‘ଶୋଭା’ ପକ୍ଷରୁ ବିଶ୍ୱନାଟ୍ୟ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱନାଟ୍ୟ ଦିବସ ଅବସରରେ ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଶୋଭା’ପକ୍ଷରୁ ନାଟକ ‘ଚମ୍ପାଗଳି’ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପରିସରରେ ମଞ୍ଚସ୍ଥ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା କ୍ଷ୍ମୀନାରାୟଣ ଘୋଷଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ‘ଚନ୍ଦ୍ରଭାଗା’ ନର୍ଦ୍ଦେଶକ କବି ଶ୍ରୀଦେବ ଯୋଗଦେଇ ନାଟକ ହିଁ ସାହିତ୍ୟର ସର୍ବାଧିକ ଗ୍ରହଣୀୟ ବିଭାଗ ବୋଲି କହିଥିଲେ ।ଏବର୍ଷର ବାର୍ତ୍ତା ‘ନାଟକ – ଶାନ୍ତିର ପ୍ରତୀକ’ ହେଉ ବୋଲି ସେ କାମନା କରିଥିଲେ । ବିଶିଷ୍ଟ ଅଭିନେତା ଉତ୍ତମ ଚାନ୍ଦ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ବିଶ୍ୱନାଟ୍ୟ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନ୍ୟତମ ନାଟ୍ୟାନୁଷ୍ଠାନ ‘କଳାକାର’ର ପ୍ରତିଷ୍ଠାତା ସଭାପତି ଅଭିନେତା, ନିର୍ଦ୍ଦେଶକ ସୁରଞ୍ଜନ ଦାସମହାପାତ୍ରଙ୍କୁ ‘ବିଶ୍ୱନାଟ୍ୟ ଦିବସ ସମ୍ମାନ-୨୦୨୩’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରମୋଥେସ ପୁହାଣ ମାନପତ୍ର ପାଠ କରିଥିବା ବେଳେ ସୁସ୍ମିତା ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପୁଅକୁ ଖୋଜି ଖୋଜି ନିପଟ ମଫସଲରୁ ବୁଢ଼ାଟିଏ ଆସି ପହଞ୍ଚେ ସହରରେ । ସହରରେ ୩ଦିନ ବୁଲିବା ପରେ ସନ୍ଧ୍ୟାରେ ବୁଢ଼ା ସହରର ଏକ ଗଳି ରାସ୍ତାରେ ପହଞ୍ଚାଯାଏ । ଚିନ୍ତା ବଢ଼ିଯାଏ ବୁଢ଼ାର । କ’ଣ କରିବ, କୁଆଡ଼େ ଯିବ ଏ ଅଜଣା ଜାଗାରେ ସେ । ସନ୍ଧ୍ୟା ଯାଇ ରାତି ହୁଏ । ଗଳି ଚଳଚଞ୍ଚଳ ହୋଇଉଠେ । କିଏ ଗଳିକୁ ଆସେ ତ କିଏ ଢଳିଢଳି ମାତାଲ ହୋଇ ଗଳିରୁ ଫେରୁଥାଏ । ଯୁବକଟିଏ ଭେଟହୁଏ ବୁଢ଼ା ସହିତ । କଥା ହୋଇ ବୁଢ଼ା ଜାଣେ ଗଳିର ନାମ ‘ଚମ୍ପାଗଳି’ । ଚମ୍ପାବାଇ ହେଉଛି ଗଳିର ମାଲିକାଣୀ । ଭାବିଚାଲେ ବୁଢ଼ା, କ’ଣ କରିବ । ‘ମନ’ ଓ ‘ବିବେକ’ ଅସ୍ତବ୍ୟସ୍ତ କରୁଥାଏ ବୁଢ଼ାକୁ । ‘ମୋ ପୁଅ କ’ଣ ଏଠାକୁ ଆସୁଥିବ? ଶେଷରେ ପୁଅସହ ଭେଟ ହୁଏ ଏହି ଚମ୍ପାଗଳିରେ । ବାପାକୁ ଦେଖି ନ ଚିହ୍ନିବାର ଅଭିନୟ କରେ । ବୁଢ଼ା ଉପରକୁ କିଛି ଟଙ୍କା ଫିଙ୍ଗିଦେଇ ‘ଏଇ ଟଙ୍କା ତୋର ପୁଅ ବୋଲି କହି ଚାଲିଯାଏ ତା’ ରାସ୍ତାରେ । ଏହିଭଳି ଆବେଗପୂର୍ଣ୍ଣ କଥାବସ୍ତୁକୁ ନେଇ ନାଟ୍ୟକାର ସ୍ୱର୍ଗତ ପୁରୁଷୋତ୍ତମ ଭୂୟାଁଙ୍କ ରଚିତ ନାଟକ ‘ଚଂପାଗଳି’ ‘ଶୋଭା’ ପକ୍ଷରୁ ମଞ୍ଚସ୍ଥ ହୋଇଯାଇଛି । ‘ଶୋଭା’ର ପ୍ରତିଷ୍ଠାତା ଆଶିଷ କୁମାର ବର୍ଦ୍ଧନ ଏଥିରେ ନିର୍ଦ୍ଦେଶନା ଦେଇଥିବା ବେଳେ ଅଜୟ ଆଲୋକ ପରିଚାଳନା, ସନ୍ତୋଷ କମିଳା ମଞ୍ଚ ଓ ରୂପ ସଂଯୋଜନା ଏବଂ ସଂଗୀତରେ ଗୁରୁ ନନ୍ଦ କିଶୋର ଦାସ ଦାୟିତ୍ୱ ତୁଲାଇଛନ୍ତି । ଦେବାନନ୍ଦ ପାଣିଗ୍ରାହୀ ଏଥିରେ ସକ୍ରିୟ ସହଯୋଗ କରିଛନ୍ତି । ଶୁଭଙ୍କର, ମଦନ, ଆଶିଷ, ଅର୍ଣ୍ଣବ, ସୁବ୍ରତ, ଲକ୍ଷ୍ମୀକାନ୍ତ, ରମ୍ୟା, ସୁରଜକାନ୍ତ ଓ ଅନନ୍ତ, ଅତିଥି କଳାକାର ପାର୍ଥ, କମଲ, ଅମର ଓ ବିଶେଷ ଭୂମିକାରେ ଜ୍ୟୋତିସ୍ପ୍ରୁହା ଓ ମାମା ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ