ଶ୍ରମ ଓ ଶ୍ରମିକ : ଏକ ଦୃଷ୍ଟିଭଙ୍ଗୀ
–
ଉକ୍ରଳମଣି ଗୋପବନ୍ଧୁ ଲେଖିଥିବା ଉକ୍ତିଟି –
“ମାନବ ଜୀବନ ନୁହଇ କେବଳ
ବର୍ଷ, ମାସ, ଦିନ, ଦଣ୍ଡ ।
କର୍ମେ ଜୀଏଁ ନର କର୍ମ ଏକାତାର
ଜୀବନର ମାନଦଣ୍ଡ ।”
ଅର୍ଥାତ୍ କର୍ମ ହେଉଛି ମନୁଷ୍ୟର ଜୀବନ ତଥା ସୁଖ ସମ୍ପତିର ହେତୁ । ପୁନଶ୍ଚ ପ୍ରାକ୍ ଐତିହାସିକ ଯୁଗର ଅରଣ୍ୟକାରୀ ମାନବ ଆଜି ସୁଖ, ସମୃଦ୍ଧି, ବିଳାସ ଓ ଐଶ୍ୱର୍ଯ୍ୟର ଅତ୍ୟୁଚ୍ଚ ଶିଖରରେ ଅଧିଷ୍ଠିତ । ମାନବର କାୟିକ ଓ ମାନସିକ ଶ୍ରମ ହେଉଛି ଉକ୍ତ ଗୈାରବର ଭିତି । ଆଜିର ଅବସ୍ଥାରେ ପହଂଚିବାକୁ ମନୁଷ୍ୟକୁ ଯୁଗ ଯୁଗ ଧରି ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିଛି । ଫଳରେ ସମ୍ପ୍ରତି ସଭ୍ୟତାର ସ୍ରୋତ ନିୟତ ଚଂଚଳ ନଦୀଟିଏ ଭଳି ଆଗେଇ ଚାଲିଛି । ତୀବ୍ରତର ଜୀବନ ସଂଗ୍ରାମ ମଧ୍ୟରେ ନିଜର ସ୍ଥିତି ସାବ୍ୟସ୍ତ କରିବା ନିମନ୍ତେ କର୍ମ ହେଉଛି ବିଧାତାର ବହୁ ମୂଲ୍ୟ ନିର୍ଦ୍ଦେଶ କହିଲେ ଭୂଲ୍ ହେବ ନାହିଁ । ସେଥିପାଇଁ ଇଂରାଜୀରେ କୁହାଯାଇଛି – “ୱାକର୍୍ ଇଜ୍ ୱାର୍କ୍ସିପ୍” । ଅର୍ଥାତ୍ କର୍ମ ହିଁ ଭଗବାନ୍ । ଦୃଷ୍ଟାନ୍ତ ସ୍ୱରୂପ – କୋଟି କୋଟି ଟଙ୍କା ବ୍ୟୟରେ ବଡ ବଡ ଯୋଜନାମାନ ପ୍ରସ୍ତୁତ କରାଯାଉଛି । ଏହା ରୁପାୟିତ ହେଉଛି କାୟିକ ଓ ମାନସିକ ଉଭୟ ପ୍ରକାର ଶ୍ରମର ସମନ୍ୱୟରେ । ବନ୍ଧବାଡ, ରାସ୍ତାଘାଟ, ସୁରମ୍ୟ ଅଟ୍ଟାଳିକା, ବୃହତ ଶିଳ୍ପାନୁଷ୍ଠାନ ଇତ୍ୟାଦି ସବୁର ପଶ୍ଚାତରେ ରହିଛି ମନୁଷ୍ୟର ଶ୍ରମ ଝାଳ । କୃଷକ, ଶ୍ରମିକ, ସୈନିକ, ଶିଳ୍ପୀ, କଳାକାର, ଶିକ୍ଷକ, ଡାକ୍ତର, ଇଞ୍ଜିନିୟର୍ ଇତ୍ୟାଦି ସମସ୍ତେ ଶ୍ରମରତ । ଅଧୁନା ମନୁଷ୍ୟ ତା’ର କ୍ରମାଗତ ପ୍ରଚେଷ୍ଟା ଫଳରେ ଆଜି ପ୍ରକୃତିକୁ କରାୟତ କରିବାର ସାମର୍ଥ୍ୟ ହାସଲ କରିପାରିଛି । ତା’ ହୋଇନଥିଲେ ସେ ପ୍ରାକ୍ ଐତିହାସିକ ଯୁଗର ଅନ୍ଧକାର ମଧ୍ୟରେ ସେଇଭଳି ବର୍ବର ଜୀବନ ଯାପନ କରୁଥାନ୍ତା । ସଂସାରରେ ଶ୍ରମର ବିରାମ ନାହିଁ । ମାନବ ସଭ୍ୟତାର ଯାହା କିଛି ଶ୍ରେଷ୍ଠ ବରଦାନ, ତାହା ହେଉଛି ମନୁଷ୍ୟର ଶ୍ରମ ଓ ଅଧ୍ୟବସାୟର ଫଳ । କେବଳ ମନୁଷ୍ୟ ନୁହେଁ, ସମଗ୍ର ପ୍ରାଣୀ ଜଗତରେ ଶ୍ରମର ଗୈାରବ ସ୍ୱୀକୃତ ହୋଇଅଛି । ବିଶାଳ ବିଶ୍ୱ ପ୍ରକୃତି ମଧ୍ୟରେ ଅସରନ୍ତି ସମ୍ପତି ସଂଚିତ ହୋଇ ରହିଛି । ଇତର ପ୍ରାଣୀମାନେ ଆବଶ୍ୟକତା ଅନୁଯାୟୀ ନିଜର ଶ୍ରମ ବଳରେ ସେଗୁଡିକ କରନ୍ତି । ମନୁଷ୍ୟ ଭଳି ସେମାନଙ୍କର ମଧ୍ୟ ଖାଦ୍ୟ, ବାସ ଓ ନିରାପତା ଆବଶ୍ୟକ ହୋଇଥାଏ । ସେଥିପାଇଁ ସେମାନେ ମଧ୍ୟ ଯଥେଷ୍ଟ ଶ୍ରମ କରିଥାନ୍ତି । ସୁତରାଂ ଏହି ବିରାଟ ଜୀବ ସୃଷ୍ଟି ହେଉଛି ଶ୍ରମ କୈନ୍ଦ୍ରିକ । ଶ୍ରମ ଯେମିତି ଜୀବଜଗତର ଏକ ସ୍ୱାଭାବିକ ଧର୍ମ, ବିଳାସପ୍ରିୟତା ଓ ସମ୍ଭୋଗଶୀଳତା ହେଉଛି ସେମିତି ମନୁଷ୍ୟର ଏକ ମୈାଳିକ ପ୍ରକୃତି । ଶ୍ରମର ମହତ୍ୱ ସର୍ବଦା ସ୍ୱୀକୃତ ହୋଇଥିଲେ ମଧ୍ୟ ଆଧୁନିକ କାଳରେ ମନୁଷ୍ୟଠାରେ ଅଧିକ ପରିମାଣରେ ଶ୍ରମକୁଣ୍ଠା ବା ଆଳସ୍ୟ ପରିଲକ୍ଷିତ ହେଉଅଛି । ବିଶେଷ କରି ଶାରୀରିକ ଶ୍ରମ ପ୍ରତି ଆଧୁନିକ ଶିକ୍ଷିତ ମାନବ ସମ୍ପୂର୍ଣ୍ଣ ବିମୁଖ । ଏହା ଅଧିକତର ଭାବେ ଭାରତୀୟମାନଙ୍କ ଚରିତ୍ରରେ ପରିଲକ୍ଷିତ ହୋଇଥାଏ । ପୂର୍ବେ ରାଜା, ମହାରାଜା ଓ ଧନୀ ଜମିଦାରମାନେ ଭୃତ୍ୟମାନଙ୍କ ଦ୍ୱାରା ପରିବୃତ ହୋଇ କାଳାତିପାତ କରୁଥିଲେ ଓ ନିଜର କୈାଣସି ଶାରୀରିକ ଶ୍ରମ ନକରି ଅନ୍ୟମାନଙ୍କ ଦ୍ୱାରା ତାହା କରାଉଥିଲେ । ଉଦାହରଣ ସ୍ୱରୂପ – ପଞ୍ଜାବର କାପୁରତଲାର ଜଣେ ପୂର୍ବତନ ରାଜା ନିଜର ପାଇଜାମା ଖୋଲିବା ପାଇଁ ଭୃତ୍ୟ ନିଯୁକ୍ତ କରିଥିଲେ । ସ୍ୱାଧୀନତା ପରେ ଶାରୀରିକ ଶ୍ରମକୁ ମର୍ଯ୍ୟାଦା ଦିଆଯିବା ପାଇଁ ସାମ୍ବିଧାନିକ ନିର୍ଦ୍ଦେଶ ଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା ହେଉ ନାହିଁ । ଗାନ୍ଧି, ବିନୋବା, ଜୟପ୍ରକାଶ, ଗୁଲଜାରିଲାଲ ନନ୍ଦା, ସୀମାନ୍ତ ଗାନ୍ଧି ପ୍ରଭୃତି ନିଜର ସମସ୍ତ କର୍ମ ନିଜେ କରି ଯେଉଁ ଆଦର୍ଶ ସୃଷ୍ଟି କରିଥିଲେ, ସେ ଆଦର୍ଶ ଆଜି କ୍ୱଚିତ୍ ପାଳନ କରାଯାଉଛି । ସରକାରୀ ଦପ୍ତରମାନଙ୍କରେ ଅଡର୍ଲି ପଦବୀ ଉଠାଇ ନେବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ତାହା ହେଉ ନାହିଁ । ହୋଟେଲ୍ମାନଙ୍କରେ ଜଣକର ଅଇଁଠା ବାସନ ଅନ୍ୟ ଜଣେ ଉଠାଉଛି । ଶ୍ରମର ମର୍ଯ୍ୟାଦା ଯେ ସ୍ୱାଧୀନ ଭାରତରେ ପ୍ରତିଷ୍ଠିତ ହୋଇ ନାହିଁ, ଏହା ହେଉଛି ତା’ର ପ୍ରମାଣ । ସ୍ୱାଧୀନତାର ପରବର୍ତୀ କାଳରେ ରାଷ୍ଟ୍ରରେ ଶ୍ରମର ମର୍ଯ୍ୟାଦା ପ୍ରତିଷ୍ଠା କରିବା ନିମନ୍ତେ ସରକାର ଶ୍ରମଦାନ ଆନ୍ଦୋଳନ ନାମରେ ଗୋଟିଏ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ମାତ୍ର ଆନ୍ତରିକତା ଅଭାବରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରି ନଥିଲା । ଏବେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ନେଇ ଜାତୀୟ ସେବା ସଂସ୍ଥା ନାମରେ ଅନୁଷ୍ଠାନ ଗଠନ କରାଯାଇଛି । ଉକ୍ତ ସଂସ୍ଥା ଅଧୀନରେ ପ୍ରତ୍ୟେକ କଲେଜର ଛାତ୍ରଛାତ୍ରୀ ସ୍ୱେଛାକୃତ ଭାବେ ଶ୍ରମଦାନ ପୂର୍ବକ କାର୍ଯ୍ୟ କରୁଛନ୍ତି । ଛୁଟି ଦିନମାନଙ୍କରେ ସେମାନେ ଶ୍ରମ ଶିବିର ସ୍ଥାପନ କରି ବିଭିନ୍ନ ଅଂଚଳରେ ବସ୍ତି ସଫେଇ, କ୍ଷୁଦ୍ର କ୍ଷୁଦ୍ର ବନ୍ଧ ନିର୍ମାଣ, ପୁଷ୍କରିଣୀରୁ ଦଳ ସଫା କରିବା, ଔଷଧ ବିତରଣ କରିବା, ଇତ୍ୟାଦି କାର୍ଯ୍ୟ ହାତକୁ ନେଇଛନ୍ତି । ଏଥିପାଇଁ ବିଶ୍ୱବିଦ୍ୟାଳୟ ତରଫରୁ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ଏହା ଅବଶ୍ୟ ଏକ ଉତମ ଯୋଜନା, ମାତ୍ର ଉକ୍ତ ଯୋଜନାର ସଫଳତା ସମୁଦ୍ରକୁ ଶଙ୍ଖେ ଭଳି । ଶିକ୍ଷା ଶେଷରେ ଛାତ୍ରଛାତ୍ରୀମାନେ ଏହି ଆଦର୍ଶକୁ ବ୍ୟକ୍ତିଗତ ଜୀବନରେ ପାଳନ କରୁନାହାନ୍ତି । ଆଜି ବେଦ, ଉପନିଷଦ, ରାମାୟଣ, ମହାଭାରତ ଇତ୍ୟାଦି ଯେଉଁ ମହାମୂଲ୍ୟ ଗ୍ରନ୍ଥସବୁ ମନୁଷ୍ୟର ଜ୍ଞାନଞ୍ଜନ ରୂପେ ବିବେଚିତ ହେଉଅଛି ବା ପୃଥିବୀର ବିଭିନ୍ନ ଭାଷାର କାଳଜୟୀ ସାରସ୍ୱତ କୃତିମାନ ମାନବ ସମାଜର ପ୍ରୀତିବର୍ଦ୍ଧନ କରୁଅଛି, ତାହା ଆମ୍ଭରି ଭଳି ଜଣେ ଜଣେ ବ୍ୟକ୍ତିବିଶେଷଙ୍କର ବୈାଦ୍ଧିକ ଆୟସର ଫଳ । ସେହିମାନଙ୍କ ଶ୍ରମ ଫଳରେ ଆଜିର ବିଜ୍ଞାନ ଜଗତରେ ଅଦ୍ଭୂତ କାର୍ଯ୍ୟମାନ ସାଧିତ ହେଉଅଛି । ତାହାର ଫଳ ସମଗ୍ର ମାନବ ସମାଜ ଭୋଗ କରୁଛି ଏବଂ ସେହି ପରମ ସାଧକମାନେ ପ୍ରାତଃସ୍ମରଣୀୟ ହୋଇ ରହିଛନ୍ତି । ଗାଲିଲିଓ, ନିଉଟନ୍, ମାର୍କୋନୀ, ଏଡିସନ୍, ଲୁଇ ପାଶ୍ଚର, ମାଡାମ୍ କ୍ୟୁରି, ଆଲେକ୍ଜାଣ୍ଡାର୍ ଫ୍ଲେମିଙ୍ଗ୍ ପ୍ରଭୃତି ମନୀଷୀଗଣ ବହୁ ଶ୍ରମ ସ୍ୱୀକାର କରି ଯେଉଁ ମହାମୂଲ୍ୟ ଅବଦାନ ଆମକୁ ଉତ୍ସର୍ଗ କରିଛନ୍ତି, ତାହା ସେମାନଙ୍କୁ ଯୁଗ ଯୁଗ ଧରି କାଳଜୟୀ କରି ରଖିବ । ଆଧୁନିକ ଯୁଗରେ ମହାକାଶର ରହସ୍ୟ ଭେଦ କରିବାକୁ ବିଜ୍ଞାନୀମାନେ କମ୍ ଶ୍ରମ ସ୍ୱୀକାର କରୁନାହାନ୍ତି । ସେମାନଙ୍କର ଅତନ୍ଦ୍ର ସାଧନା ଫଳରେ ବିଜ୍ଞାନ ଜଗତରେ ବହୁ ବିସ୍ମୟକର ତଥ୍ୟମାନ ଆବିସ୍କୃତ ହୋଇଅଛି । ଶ୍ରମବିମୁଖ ଜାତିକୁ ପରଜୀବୀ ବୋଲି ବୁଝିବାକୁ ହେବ । ଏଭଳି ଜାତିର ଭବିଷ୍ୟତ କେବେ ଉଜ୍ଜ୍ୱଳ ନୁହେଁ । ଚୀନ୍, ଜାପାନ୍, ଆମେରିକା, ଜର୍ମନ୍ ଭଳି ରାଷ୍ଟ୍ରରେ ଶ୍ରମର ମର୍ଯ୍ୟାଦା ପ୍ରତିଷ୍ଠିତ ହୋଇଅଛି । ସେ ଦେଶରେ ଉଚ୍ଚ ଶିକ୍ଷିତ ସମ୍ଭ୍ରାନ୍ତବର୍ଗ ଶାରୀରିକ ଶ୍ରମକୁ ନ୍ୟୁନଜ୍ଞାନ କରନ୍ତି ନାହିଁ । ଅଥଚ ଭାରତରେ ବୃଥା ସ୍ୱାଭିମାନ ଏବଂ ଆଭିଜାତ୍ୟ ଗର୍ବ ଅଧିକ । ଏହାର ନିରାକରଣ ନିମନ୍ତେ ଛାତ୍ରଛାତ୍ରୀ, ଶିକ୍ଷକ, ସରକାରୀ ଓ ବେସରକାରୀ କର୍ମଚାରୀ, କ୍ଷମତାସୀନ ରାଜନୀତିକ ନେତୃବୃନ୍ଦଙ୍କ ପାଇଁ ଶାରୀରିକ ଶ୍ରମକୁ ବାଧ୍ୟତାମୂଳକ କରାଯିବା ଉଚିତ । ବର୍ଷରେ ନିର୍ଦ୍ଦିଷ୍ଟ କେତେ ଦିନ ସେମାନଙ୍କ ପାଇଁ ଶ୍ରମ ଦିବସ ଭାବେ ନିର୍ଦ୍ଧାରିତ ହେଲେ ଭଲ ହୁଅନ୍ତା । କୈାଣସି କଳକାରଖାନା, ବନ୍ଧବାଡ, ପୋଲ ବା କୋଠାବାଡି ଉଦ୍ଘାଟନ କଲାବେଳେ ସେହି କାର୍ଯ୍ୟରେ ନିୟୋଜିତ ହୋଇଥିବା କେତେ ଜଣ ଶ୍ରମିକଙ୍କୁ ସମ୍ମାନ ଦିଆଯିବା ଉଚିତ । ଶିକ୍ଷିତ ଓ ପଦସ୍ଥ ବ୍ୟକ୍ତିମାନଙ୍କଠାରୁ ଶ୍ରମଦାନ ଆନ୍ଦୋଳନ ଆରମ୍ଭ ହେଲେ, ବାସ୍ତବରେ ଶ୍ରମର ମର୍ଯ୍ୟାଦା ପ୍ରତିଷ୍ଠିତ ହୋଇପାରିବ ବୋଲି ଆଶା ତଥା ବିଶ୍ୱାସ ।
ଅମିନୀଲୁ ରାୟ. ଜଗତ୍ସିଂହପୁର / ମୋ – ୯୯୩୭୪୧୨୫୧୫