ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଦେବେ ମନ୍ଦିର
ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଛନ୍ତି । ଏହା ସତ୍ତ୍ୱେ ବି ଅଧିକାଂଶ ଲୋକ ଏବେ ବି ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଏ ସାଇକେଲରେ ତ କିଏ ଚାଲିଚାଲି ଘରକୁ ଫେରୁନ୍ତି । ଭୋକ ଉପାସରେ ଦିନ ରାତି ଚାଲି ଚାଲି ଘରକୁ ଫେରୁଛନ୍ତି । ତେବେ ରାସ୍ତାରେ ଯାଉଥିବା ଶ୍ରମିକମାନଙ୍କୁ ଏଣିକି ବିଭିନ୍ନ ମନ୍ଦିର ରନ୍ଧାଖାଦ୍ୟ ଯୋଗାଇବେ । ଏନେଇ ରାଜ୍ୟର ପ୍ରାୟ ୮୦ଟି ମନ୍ଦିର ଟ୍ରଷ୍ଟକୁ ଦେବୋତ୍ତର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ଆନ୍ଧ୍ର ପଟୁ ଆସୁଥିବା ଶ୍ରମିକଙ୍କ ଲାଗି ରାୟଗଡ଼ାର ମଝିଘରିଆଣୀ ମନ୍ଦିରକୁ ରନ୍ଧାଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପଶ୍ଚିମବଙ୍ଗ ପଟୁ ଆସୁଥିବା ଶ୍ରମିକଙ୍କୁ ବାଲେଶ୍ୱର କ୍ଷୀରଚୋରା ଗୋପିନାଥ ମନ୍ଦିର ପକ୍ଷରୁ ରନ୍ଧାଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗରେ ରନ୍ଧାଖାଦ୍ୟ ଦେବାକୁ ମନ୍ଦିର ଟ୍ରଷ୍ଟକୁ ନିର୍ଦ୍ଦେଶ ଦିଆଯାଇଛି ।


