ଶୋଷଣ ନୀତିର ପ୍ରତିବାଦରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକ ୟୁନିଅନ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ପକ୍ଷରୁ ପ୍ରବଳ ବର୍ଷା ସତ୍ୱେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ଶ୍ରମ ବିଭାଗର ଶ୍ରମିକ ଶୋଷଣ, କଲ୍ୟାଣ ପାଣ୍ଠିର ହରିଲୁଟ ଓ ପ୍ରୀୟାପ୍ରୀତି ନୀତିର ସ୍ଥାୟୀ ସମାଧାନ କରିବା ପାଇଁ ୧୨ ଦଫା ଦାବୀରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଶ୍ରମ ଅଧିକାରୀମାନଙ୍କ ୟୁନିଅନ ବିରୋଧି ଆଭିମୂଖ୍ୟ,ମନୋମୁଖୀ ଓ ସ୍ୱେଛାଚାରିତା ନୀତି ଯୋଗୁଁ ହଜାର ହଜାର ନୀରିହ ଶ୍ରମିକ ବହୁ ଆର୍ଥିକ ଓ ଶ୍ରମ ଶୋଷଣର ଶିକାର ହେଉଛନ୍ତି । ଏ ସମସ୍ତ ସମସ୍ତ ଶ୍ରମିକ ମାରଣ ନୀତି ଓ ୟୁନିଅନ ବିରୋଧୀ ଆଭିମୁଖ୍ୟ ଶ୍ରମିକ ଶକ୍ତି ଜାତି,ବର୍ଣ, ଦଳରେ ଭାଗ ଭାଗ କରି କର୍ପୋରେଟ ସପକ୍ଷରେ ଶ୍ରମିକଙ୍କ ଅଖଣ୍ଡ ଏକତାକୁ ଧ୍ୱସଂ କରିବା ଷଡଯନ୍ତ୍ର ହେଉଅଛି । ଭୁଆଁବୁଲା ଓ ଟାଳଟୁଳ ନୀତି ଆପଣାଇ ଶ୍ରମିକଙ୍କ ପ୍ରକୃତ ଅଧିକାରରୁ ବଞ୍ଚିତ କରାଯାଉଛି । ହଜାର ହଜାର କଂପାନୀ ବନ୍ଦ ହୋଇ ଶ୍ରମିକ ମାନସିକ ଅବସାଦ ବଳୟ ଭିତରକୁ ଆସୁଥିବା ସମୟରେ କେନ୍ଦ୍ର ସରକାର ଶ୍ରମନୀତିରେ ସଂସ୍କାର କରି ବହୁ ଲଢ଼େଇରେ ହାସଲ ହୋଇଥିବା ୪୪ ଟି ଶ୍ରମ ଆଇନକୁ ୪ ଟି ଶ୍ରମକୋଡରେ ପରିଣତ କରି ଶ୍ରମିକଙ୍କ ଅବସ୍ଥା ଦୟନୀୟ କରି କର୍ପୋରେଟ କଂପାନୀର କ୍ରୀତଦାସ ହେବା ପାଇଁ ରାସ୍ତା ଉନ୍ନୁକ୍ତ କରୁଅଛି । ଏହି ସଂସ୍କାର ଫଳରେ ଅସଂଗଠିତ ଶ୍ରମିକଙ୍କ ଭବିଷ୍ୟତ ସଂପୂର୍ଣ ଭୁଷୁଡିପଡିବ । ଏପରି ଘଡିସନ୍ଧି ମୂହୁର୍ତ୍ତରେ ଶ୍ରମ ବିଭାଗର ଶ୍ରମିକ ମାରଣ ନୀତି ଓ ଶ୍ରମ ସଂସ୍କାର ନୀତିକୁ ପ୍ରତିରୋଧ କରିବା ପାଇଁ ଟି.ୟୁ.ସି.ଆଇ, ଆଇଫଟିୟୁ, ଏଆଇଟିୟୁସି, ଏଚଏମଏସ, ବିଏମଏସ, ଆଇଏନଟିୟୁସିି ସମେତ ସମସ୍ତ କେନ୍ଦ୍ରୟ ଶମିକ ସଂଗଠନ ଓ ସମସ୍ତ ପଞ୍ଜିକୃତ ଶ୍ରମିକ ସଂଗଠନ ସାମିଲ ହୋଇ ହଜାର ହଜାର ଶ୍ରମିକଙ୍କ ଶୋଭାଯାତ୍ରା କରି ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏ ନରେଗା ଶ୍ରମିକଙ୍କୁ ବ୍ଳକରେ କ୍ୟାମ୍ପ ମୋଡରେ ପଞ୍ଜିକରଣ କରାଯାଉଥିବା ବେଳେ ସେ ବ୍ଳକର ଅନ୍ୟ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣକୁ ଉପେକ୍ଷା କରାଯିବା ଓ ୩ ବର୍ଷରୁ ବାର୍ଷିକ ଦେୟ ଜମା କରି ନଥିବା ଶ୍ରମିକମାନଙ୍କ ନବୀକରଣ ଜମା କରିବା ପାଇଁ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାୟରେ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସମସ୍ୟା ସହ ୧୨ ଦଫା ଦାବୀ ସମ୍ବଳିତ ଦାବୀ ପତ୍ର ଶ୍ରମ କମିଶନରଙ୍କ ଉଦେ୍ଧଶ୍ୟରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏ ଦାବୀ ଗୁଡିକ ମଧ୍ୟରେ ଭୂମି ହୀନ ନିର୍ମାଣ ଶ୍ରମିକଙ୍କୁ ଜାଗା ଓ ଆବସ ଯୋଗାଇବା, ନିର୍ମାଣ ଓ ଅସଂଗଠିତ ଶ୍ରମିକଙ୍କ ପଞ୍ଜିକରଣ ଓ ସହାୟତା ପ୍ରଦାନ କ୍ଷେତ୍ରରେ ପ୍ରାପ୍ତି ସ୍ୱିକାରୋକ୍ତି ପତ୍ର, ସମୟ ସୀମା ନିର୍ଦ୍ଧାରଣ କରିବା, ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପିଲାମାନେ ଘରୋଇ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଅଧ୍ୟୟନ କରୁଥିଲେ ଶିକ୍ଷା ସହାୟତା ରାଶି ପ୍ରଦାନ କରାଯିବ ନାହିଁ ବୋଲି ଯେଉଁ ନିର୍ଦ୍ଧେଶନାମା ହୋଇଛି ଏହାର ତୁରନ୍ତ ପ୍ରତ୍ୟାହାର, ପଞ୍ଜିକୃତ ନିର୍ମାଣ ଶ୍ରମିକ ପାଇଁ ୧୦ ବର୍ଷ ବାର୍ଷିକ ନବୀକରଣ ଦେୟ ଦାଖଲ କରିଥିଲେ ପେନସନ ଦିଆଯିବ ବୋଲି ଯେଉଁ ନିର୍ଦ୍ଦେଶନାମା ଦିଆଯାଇଛି ତାହା ପ୍ରତ୍ୟାହାର କରି ପୂର୍ବ ନିର୍ଦ୍ଧେଶ ୫ ବର୍ଷ ନବୀକରଣକୁ କାର୍ଯ୍ୟକାରୀ କରିବା ଓ ସର୍ବନିମ୍ନ ମାସିକ ୩୦୦୦ଟଙ୍କା ପେନସନକୁ ବୃଦ୍ଧି, ବ୍ୟାକଲଗ ଫର୍ମକୁ ତୁରନ୍ତ ସହାୟତା ପ୍ରଦାନ କରି ପଞ୍ଜିକରଣ ଧାରାରେ ଅପଲୋଡ କରି ସହାୟତା ପ୍ରଦାନ କରିବା ଓ ବାରମ୍ବାର ନୂଆ ନୂଆ ନିୟମ ବାହାର କରି ପୁରୁଣା ଆବେଦନପତ୍ର ଗୁଡ଼ିକୁ ରିଜେକ୍ଟ କରି ବ୍ୟାପକ ଶ୍ରମିକଙ୍କୁ ଅଯଥା ହଇରାଣ ଓ ଖର୍ଚ୍ଚାନ୍ତକୁ ବନ୍ଦ କରିବା, ୩୨ ଗୋଟି ଶ୍ରମ କାର୍ଯ୍ୟାଳୟରେ ଭିନ୍ନ ଭିନ୍ନ ନୀୟମ ନକରି ସାରା ରାଜ୍ୟରେ ଏକ ପ୍ରକାର ଓ ସରଳୀକରଣ କରିବା । ସାଇକେଲ, କାମକରିବା ଯନ୍ତ୍ରପାତି ଓ ନିରାପତ୍ତା ଉପକରଣ ପ୍ରଦାନ ପାଇଁ କଲ୍ୟାଣବୋର୍ଡର ଯେଉଁ ନିର୍ଦ୍ଧେଶନାମା ଅଛି ତାକୁ ଖୋଲାଖୋଲି ଉଲଘଂନ କରି ନିଜସ୍ୱ ଢ଼ଙ୍ଗରେ ବାଣ୍ଟିବା ଓ ଘୋଟଳା କରି ଜିଲ୍ଲା ଶ୍ରମ ଅଧିକାରୀମାନେ କଲ୍ୟାଣପାଣ୍ଠିର ଅର୍ଥ ହଡପ କରିବା ସହ ନୀରିହ ଶ୍ରମିକଙ୍କୁ ନିମ୍ନମାନର ସାମଗ୍ରୀ ଦେଇ ଠକିଚାଲିଛନ୍ତି ଏଥିପାଇଁ ବୋର୍ଡର ନିର୍ଦ୍ଦେଶକୁ ଉଲଘଂନ କରିଥିବା ଅଧିକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଅର୍ଥ ଫେରସ୍ତ, ଶ୍ରମକାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି, କେନ୍ଦ୍ର ସରକାରଙ୍କ ଶ୍ରମ ସଂସ୍କାର ନୀତିକୁ ପତ୍ୟାହାର, ଶତକଡା ୮୦ ପ୍ରତିଶତ ସେସ ସଂପୃକ୍ତ ଜିଲ୍ଲାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ, ଗୃହ ନିର୍ମାଣ ସହାୟତା ଜଟିଳତା ବନ୍ଦ କରିବା, ବ୍ଳକ ଓ ପଞ୍ଚାୟତ ସ୍ତରରେ ରାଜନୀତି ଯୋଗୁଁ ଆବସା ରୁ ବଞ୍ଚିତ ହେଉଥିବା ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା, ଏଆଇଟିୟୁସି ର ନେତା ତଥା ଶ୍ରମିକ ସଂଗଠନର ଛାମୁଆ ନେତା ପ୍ରବୀଣ ଦାସ, ଟି.ୟୁ.ସି.ଆଇର ଶଙ୍କର ସାହୁ, ଆଇଏଫଟିୟୁର, ପ୍ରତାପ ପ୍ରଧାନ, ଏଚଏମଏସର ରାଜେନ୍ଦ୍ର ଦାସ, ମମତା ନାୟକ, ଶ୍ରୀକାନ୍ତ ପଣ୍ଡା, ସତ୍ୟନାରାୟଣ ତ୍ରିପାଠୀ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନର ରାମଚନ୍ଦ୍ର ବାଡତ୍ୟା, ବିଏମଏସର ରାଜେନ୍ଦ୍ର ନାୟକ, ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ଅପର ବସଷ୍ଟାଣ୍ଡ୍ ଠାରୁ ହଜାର ହଜାର ନିର୍ମାଣ ଶ୍ରମିକ ମାନେ ଏକ ଶୋଭାଯାତ୍ରା ବାହାରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ସଭା ଓ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଅପରପକ୍ଷରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ଯେ ଶ୍ରମିକ ମାନଙ୍କ ଯେଉଁ ଦାବି ରହିଛି ସେଗୁଡ଼ିକ ଜିଲ୍ଲାସ୍ତରରେ ଯେତିକି ସମ୍ଭବ ମୁଁ ଖୁବ୍ ଶୀଘ୍ର ଏହାର ସମାଧାନ କରିବାକୁ ଚେଷ୍ଟା କରିବି । ଏହା ସହ ବଳକା ରାଜ୍ୟ ଶ୍ରମ କମିଶନରଙ୍କ ନିକଟକୁ ପଠାଇବି ବୋଲି କହିଛନ୍ତି ।