ଶୈଳଶ୍ରୀବିହାର ବିଶ୍ୱନାଥ ମନ୍ଦିରରେ ମହାଶିବରାତ୍ରୀ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିର ପରିସରରେ ଥିବା ବାବା ବିଶ୍ୱନାଥ ମନ୍ଦିରରେ ମହାଶିବରାତ୍ରୀ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୬ ଘଟିକା ସମୟରେ ମଙ୍ଗଳଆଳତୀ ପରେ ରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା, ହରିହର ଭେଟ ଅନୁଷ୍ଠିତ ହୋଇ ରାତ୍ର ସାଢେ ୧୦ ଟା ସମୟରେ ମହାଦୀପ ଉଠିଥିଲା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଚାରୋଟି ଧାଡିରେ ଭକ୍ତମାନେ ଆସି ପୂଜାଚ୍ଚର୍ନା କରିବା ସହିତ ପ୍ରଭୁଙ୍କ ଦର୍ଶନ କରିଥିଲେ । ରାତିରେ ହଜାର ହଜାର ସଂଖ୍ୟାରେ ଭକ୍ତ ଉଜାଗର ରହି ଦୀପ ଜାଳିଥିଲେ । ସନ୍ଧ୍ୟାରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିସାର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ । ଶ୍ରୀ ଜଗନ୍ନାଥ ଭକ୍ତି ଟ୍ରଷ୍ଟର ଟ୍ରଷ୍ଟି ହେମନ୍ତ କୁମାର ମହାପାତ୍ର, ସମ୍ପାଦକ ଗୋଲାଳକୃଷ୍ଣ ପଟ୍ଟନାୟକଙ୍କ ପରିଚାଳନାରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଭାପତି ଅଶିଷ କୁମାର ମଲ୍ଲିକ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ନାଥ ସେନାପତି, ଅମିତ କିରଣ ହୋତା ଓ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା, ସଦସ୍ୟ, ସ୍ଥାନୀୟ ଅଞ୍ଚଳର ଶୁଭେଚ୍ଛୁ ସାହାର୍ଯ୍ୟ ସହେଯାଗ କରିଥିଲେ । ସମଗ୍ର ଶୈଳଶ୍ରୀ କ୍ଷେତ୍ର ଶିବମୟ ହୋଇ ଉଠିଥିଲା ।