ଶ୍ରମିକଙ୍କୁ କାମ ଯୋଗାଇବା  ଦାବୀରେ  ଏଆଇଟିୟୁସି, ସିପିଆଇ ଓ ଶ୍ରମିକ ନେତା  ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର  ( ଚି‌ତ୍ତରଂଜନ ଦାସ) : ଗୋପାଳପୁର ପୋର୍ଟର ତାଲିକା ଭୁକ୍ତ ସୁରଭାଇଜର୍ସ , ସ୍କେଲ ଓ ଟ୍ରାନସପୋର୍ଟ ଶ୍ରମିକଙ୍କୁ ବର୍ଷସାରା କାମ ଯୋଗାଇବା , ସୁପରଭାଇଜର ମାନଙ୍କୁ ନିୟମିତ କରିବା, ମୃତ , ବୟସ୍କ ଓ ରୋଗାଗ୍ରସ୍ତ ଶ୍ରମିକ ମାନଙ୍କ ବଦଳରେ ତାଙ୍କର ଉତ୍ତରାଧିକାରୀଙ୍କୁ କାମରେ ନିଯୁକ୍ତ କରିବାସମେତ ବିଭିନ୍ନ ଦାବୀ ନେଇ ମଙ୍ଗଳାବର ଏଆଇଟିୟୁସି ଓ ଶ୍ରମିକ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ସମ୍ବନ୍ଧରେ ତ୍ରିପାକ୍ଷୀ ଆଲୋଚନା କରାଯାଇ ତୁରନ୍ତ ସମାଧାନ ନକରାଗଲେ ଆଗାମୀ ଦିନରେ ଶ୍ରମିକମାନଙ୍କୁ ପକ୍ଷରୁ ବଡଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁରଭାଇଜର୍ସ , ସ୍କେଲ ଓ ଟ୍ରାନସପୋର୍ଟ ଶ୍ରମିକ ସଂଗଠନର ନେତା ତଥା ଯୁବ ନେତୃତ୍ୱ ଚିଙ୍କାରା ବେହେରା , କେଶବ ନାହାକ, ଇଶ୍ୱର ଖୁଣ୍ଟିଆ ଓ ପୂର୍ଣ୍ଣ ଚନ୍ଦ୍ର ଗୈାଡଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶ୍ରମିକ ସମାବେଶରେ ଏଆଇଟିୟୁସିର ରାଜ୍ୟନେତା ପ୍ରବୀଣ କୁମାର ଦାଶ, ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ସିପିଆଇ ଗଞ୍ଜାମ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଆଇନଜିବୀ ଡି.ଆଦିନାରାୟଣ ରେଡ୍ଡୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏନ.ଗିରିଜା ପ୍ରସାଦ ରେଡ୍ଡୀ, ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ସିଏଚ. ଜନାର୍ଦ୍ଦନା ରେଡ୍ଡୀ, ପ୍ରଫୁଲ କୁମାର ପାଣିଗ୍ରାହୀ, ନବୀନ ଗୈାଡ, ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକ,ଏସ.ତ୍ରିନାଥ ରେଡ୍ଡୀ ସମେତ ବହୁ ଏଆଇଟିୟୁସି ଓ ସିପିଆଇ ନେତା ମାନେ ଯୋଗଦେଇ ବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରାକାର ଶ୍ରମିକ ମାନଙ୍କୁ କାମ ଯୋଗାଇବାରେ ବିଫଳ ହୋଇ ଥିବାରୁ ତୀବ୍ର ସମାଲୋଚନା କରିଥିଲେ । ଏଥି ସହିତ ଆଗାମୀ ଦିନରେ ଶ୍ରମିକ ମାନଙ୍କୁ ବନ୍ଦର ପରିସରରେ ସବୁଦିନିଆ କାମ ଯୋଗାଇବା, ମୃତ ଓ ବୟସ୍କ ତଥା ଅସମର୍ଥ ଶ୍ରମିକମାନଙ୍କ ପରିବାରର ସଦସ୍ୟଙ୍କୁ କାମ ଯୋଗାଇବା ଏବଂ ପୋର୍ଟ ପରିସରରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ସଂଗଠନର ଶ୍ରମିକ ମାନଙ୍କୁ ଅଗ୍ରାଧିକାର ନଦେଲେ ଆସନ୍ତା ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ସେମାନେ ମଧ୍ୟ ଚେତାବନୀ ଦେଇଥିଲେ । ଏହି ଅବସରରେ ଚିଙ୍କାରା ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଡି.ଆଦିନାରାୟଣ ରେଡ୍ଡୀ, ନିଳକଣ୍ଠ ଦାଶ, କେଶବ ନାହାକ, ଇଶ୍ୱର ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ଗୈାଡ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ଶହଶହ ଶ୍ରମିକ ମାନେ ହାତରେ ଏଆଇଟିୟୁସିର ପତାକା ଧରି ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଶ୍ରମିକନେତା ନୀଳକଣ୍ଠ ଦାଶ, ଚିଙ୍କାରା ବେହେରା, କେଶବ ନାହାକ, କେ.ଗଣେଶ ରେଡ୍ଡୀ, ସିଏଚ.ଜନାର୍ଦ୍ଦନ ରେଡ୍ଡୀ, ଡି.ଆଦିନାରାୟଣ ରେଡ୍ଡୀ, କେଶବ ନାହାକ, ଦୁର୍ଯ୍ୟେଧନ ନାହାକ, ଇଶ୍ୱର ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ଗୈାଡ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ