ଶ୍ମଶାନରୁ ଜବତ ହେଲା ହାଡ଼-ପାଉଁଶ ସାଇଣ୍ଟିଫିକ ଟିମ୍ ର ତଦନ୍ତ ସ୍ବାମୀ ଶ୍ବଶୁର ଅଟକ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଭିଷ୍ମଗିରି ଗ୍ରାମ ମହାମାୟୀ ନଗର ପ୍ରଥମ ଲେନରେ ଗତ ଶନିବାର  ନାବାଳିକା ବୋହୂ ଙ୍କୁ ହତ୍ୟା ଘଟଣାରେ ପୋଲିସ ସୋମବାର  ଖୋଳତାଡ଼ କରିଥିବା ଜଣାପଡିଛି । ନାବାଳିକା ବୋହୂ  ହତ୍ୟାର ଦୁଇଦିନ ପରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଗ୍ରାମ ଶ୍ମଶାନରେ ପହଞ୍ଚି ମୃତକ ଙ୍କ ହାଡ଼ ଓ ପାଉଁଶ ଜବତ କରି ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ପୋଲିସ ଝିଅର ବାପା ଶିବରାମ ସାହୁ ଙ୍କ ଏତଲାକୁ ଭିତ୍ତିକରି ନାବାଳିକା ବୋହୂ ଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଭିଷ୍ମଗିରି ଗ୍ରାମର ରମେଶ ବିଷୋୟୀଙ୍କ ପୁଅ ଜିତେନ୍ଦ୍ର ବିଷୋୟୀ ଗତ କିଛି ମାସ ତଳେ ନାବାଳିକାଙ୍କୁ ଧରି ପ୍ରଥମେ ଗ୍ରାମରୁ ଫେରାର ହୋଇଯାଇଥିଲେ ଏବଂ କିଛିଦିନ ପରେ ସେମାନେ ପୁଣି ଗ୍ରାମକୁ ଫେରି ଗ୍ରାମ ନିକଟ ବଡପଦା ଉଦୟନାଥେଶ୍ୱର ମନ୍ଦିରରେ ବାହା ହୋଇଥିଲେ। ନବବଧୂ ବେଶରେ ନାବାଳିକା ଜଣକ ଶ୍ଵଶୁର ଘରକୁ ଯାଇଥିଲେ। ସବୁ କିଛି ଠିକ୍ ଠାକ୍ ଚାଲିଥିଲା।  ଜିତେନ୍ଦ୍ର ନାବାଳିକା ଙ୍କୁ ସ୍ତ୍ରୀ ର ମର୍ଯ୍ୟାଦା ଦେଇ  ନିଜ ଘରେ ରଖିଥିଲେ ।  ଶନିବାର ଅପରାହ୍ନ ପ୍ରାୟ ୨ ଟାରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଜିତେନ୍ଦ୍ରଙ୍କ ପରିବାର ଲୋକେ ତରବରିଆ ଭାବେ ସମ୍ପର୍କୀୟ ଙ୍କ ସହାୟତାରେ ଗ୍ରାମ ଶ୍ମଶାନରେ ବୋହୂ ଙ୍କୁ ପୋଡ଼ି ଦେବା ଘଟଣା ଗ୍ରାମବାସୀ ଙ୍କ ମନରେ ସନ୍ଦେହ ପ୍ରକାଶ ହୋଇଥିଲା । ତେବେ ଘଟଣା ଦିନ ଥାନାରେ କୈାଣସି ଏତଲା ହୋଇନଥିବା ବେଳେ ରବିବାର ସନ୍ଧ୍ୟାରେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଥାନା କେସ୍ ନଂ ୨୫୫/୨୪ ଅନୁସାରେ ମକଦ୍ଦମା ରୁଜୁ କରି ସ୍ବାମୀ ଜିତେନ୍ଦ୍ର ଓ ଶ୍ବଶୁରଙ୍କୁ ଅଟକ ରଖିଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ