ଶୋଭାଯାତ୍ରାବେଳେ ଗଣ୍ଡଗୋଳ, ୧୪ ଗିରଫ: ପ୍ରତିବାଦରେ ହଣ୍ଡପା ଥାନା ଘେରାଉ
ଅନୁଗୋଳ : ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନାକିଚି ଗ୍ରାମରେ ଦୋଳଯାତ୍ରା ଶୋଭାଯାତ୍ରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି। ପୋଲିସ ଶନିବାର ରାତିରେ ନାକିଚି ଗ୍ରାମରେ ଚଢାଉ କରି ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ ଉଠାଇ ଆଣି ୧୩ ଜଣଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରି ଘଣ୍ଟ ଘୋଡ଼ାଇବା ପ୍ରତିବାଦରେ ରବିବାର ନାକିଚି ଗ୍ରାମବାସୀ ହଣ୍ଡପା ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାରୁ ଜଣାପଡ଼ିଛି, ଶୁକ୍ରବାର ରାତିରେ ନାକିଚି ଗ୍ରାମରେ ଦୋଳଯାତ୍ରା ଚାଲିଥିବାବେଳେ ପ୍ରଭୁ ରାଧାକୃଷ୍ଣଙ୍କୁ ଏକ ଟ୍ରାକ୍ଟର ଯୋଗେ ଶୋଭାଯାତ୍ରାରେ ଗ୍ରାମ କରାଯାଉଥିଲା। ଏହି ସମୟରେ ଟ୍ରାକ୍ଟର ମାଲିକ ରାଣିଭୂଇଁ ଗ୍ରାମର ଟୁନା ପ୍ରଧାନ ଶୋଭାଯାତ୍ରା ପରିସରକୁ ଆସି ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଟ୍ରାକ୍ଟର ଚାବି ନେଇ ଗଣ୍ଡଗୋଳ କରିଥିଲେ। ଗ୍ରାମରେ ଅସନ୍ତୋଷ ଦେଖାଦେଇଥିଲା। ଶନିବାର ସକାଳେ ଯାତ୍ରା କମିଟି ସଭାପତି ରଞ୍ଜିତ ସାହୁ ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ନ ଥିବାବେଳେ ଟୁନା ତାଙ୍କ ନାମରେ ଅଭିଯୋଗ ହୋଇଛି ବୋଲି ଜାଣିବା ପରେ ଉତକ୍ଷିପ୍ତ ହୋଇ ଶନିବାର ସାରେ ନାକିଚି ଗ୍ରାମର ବିଷ୍ଣୁ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣକୁ କେନ୍ଦ୍ର କରି ପରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରେ ନାକିଚି ଗ୍ରାମର କେତେକ ବ୍ୟକ୍ତି ନାକିଚି ଛକକୁ ଆସି ଟୁନାଙ୍କ ବାପା ଚକ୍ରଧର ପ୍ରଧାନଙ୍କ ଦୋକାନକୁ ଭଙ୍ଗା ରୁଜା କରିବାସହ ଚକ୍ରଧରଙ୍କୁ ନାକିଚି ଗ୍ରାମକୁ ନେଇ ଅଟକ ରଖିଥିଲେ। ଖବରପାଇ ହଣ୍ଡପା ଆଇଆଇସି ଲବ ବୋଡ଼ାଙ୍କ ସହ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ପରେ ଅଟକ ଥିବା ଚକ୍ରଧରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଟୁନାକୁ ଗିରଫ କରାଯାଇ ନ ଥିବା ପ୍ରତିବାଦରେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଆଠମଲ୍ଲିକ, ଠାକୁରଗଡ଼, କିଶୋରନଗର, ହଣ୍ଡପା ପୋଲିସ ଚଢାଉ କରି ଚକ୍ରଧରଙ୍କୁ ଉଦ୍ଧାର କରିବାସହ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିବା ଘଟଣାରେ ନାକିଚି ଗ୍ରାମର ରବିନ୍ଦ୍ର ଦେହୁରି, ସୁଶାନ୍ତ ପ୍ରଧାନ, କାହ୍ନୁଚରଣ ପ୍ରଧାନ, ଦିଲେଶ୍ୱର ସାହୁ, ଜୁନୁ ସାହୁ, ରଞ୍ଜନ ସାହୁ, ବାବୁ ସିଂ, ଦିଲୀପ ସାହୁ, ଟିନା ଦେହୁରି, ପରମାନନ୍ଦ ବେହେରା, ଅମର ବେହେରା, ଲଳିତ ସାହୁ, ଘାସିନାଥ ନାଗ ୧୩ ଜଣଙ୍କୁ ରାତି ଅଧିଆ ଗିରଫ କରିଥିଲେ। ଯାତ୍ରା କମିଟି ସଭାପତି ରଞ୍ଜିତଙ୍କ ଅଭିଯୋଗକ୍ରମେ ନଂ. ୪୯/୧୯ରେ ଏକ ମାମଲା ରୁଜୁ କରି ଚକ୍ରଧରଙ୍କୁ ଗିରଫ କରାଯାଇଛି। ସେହିପରି ଚକ୍ରଧରଙ୍କ ସାନପୁଅ କୁନା ପ୍ରଧାନଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୪୭/୧୯ରେ ମାମଲା ରୁଜୁ କରି ଗ୍ରାମର ୧୩ ଜଣଙ୍କୁ ଗିରଫ କରିଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ପୋଲିସ ଠିକ ଘଟଣାର ତଦନ୍ତ ନ କରି ଗିରଫ କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରବିବାର ଏ ନେଇ ଗ୍ରାମରେ ଏକ ବୈଠକ ବସିବାପରେ ଗ୍ରାମବାସୀ ଅପରାହ୍ନ୧୦ଟାରୁ ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ନେଇ ହଣ୍ଡପା ଆଇଆଇସି ଲବ ବୋଡ଼ା କୁହନ୍ତି, ତୁରନ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଗ୍ରାମର ଯେଉଁ ୧୩ ଜଣ ଗିରଫ ହୋଇଛନ୍ତି ସେମାନେ ଗଣ୍ଡଗୋଳରେ ସମ୍ପୃକ୍ତ ଅଛନ୍ତି।


