ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକ ଶୋଷଣ ବିବାଦ : ମିଥ୍ୟା ଖବର ଓ ଅଭିଯୋଗକାରୀଙ୍କ ବିରୋଧରେ ନ୍ୟାୟାଳୟ ଯିବେ ଶ୍ରମିକ ନେତା

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ କରାଇ ଦେବା ଆଳରେ ଶ୍ରମିକ ନେତା ବିରଞ୍ଚି ପ୍ରଧାନ ସାଧାରଣ ଲୋକଙ୍କଠାରୁ ଅର୍ଥ ଶୋଷଣ କରୁଥିବା ଅଭିଯୋଗରେ ଗତ ୧୬ ତାରିଖରେ ପ୍ରମୁଖ ଖବର କାଗଜରେ ପ୍ରକାଶିତ ସମ୍ବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମିକ ନେତା ଶ୍ରୀ ପ୍ରଧାନ । ‘ବାଲେଶ୍ୱର ନିର୍ମାଣ ସଂଘ ସମନ୍ୱୟ ସମିତି’ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ଯୋଗଦେଇ ଭିତ୍ତିହୀନ ଖବରକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ବିଶେଷ କରି ଉପ-ଶ୍ରମ ଆୟୁକ୍ତଙ୍କ ନିକଟରେ ତଥାକଥିତ ଶ୍ରମିକ ନେତାମାନେ ମିଳିତ ଭାବେ କରିଥିବା ଅଭିଯୋଗ ଅମୂଳକ ବୋଲି ସେ କହିଛନ୍ତି । ପଞ୍ଜୀକୃତ ନିର୍ମାଣ ଶ୍ରମିକ ସଂଘର କର୍ମକର୍ତ୍ତା କେବେଳ ସେ ନୁହନ୍ତି ବରଂ ନିର୍ମାଣ ଶ୍ରମିକ ସମନ୍ୱୟ ସମିତିରେ ଅନ୍ତର୍ଭୁକ୍ତ ବିଭିନ୍ନ ସଂଗଠନର ବହୁ ଶ୍ରମିକନେତା ପ୍ରତିଦିନ ଲୋକଙ୍କୁ ସାହାଯ୍ୟ ସହଯୋଗ କରନ୍ତି । ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, ନବୀକରଣ ଓ ବିଭିନ୍ନ ଯୋଜନାରେ ଶ୍ରମିକ କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନରେ ସାହାଯ୍ୟ ସହଯୋଗ କରିବା ପଞ୍ଜୀକୃତ ଶ୍ରମିକ ସଂଗଠନର କର୍ମକର୍ତ୍ତାଙ୍କ ମୌଳିକ କର୍ତ୍ତବ୍ୟ ଅଟେ । ଅଭିଯୋଗ କରୁଥିବା ବ୍ୟକ୍ତିମାନେ କୌଣସି ପଞ୍ଜୀକୃତ ନିର୍ମାଣ ଶ୍ରମିକ ସଂଘର କର୍ମକର୍ତ୍ତା ବା ସଦସ୍ୟ ନଥାଇ ଶ୍ରମ କାର୍ଯ୍ୟାଳୟରେ ଦଲାଲି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଆରୋପ ଉଠାଇଛନ୍ତି । ସକାଳଠାରୁ ସଂଧ୍ୟା ପର୍ଯ୍ୟନ୍ତ ଶ୍ରମ କାର୍ଯ୍ୟାଳୟରେ ଡେରା ପକାଇବା ସହ ମିଥ୍ୟା ପ୍ରତିଶ୍ରୁତି ଦେଇ ସାଧାରଣ ଲୋକଙ୍କୁ ଠକି ଅର୍ଥ ଶୋଷଣ କରି ଚାଲିଥିଲେ । ତେବେ ସରକାରଙ୍କ ଶ୍ରମ ନୀତି ଅନୁସାରେ ଆମ୍ଭେମାନେ ନିର୍ମାଣ ଶ୍ରମିକ ସଂଗଠନ ପଞ୍ଜୀକରଣ ସହ ବିନା ଅର୍ଥରେ ବା ସ୍ୱଳ୍ପ ଅର୍ଥରେ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ଦ୍ୱାରା ସେମାନଙ୍କ ଦଲାଲିରେ ବାଧା ଉପୁଜିବାରୁ ସେମାନେ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏନେଇ ସେ ଅଭିଯୋଗକାରୀଙ୍କ ସମେତ ମିଥ୍ୟା ଖବର ଛାପିଥିବା ଗଣମାଧ୍ୟମଙ୍କ ବିରୋଧରେ ଖୁବଶୀଘ୍ର ନ୍ୟାୟାଳୟରେ ଆଶ୍ରୟ ନେବେ ବୋଲି ସେ ଚେତବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦାମୋଦର ଦାଶ ଓ ଦେବେନ୍ଦ୍ର ମଲିକ ପ୍ରମୁଖ ଶ୍ରମିକ ନେତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ