୁହା ଯାଇଥାଏ। ସେହିପରି ପଥରର ସର୍ପ,ତ୍ରିଶୂଳ, ଡମ୍ବୁରୁ ଆଜିବି ଦେଖିବାକୁ ମନଲୋଭା।ଗତ ମାଘ ମାସରେ ପ୍ରଭୁ ଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହେବା ସହ ଚଳିତ ବର୍ଷ ରଥଯାତ୍ରା ମଧ୍ୟ ପାଳନ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହା ଯାଇଛି। ଆସନ୍ତା କାଲି ଠାରୁ ଜାଗର ଯାତ୍ରା ସହ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସାତଦିନ ଧରି ଚାଲିବ ବୋଲି ଜଣା ପଡ଼ିବା ବେଳେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ସ୍ଥାନୀୟ ପୋଲିସ ମୁତୟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ