ଶୋପିଆନ୍ରେ ଏନକାଉଣ୍ଟର ୨ ଆତଙ୍କବାଦୀ ନିହତ
ଶ୍ରୀନଗର(ଏଜେନ୍ସି): ଜାମ୍ମୁ କାଶ୍ମୀରର ସୋପିଆନ୍ରେ ରବିବାର ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଏବଂ ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଶୋପିଆନର ହିନ୍ଦ୍ ସୀତାପୁରା ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏଥିରେ ସେନା ଏବଂ ସିଆରପିଏଫ୍ର ଯବାନ ମଧ୍ୟ ସାମିଲ ଥିଲେ । ସମାଚାର ଏଜେନ୍ସି ଏଏନ୍ଆଇର ରିପୋର୍ଟ ଅନୁଯାୟୀ, ଅନେକ ସମୟ ଧରି ଉଭୟ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର, ଗୁଳି ଓ ଗୋଳାବାରୁଦ ଜବତ ହୋଇଛି ।
ଆଫଗାନିସ୍ତାନ୍ ବିମାନ ଆକ୍ରମଣ
୨୪ ତାଲିବାନ୍ ଆତଙ୍କୀ ମୃତ
କାବୁଲ୍(ଏଜେନ୍ସି): ଆଫଗାନିସ୍ତାନ୍ର ୩ଟି ଅଞ୍ଚଳରେ ଲଗାତାର ହୋଇଥିବା ବିମାନ ଆକ୍ରଣରେ ଅତିକମ୍ରେ ୨୪ ତାଲିବାନ୍ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପକତିକା ଅଞ୍ଚଳରେ ଥିବା ଜୁରମତ୍ ଓ ବରମଲ ଜିଲ୍ଲାରେ କେବଳ ୨ଠ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଦେଶରେ ଆତଙ୍କବାଦ ବୃଦ୍ଧିରେ ଏମାନଙ୍କର ସକ୍ରିୟ ଭୂମିକା ରହୁଥିବାରୁ ଆଫଗାନ ନ୍ୟାସନାଲ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଫୋର୍ସେସ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା ।
ଧୂପ କାରଖାନାରେ ଅଗ୍ନିକାଣ୍ଡ, ୭ ଦଗ୍ଧ
କାନପୁର(ଏଜେନ୍ସି): କାନପୁରର ଜାଜମାଉ ସ୍ଥିତ ଏକ ଧୂପ କାରଖାନାରେ ରବିବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ସେହିପରି ଅନ୍ୟ ୬ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାନ୍ଦ-ବୋବାଳିରେ ସ୍ଥାନୀୟ ଅଞ୍ଚଳ ଶିହରି ଉଠିଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କ୍ଷୟକ୍ଷତିର ସଠିକ୍ ଆକଳନ ହୋଇପାରିନାହିଁ ।