ଶ୍ରମିକନେତା ଓ ଯୁବ ସମାଜସେବୀ ବିକାଶ ଦାସଙ୍କ ବିୟୋଗରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସକାଳ ୯ ଘଟିକା ସମୟରେ ବାଲେଶ୍ୱର ଗାନ୍ଧି ଶାନ୍ତି ପ୍ରତିଷ୍ଠାନ କେନ୍ଦ୍ର ତରଫରୁ ଯୁବ ସମାଜସେବୀ, ଶ୍ରମିକନେତା ତଥା ଗାନ୍ଧୀବାଦୀ ଆଦର୍ଶରେ ଅନୁପ୍ରାଣିତ ଥିବା ବିକାଶ କୁମାର ଦାସଙ୍କ ଅକାଳ ବିୟୋଗରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆବାହକ ଏମ୍.ଡି. ଇସ୍ଲାମଙ୍କ ଆବାହନ କ୍ରମେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଅର୍ଚ୍ଚନା ନନ୍ଦୀ । ସର୍ବପ୍ରଥମେ ଦିବଂଗତ ବିକାଶ କୁମାର ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଳା ଦିଆଯାଇ ଅମର ଆତ୍ମାର ଶାନ୍ତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ବିକାଶ ଦାସ ଜଣେ ସ୍ୱଚ୍ଛ, ନିର୍ମଳ, ଗାନ୍ଧୀବାଦୀ ଶ୍ରମିକନେତା ଓ ନିଃସ୍ୱାର୍ଥପର ସମାଜସେବୀ ଥିଲେ ବୋଲି ମତ ପ୍ରକାଶ ପାଇଥିଲା । ତାଙ୍କ ଅକାଳ ବିୟୋଗରେ ବାଲେଶ୍ୱର ଜଣେ ମହାନ ବ୍ୟକ୍ତିତ୍ୱକୁ ହରାଇଅଛି ଏବଂ ସେ ଜଣେ ଯୁବ ଗାନ୍ଧୀବାଦୀ ବୋଲି ବକ୍ତବ୍ୟ ରଖାଯାଇଥିଲା । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଶ୍ରୀମତୀ ପ୍ରତିମା ପଣ୍ଡା ଭାବବିହ୍ୱଳ ହୋଇ କହିଥିଲେ କି “ହେ ଭଗବାନ, ଏପରି ଭଲ ମଣିଷକୁ ଆପଣ ଫେରାଇ ଦିଅ । ସେ ତା’ର ପରିବାରରେ ରହୁ ଓ ସମାଜର ମଙ୍ଗଳ କାମ ପାଇଁ ଲିପ୍ତ ରହୁ ।” ଏହି ସଭାରେ ସୁଶାନ୍ତ କୁମାର ମହାନ୍ତି, ବବିତା ରାଣୀ ଦାସ, ସକିଲା ବାନୋ, ବରିଷ୍ଠ ଆଇନଜୀବୀ ଦୀପକ କୁମାର ଦାସ, ସେକ୍ ନାଜିର, ଜିତେନ୍ଦ୍ର କୁମାର ଉପାଧ୍ୟାୟ, ନିରଞ୍ଜନ ପରିଡ଼ା, ବିଷ୍ଣୁ କୁମାର ମହାନ୍ତି, ଏଚ୍.ସି. ମହାନ୍ତି ପ୍ରମୁଖ ସମାଜସେବୀ ନିଜନିଜର ବକ୍ତବ୍ୟ ରଖିଥିଲେ । ସର୍ବଶେଷରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ପୂର୍ବତନ ବିଧାୟକ ସ୍ୱର୍ଗତ ଅନନ୍ତ ଦାସଙ୍କ ପାଇଁ ମଧ୍ୟ ନିରବ ପ୍ରାର୍ଥନା କରାଇଥିଲା ଓ ତାଙ୍କ ଅମର ଆତ୍ମାର ଶାନ୍ତି ପାଇଁ କାମନା କରାଯାଇଥିଲା ।