ଶୋଭାଯାତ୍ରାବେଳେ ଘଟିଥିବା ବିବାଦର ସମାଧାନ
ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍): ଗତକାଲି ରାତିରେ ଛଣଗିରି ଦୋଳଯାତ୍ରା ପାଇଁ ଠାକୁରଙ୍କ ଶୋଭାଯାତ୍ରାବେଳେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଦେଖାଯାଇଥିବା ବିବାଦର ଆଜି ସମାଧାନ ହୋଇଛି । ସୂଚନାଯୋଗ୍ୟ କି ଗତକାଲି ରାତିରେ ଛଣଗିରିରେ ଦୋଳଯାତ୍ରା ପାଇଁ ହିନ୍ଦୁ ଲୋକମାନେ ଠାକୁରଙ୍କର ଶୋଭାଯାତ୍ରା କରୁଥିବାବେଳେ ମୁସଲିମ ସାହିର କିଛି ବ୍ୟକ୍ତି ଏକ ଡିଜେ ମ୍ୟୁଜିକ ବଜାଇବାରୁ ହିନ୍ଦୁ ମୁସଲିମଙ୍କ ମଧ୍ୟରେ ବଚସା ହୋଇ ଶୋଭାଯାତ୍ରା ଅଧାରେ ବନ୍ଦ ହୋଇ ରହିଥିଲା । ଖବର ପାଇ ଜଙ୍କିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବାବେଳେ କିଛି ଯୁବକ ପୁଲିସକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ପରେ ଶୋଭାଯାତ୍ରା ହୋଇଥିଲା । ଆଜି ଏହି ବିଶୃଙ୍ଖଳାକୁ ନେଇ ଜଙ୍କିଆ ଥାନାରେ ଆଇଆଇସି ଓ ଟାଙ୍ଗୀ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଛଣଗିରି ଗ୍ରାମର ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ଏକ ଚୁକ୍ତିପତ୍ର ଅନୁଯାୟୀ ଆସନ୍ତା ବର୍ଷଠାରୁ ଏଥିନେଇ ଏକ ଶାନ୍ତି କମିଟି କରାଯିବ । ଦୋଳଯାତ୍ରା ପୂର୍ବରୁ ତହସିଲଦାର ଓ ଆଇଆଇସିଙ୍କ ଉପସ୍ଥିତରେ ଏକ ବୈଠକ ବସିବ । ପରେ ଦୋଳଯାତ୍ରାରେ ଯେ ବିଶୃଙ୍ଖଳା ସୃଷ୍ଟି କରିବ ସେ ସମସ୍ତ କ୍ଷତିପୂରଣ ଭରଣା କରିବ ବୋଲି ଉଲ୍ଲେଖ କରାଯାଇଛି । ପୋଲିସକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଜଣେ ଯୁବକକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।


