ଶୋଇବା ଆଗରୁ ପଢ଼ନ୍ତୁ ମନପସନ୍ଦର ବହି
ଭଲ ନିଦ ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥା’ନ୍ତି । ଯେଉଁମାନଙ୍କର ଭଲ ନିଦ ହେଉ ନାହିଁ, ସେମାନେ ନିମ୍ନ କଥା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ ।ଯେଉଁମାନଙ୍କୁ ସୁନିଦ୍ରା ଆସେ ନାହିଁ,ସେମାନେ ବଡ଼ ତକିଆ ବା ମୋଟା ତକିଆରେ ମୁଣ୍ଡ ଦେଇ ନ ଶୋଇବା ଭଲ । କାରଣ ଏପରି କରିଲେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇନଥାଏ ଓ ମୁଣ୍ଡବିନ୍ଧାର ଶିକାର ମଧ୍ୟ ହୋଇପାରନ୍ତି । ସାଧାରଣତଃ ଶେଯକୁ ଆସିବା ପରେ ଆମେ ମୋବାଇଲ୍କୁ ହାତରେ ଧରି କିଛି ନା କିଛି ଦେଖିଥାଉ । ଏହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥାଏ । ଏଣୁ ଶୋଇବା ପୂର୍ବରୁ ମୋବାଇଲ୍ ଫୋନ୍କୁ ସାଇଲେଣ୍ଟ୍ ମୋଡ଼ରେ ରଖିଦିଅନ୍ତୁ । ଯଦି ଭଲ ନିଦ ଚାହୁଁଛନ୍ତି, ତେବେ ମୁହଁ ଘୋଡ଼ାଇ ଶୁଅନ୍ତୁ ନାହିଁ । ଏପରି କରିଲେ ଶ୍ୱାସକ୍ରିୟାରେ ବାଧାପ୍ରାପ୍ତ ହୋଇଥାଏ । ଏହା ଛଡ଼ା ଏହା ଫଳରେ ନିଦ ଭାଙ୍ଗିଯାଏ । ଯଦି ନିଦ ଆସୁ ନଥିବ, ତେବେ ଶେଯରେ ପଡ଼ି ରହି ଅନ୍ୟ କିଛି ନ କରି ଗୋଟିଏ ମନପସନ୍ଦ ବହି ପଢ଼ନ୍ତୁ । ଏପରି କରିଲେ ଆପେ ଆପେ କିଛି ସମୟ ପରେ ନିଦ ଆସିବ । ନତୁବା ଗୀତ ଶୁଣିଲେ ବି ନିଦ ଆସିବ ।


