ଶ୍ରମିକଙ୍କୁ କାମ କରାଇ ବିନାପାରିଶ୍ରମିକରେ ଜୀବନରେ ମାରିଦେବାକୁ ଧମକ
କେନ୍ଦ୍ରାପଡା : ଜନୈକ ରାଜମିସ୍ତ୍ରିଙ୍କୁ ଜିଲ୍ଲା ବାହାରୁ କାମ କରିବାକୁ ଆଣି ତାଙ୍କୁ ଦୀର୍ଘଦିନ ଧରି କାର୍ଯ୍ୟରେ ଲଗାଇବା ପରେ ସେ ପାରିଶ୍ରମିକ ମାଗିବାରୁ ତାଙ୍କୁ ସଂପୃକ୍ତ ଠିକାଦାର ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଖୋର୍ଦ୍ଦା ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଗୋରଡାଝରୀ ଗ୍ରାମର ଭଗବାନ ଦାଶ ଅଭିଯୋଗ କରିଛନ୍ତି ଯେ ସେ ଜଣେ ପଞ୍ଜିକୃତ ନିର୍ମାଣ ଶ୍ରମିକ(ରାଜମିସ୍ତ୍ରି) । ସ୍ୱଛ ଭାରତ ମିଶନରେ ପାଇଖିନା ନିର୍ମାଣ କରିବା ପାଇଁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଛରା ମଣ୍ଡପଡା ଗ୍ରାମର ପବିତ୍ର ରାଉତ ନାମକ ଠିକାଦାର ଭଗବାନଙ୍କ ସହିତ କଥାହୋଇ ଭଗବାନଙ୍କ ସମେତ ୯ଜଣ ରାଜମିସ୍ତ୍ରିଙ୍କୁ ଖୋର୍ଦ୍ଦାରୁ ଆଣି ଗତ ୨୦୧୯ମସିହା ଡିସେମ୍ବରମାସ ୧୬ତାରିଖ ଠାରୁ ୨୦୨୦ ମସିହା ଫେବୃୟାରୀମାସ ୧୫ତାରିଖ ପର୍ଯ୍ୟନ୍ତ ରାଜନଗର ବ୍ଲକ ଅଧିନସ୍ତ ଓସ୍ତିଆ ଗ୍ରାମ ପଂଚାୟତରେ ପାଇଖିନା ନିର୍ମାଣ କାର୍ଯ୍ୟ କରାଇଥିଲେ । ସଂପୃକ୍ତ ଠିକାଦାର ଜବାବ ଅନୁଯାଇ ଏହି ରାଜମିସ୍ତ୍ରିମାନଙ୍କୁ ଖାଇବା ବାବଦକୁ ୧ଲକ୍ଷ ୭ହଜାର ଟଙ୍କା ଦେଇଥିବା ବେଳେ ମଜୁରୀ ବାବଦକୁ ଏକଲକ୍ଷ ୮୩ହଜାର ଟଙ୍କା ମଧ୍ୟରୁ ମାତ୍ର ଏକଲକ୍ଷ ୭ହଜାର ଟଙ୍କା ଦେଇଥିଲେ । କିନ୍ତୁ ଅବଶିଷ୍ଟ ୯୬ହଜାର ଟଙ୍କା ସେମାନେ ମାଗିବାରେ ଠିକାଦାର ଶ୍ରୀ ରାଉତ ରାଜମିସ୍ତ୍ରିମାନଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ସେମାନଙ୍କ ମୁଣ୍ଡ କାଟି ରଖିଦେବ ବୋଲି ଧମକ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଭଗବାନଙ୍କ ସମେତ ଅନ୍ୟମାନେ ଗତ ଫେବୃୟାରୀମାସ ୨୪ତାରିଖରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି ପଦକ୍ଷେପ ନନେବାରୁ ସେମାନେ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଜଣାଇଥିଲେ । ଏହାପରେ ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ଜିଲ୍ଲାପାଳ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଆବଶ୍ୟକ ପଦକ୍ଷେପ ପାଇଁ ନିର୍ଦେଶ ଦେଇଥିଲେ ଅଦ୍ୟାବଧି ସେମାନଙ୍କ ମଜୁରୀ ମିଳିନଥିବା ଅଭିଯୋଗ ହୋଇଛି । ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ସେମାନେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଏତଦବ୍ୟତିତ ଗତ ମଙ୍ଗଳବାର ରାତି ପ୍ରାୟ ୭ଟା ସମୟରେ ରାଜନଗର ବ୍ଲକର ସମିତିସଭ୍ୟ ବୋଲି ପରିଚୟ ଦେଇ ମୋବାଇଲ ଫୋନ ଯୋଗେ ତାଙ୍କ ସହିତ ଗଲେ ସମସ୍ୟାର ସମାଧାନ କରିଦେବେ କହି ଭଗବାନକୁ ଏକ ବୁଲେଟରେ ନେଇଯାଇ ଏକ ନିଛାଟିଆ ଦଣ୍ଡା ରାସ୍ତାରେ ଯିବାରୁ ଏଥିରେ ସନ୍ଦେହକରି ଭଗବାନ ଗାଡିରୁ ଡେଇଁ ବିଲକୁ ଦୈାଡିପଳାଇ ଯାଇଥିଲେ । ସେଠାରୁ ପୋଲିସ ସହାୟତା ନମ୍ବର ୧୦୦କୁ ଫୋନକରି ଜଣାଇଥିଲେ ବି କୈାଣସି ସାହାଯ୍ୟ ପାଇନଥିବା ସେ ଅଭିଯୋଗ କରିଛନ୍ତି । ସେ ପରଦିନ ଜୀବନ ବଂଚାଇ ଭୂବନେଶ୍ୱର ପଳାଇଥିବା ବେଳେ ଆଜି ଡାକ ଯୋଗେ ରାଜନଗର ଥାନାକୁ ଲିଖିତ ଅଭିଯୋଗ ପଠାଇଥିବା ସୂଚନା ଦେଇଛନ୍ତି । ଏହି ରାଜମିସ୍ତ୍ରିମାନଙ୍କୁ ସୁରକ୍ଷା ପ୍ରଦାନ ସହିତ ସେମାନଙ୍କ ମଜୁରୀ ପାଇବାର ସୁବନ୍ଦୋବସ୍ତ କରାଯିବାକୁ ଭଗବାନ ଆଜି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।