ଶ୍ରମ ଆଇନ୍ ସଂଶୋଧନ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଭାରତୀୟ ମଜୁଦର ସଂଘ, ଖୋର୍ଦ୍ଧା ଜିଲ୍ଲା ତରଫରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ୬ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୪ଟି ଶ୍ରମ କୋଡରେ ଥିବା ଶ୍ରମିକ ବିରୋଧି ନୀତିକୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ସହିତ ସଂଘ ତରଫରୁ ଦିଆଯାଇଥିବା ସଂଶୋଧନ ପ୍ରସ୍ତାବକୁ ବିଚାରକୁ ନେବା ଆଜିର କାର୍ଯ୍ୟକ୍ରମର ମୁଖ୍ୟଦାବି ଥିଲା ।ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ଦ୍ୱାରା କବଳିତ ଏହି ମହାମାରୀରେ ଦେଶରେ କୋଟି କୋଟି ଶ୍ରମିକମାନେ କର୍ମସଂସ୍ଥା ହରାଇ ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଥିବା ବେଳେ ସରକାରଙ୍କ ଦ୍ୱାରା ପାରିତ ଏହି ଶ୍ରମ କୋଡ ବେଡି ଉପରେ କରଡ଼ା ଭଳି । ଦେଶରେ ଥିବା ସମସ୍ତ ଶ୍ରମିକ ତଥା ଜନସାଧାରଣଙ୍କ ନିମନ୍ତେ ସଂଘ ତରଫରୁ ନିମ୍ନ ଦାବୀଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରାଯାଇଅଛି ଯଥା :-
୧) ଶ୍ରମ କୋଡରେ ଥିବା ସମସ୍ତ ଶ୍ରମିକ ବିରୋଧି ନୀୟମକୁ ପ୍ରତ୍ୟାହାର କରିବା ।
୨) ଗୁଜୁରାଟ ମଡେଲ୍ ଶ୍ରମ ନିୟମରେ ସୁଧାର ପ୍ରକ୍ରିୟାକୁ ରଦ୍ଧ କରିବା ।
୩) ସମସ୍ତ ପେନ୍ସନ୍ ସ୍କିମ୍ର ପୁନଃବିଚାର କରାଯାଇ ସର୍ବନିମ୍ନ ୩୦୦୦ ଟଙ୍କା ପେନ୍ସନ୍ ପ୍ରଦାନ କରିବା ।
୪) ଭାରତ ଭଳି ଜନବହୁଳ ଦେଶରେ ନୂତନ ନିଯୁକ୍ତି ସୃଷଟି ପାଇଁ ସ୍ୱତନ୍ତ୍ର ନିଯୁକ୍ତି ନିୟମ ପ୍ରଣୟନ କରିବା ।
୫) ପ୍ରବାସୀ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷାକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକ ଆଇନ୍କୁ ସଂଶୋଧନ କରିବା ଏବଂ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ।
୬) ଦେଶରେ ପ୍ରଚଳିତ ଜି.ଡି.ପି. ଆଧାରିତ ବିକାଶର ମାପଦଣ୍ଡକୁ ପ୍ରତ୍ୟାଖାନ କରି ଭାରତୀୟ ନୀତି ଆଧାରରେ ବିକାଶକୁ ପରିଭାଷିତ କରିବା ଇତ୍ୟାଦି ।
ଆଜିର ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ଶ୍ରୀ ଗଣେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗିରିଶ ଚନ୍ଦ୍ର ମହନ୍ତ, ପୁରୀ ବିଭାଗ ପ୍ରଭାରୀ ଶ୍ରୀ ବିଜୟ କୁମାର ପାତ୍ର ପ୍ରମୁଖ ସଭାକୁ ସମ୍ବୋଧନ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଶାନ୍ତିଲତା ସେଠୀଙ୍କ ନେତୃତ୍ୱରେ ଏକ ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।


