ଶ୍ରମିକମାନେ ଯେଉଁ ରାଜ୍ୟରେ ରହିଛନ୍ତି ବର୍ତ୍ତମାନ ପାଇଁ ସେହିଠାରେ ହିଁ ରହିବେ : କେନ୍ଦ୍ର ସରକାର
ନୂଆଦିଲ୍ଲୀ : ମହାମାରୀ ସଂକ୍ରମଣ ଯୋଗୁ କୃଷି, କଳକାରଖାନା, ନିର୍ମାଣ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ନିଜ କର୍ମସ୍ଥଳୀରୁ ଯାଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ଦ୍ୱାରା ସ୍ଥାପିତ ରିଲିଫ ଶିବିର ଓ ଆଶ୍ରୟସ୍ଥଳୀ ଗୁଡିକରେ ରହୁଛନ୍ତି । କେତେ ଗୁଡିଏ ଆବଦ୍ଧ ଅଞ୍ଚଳକୁ ଛାଡ଼ି ବାକି ସ୍ଥାନରେ ଆସନ୍ତା ୨୦ତାରିଖଠାରୁ ସଂଶୋଧିତ ନିୟମାବଳୀ ଅନୁସାରେ କାର୍ଯ୍ୟ ଆରମ୍ଭ ହେଉଥିବାରୁ ଏହି ଶ୍ରମିକମାନେ କଳକାରଖାନା, ନିର୍ମାଣ ଶିଳ୍ପ, କୃଷି ଓ ମନରେଗା ଆଦି କାର୍ଯ୍ୟରେ ନିୟୋଜିତ ହୋଇପାରିବେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବ ନିର୍ଦ୍ଦେଶ ୨୯ ମାର୍ଚ୍ଚ, ୧୫ ଏବଂ ୧୬ ଏପ୍ରିଲ ୨୦୨୦ ଅନୁସାରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ଏକ ଏସଓପି ଜାରି କରାଯାଇଛି । ଏହି ଏସଓପି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇ କଡାକଡି ଅନୁପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସେମାନଙ୍କ ଯାତାୟାତ ସୁବିଧା ପାଇଁ ନିମ୍ନରେ ଦିଆଯାଇଥିବା ମାର୍ଗଦର୍ଶିକାକୁ ଅନୁସରଣ କରାଯିବ । ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଦାଦନ ଶ୍ରମିକ ରହୁଛନ୍ତି ସେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ନାମ ପଞ୍ଜୀକୃତ କରିବା ସହ ନିଜର ପେଶା ସମ୍ପର୍କରେ ଉଲ୍ଲେଖ କରିବେ । ଏହା ସେମାନଙ୍କୁ ସେମାନଙ୍କ ପେଶା ସହ ସଂଶ୍ଳିଷ୍ଟ କାର୍ଯ୍ୟ ଯୋଗାଇବାରେ ସାହାଯ୍ୟ କରିବ । ଯେଉଁ ଶ୍ରମିକ ଗୋଷ୍ଠୀ ସେହି ରାଜ୍ୟ ମଧ୍ୟରେ ଥିବା ନିଜର କର୍ମକ୍ଷେତ୍ରକୁ ଫେରିବାକୁ ଚାହୁଁଥିବେ ସେମାନଙ୍କ ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯାଇ ନିଜ ନିଜ କର୍ମସ୍ଥଳୀକୁ ଯିବାକୁ ଅନୁମତି ମିଳିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଶ୍ରମିକମାନେ ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଅଛନ୍ତି ବର୍ତ୍ତମାନ ପରିସ୍ଥିତିରେ ସେମାନେ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ । ସେମାନେ ଯେଉଁ ବସରେ ଯାତ୍ରା କରିବେ ସେଥିରେ ସାମାଜିକ ଦୂରତ୍ୱ କଡାକଡି ଭାବେ ପାଳନ କରାଯିବ ଓ ପରିବହନ ପାଇଁ ଉଦ୍ଦିଷ୍ଟ ବସକୁ ସ୍ୱାସ୍ଥ୍ୟବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ବିଶୋଧନ କରାଯିବ । କୋଭିଡ ପରିସ୍ଥିତିର ପରିଚାଳନା ପାଇଁ ଏପ୍ରିଲ ୧୫ ତାରିଖରେ ଜାରି ହୋଇଥିବା ଜାତୀୟ ମାର୍ଗଦର୍ଶିକାକୁ କଡାକଡି ପାଳନ କରିବାକୁ ପଡିବ । ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସମୟରେ ସ୍ଥାନୀୟ କର୍ତ୍ତୃପକ୍ଷ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦେବେ ।