ଶ୍ରାବଣ ସରିବାକୁ ବସିଲା, ବର୍ଷା ନାହିଁ, ୭୦ଭାଗ ଜମି ପଡିଛି ପଡିଆ, ଚାଷୀ ହତାଶ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଶ୍ରାବଣ ସରିବାକୁ ବସିଲା, ବର୍ଷାର ଦେଖାନାହିଁ, ଗତ ଜୁଲାଇ ମାସରେ ମାତ୍ର ୪୮ ମିଲିମିଟର ବର୍ଷା ହୋଇଥିବାରୁ ଏବେ ହଜାର ହଜାର ହେକ୍ଟର ଚାଷ ଜମି ପଡିଆ ପଡିଛି। ମୋଟ ୨୮ହଜାର ୧୧୦ହେକ୍ଟର ଚାଷ ଜମି ମଧ୍ୟରୁ ମାତ୍ର୮ହଜାର ହେକ୍ଟର ଚାଷ ଜମିରେ କେନାଲ ପାଣି ଦ୍ୱାରା ଚାଷ କାମ ଆରମ୍ଭ ହୋଇଛି। ହାଟଡ଼ିହି ବ୍ଲକର ୭୦ଭାଗ ଚାଷଜମି ପଡିଆ ପଡିଛି। ତେଣୁ କିପରି ଚାଷକମ କରିବେ ସେନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଦ୍ୟାଧରପୁର ବ୍ୟାରେଜ ରେ ସାଳନ୍ଦୀ ଓ ବୈତରଣୀ ନଦୀର ପାଣି ପହଞ୍ଚିଥିବା ବେଳେ ଏଥିରେ କେନ୍ଦୁଝର ଜିଲ୍ଲାର ଚାଷୀମାନେ ଉପକୃତ ହୋଇ ପାରୁ ନାହାନ୍ତି। ସାଳନ୍ଦୀ ଜଳଭଣ୍ଡାରରେ ପାଣି ଥିଲେ ମଧ୍ୟ ହାଟଡିହି ବ୍ଲକର ୧୦, ୮୦୦ ହେକ୍ଟର ଚାଷ ଜମିକୁ ପାଣି ମାଡ଼ିପାରୁ ନାହିଁ I ବ୍ଳକର ୨୮, ୧୧୦ ହେକ୍ଟର ଚାଷଜମି ଥିବାବେଳେ ସେଥିମଧ୍ୟରୁ ୧୯,୩୦୦ ହେକ୍ଟର ଚାଷଜମିରେ ଧାନ ଚାଷ କରାଯାଇଥାଏ। ସେଥି ମଧ୍ୟରୁ ଜଳସେଚନ ବିଭାଗ ୧୧,୩୫୭ ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା କରିଥିବା କୁହାଯାଉଥିବାବେଳେ କୃଷି ବିଭାଗ ୮, ୫୦୦ହେକ୍ଟର ଚାଷଜମିରେ ପାଣି ଜଳସେଚନ ହେଉଥିବା କୁହାଯାଉଛି। କୃଷି ବିଭାଗ ଓ ଜଳସେଚନ ବିଭାଗ ତଥ୍ୟରେ ତାଳମେଳ ରହୁ ନାହିଁ। ବିଦ୍ୟାଧରପୁର ବ୍ୟାରେଜ ଚାରିପଟେ ଥିବା ବାଙ୍ଗୋର, ବାଲିବରେଇ, ସୋସୋ, ଢେଙ୍କା, ପଢିଆରିପଲ୍ଲି, ଧନୁର୍ଜୟପୁର, ହଦଗଡ଼ ଆଦି ପଞ୍ଚାୟତଗୁଡିକର ଚାଷ ଜମିକୁ ପାଣି ମାଡିପାରୁନାହିଁ । ଯାହାକି ଅତି ଦୁର୍ଭାଗ୍ୟଜନକ ବିଷୟ । ଏହି ଅଞ୍ଚଳର ଲୋକମାନେ ଡ୍ୟାମ ଓ ବ୍ୟାରେଜ ପାଇଁ ଦୁଇ ଦୁଇ ଥର ଚାଷଜମି ହରାଇ ଏବେ ପାଣିଟୋପେ ପାଇଁ ଚାତକ ପରି ଚାହିଁ ବସିଛନ୍ତି।ଏ ଅଞ୍ଚଳର ଚାଷୀଙ୍କ ପାଇଁ ଜଳସେଚନ ର ବ୍ୟବସ୍ଥା କରାଯାଇ ନଥିବାରୁ ଚାଷୀମାନେ ପ୍ରତିବର୍ଷ ମରୁଡ଼ିର ଶିକାର ହେଉଥିବା ବେଳେ ଚଳିତବର୍ଷ ଚାଷ କରିବାରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ଧାନ ରୁଆ ପୋତା କରିବା ସମୟରେ ଜମି ପଡିଆ ପଡିଛି। ମୁଗୁପୁର ମାଇନର କେନାଲରେ ଆଜି ପର୍ଯ୍ୟନ୍ତ ପାଣି ଛଡା ଯାଇ ନଥିବାରୁ ମୁଗୁପୁର, ବଞ୍ଚୋ, ଶିବନାରାୟଣପୁର, ଶାସଙ୍ଗ, ଛେନାପଡି, ଚୋରଗଡ଼ିଆ, ବଡ଼ତିରା ଆଦି ଗ୍ରାମର ଚାଷୀମାନେ ଚାଷ କରିବାରୁ ବଞ୍ଚିତ ହୋଇ ରହିଛନ୍ତି।ହଦଗଡ଼ ଡ୍ୟାମର ୩୦ଭାଗ ପାଣି ହାଟଡ଼ିହି ବ୍ଲକର ଚାଷୀମାନେ ପାଉଥିବା ବେଳେ ୭୦ ଭାଗ ପାଣି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ମାଡ଼ିଥାଏ। ଆନନ୍ଦପୁର ବୈତରଣୀ ନଦୀର ପାଣି ବିଦ୍ୟାଧରପୁର ସାଳନ୍ଦୀ ଜଳଭଣ୍ଡାରରେ ମିଶ୍ରଣର ବ୍ୟବସ୍ଥା ହୋଇଥିଲା ବେଳେ ଏଥିରୁ କେନ୍ଦୁଝର ଜିଲ୍ଲାର ଚାଷୀମାନେ ପାଣି ପାଇବାର ବ୍ୟବସ୍ଥା କରାଯାଇନି। ଯାହାଦ୍ୱାରା ବଞ୍ଚୋ, ଶାସଙ୍ଗ, ଅକରୁଆ, ପଞ୍ଚୁଗୋଛିଆ, ତରତରା, ଆଦି ପଞ୍ଚାୟତ ଦେଇ ବୈତରଣୀ କେନାଲ ଯାଇଥିଲେ ବି ଚାଷୀମାନେ ଜଳସେଚନରୁ ବଞ୍ଚିତ ହୋଇଛନ୍ତି। ଫଳରେ ବୈତରଣୀ କେନାଲ ପାଣି ମଧ୍ୟ ଭଦ୍ରକ, ବାଲେଶ୍ବର ଜିଲ୍ଲା ସ୍ବାର୍ଥ ପାଇଁ ହିଁ କରାଯାଇଛି। ତେବେ ହାଟଡ଼ିହି ବ୍ଲକରେ ୧୪୦ଟି ଉଠା ଜଳସେଚନ ପ୍ରକଳ୍ପ ଥିବା ବେଳେ ସରକାରୀ କାଗଜ କଲମରେ ୭୬ଟି ଚାଲୁଥିବା ବେଳେ ୬୪ଟି ଅଚଳ ହୋଇ ପଡିଛି। ମାତ୍ର ହାତ ଗଣତି ୧୫ରୁ ୨୦ଟି ପ୍ରକଳ୍ପ ଚାଲୁଥିବା ଜଣାଯାଇଛି। ଶାସଙ୍ଗ ଗ୍ରାମରେ ୬ଟି ଉଠା ଜଳସେଚନ ପ୍ରକଳ୍ପ ଥିବାବେଳେ ତିନୋଟି ଚାଲିପାରୁ ନଥିବା ବେଳେ ଦୁଇଟିକୁ ବିଦ୍ୟୁତ ସଂଯୋଗ ଦିଆ ଯାଇ ନଥିବାରୁ କେବଳ ଗୋଟିଏ କାର୍ଯ୍ୟକ୍ଷମ ହେଉଛି। ତାହାର ପୁଣି ପାଇପ ଲାଇନ ଠିକ ନଥିବାରୁ ମାତ୍ର ୪ ଏକର ଜମିରେ ପାଣି ମାଡ଼ି ପାରୁଛି। ସେହିପରି ଦନେଇପୁର ଗ୍ରାମର ଚାଷୀମାନେ ୧୯୭୪ମସିହାରୁ ଉଠାଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ବେଳେ ଗତ ୫ବର୍ଷ ହେଲା ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବାରୁ ଏଠାକାର ଚାଷୀମାନେ ଚାଷକର୍ଯ୍ୟ ଆରମ୍ଭ କରିପାରି ନାହାନ୍ତି। ବାରମ୍ବାର ଚାଷୀମାନେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି। ସେହିପରି ଆଇତିପୁର, ଗେଡ଼ମା, ସମଣା, ଆମ୍ବୋ, ହାବଳେଶ୍ୱର, ସଡଙ୍ଗ, ପନ୍ଚୁଗୋଛିଆ, ଶାସଙ୍ଗ, ହଡଗଡ଼, ପଢ଼ିଆରିପଲ୍ଲୀ, ଧନୁର୍ଜୟପୁର, ବାଙ୍ଗୋର, ବଞ୍ଚୋ, ଅକରୁଆ, କେ ବାଲିପାଳ, ଆଦି ପଞ୍ଚାୟତ ରେ ଆଦୌ ଚାଷ ହୋଇ ପାରି ନଥିବା ଜଣା ଯାଇଛି। ଏପରିକି ପୋଖରୀରୁ ପାଣି ମଡାଇ ଧାନ ତଳି ପକାଇଥିବା ବେଳେ ଚାଷ ବିଲ ଗୁଡିକ ହଳ ହୋଇ ନଥିବାରୁ ତଳି ମଧ୍ୟ ନଷ୍ଟ ହେବାକୁ ବସିଛି। ଯେଉଁ ବିଲରେ ଏବେ ରୁଆ ପୋତା ସରିବା କଥା ସେହି ବିଲରେ ଏବେ ଗୋରୁ ଚରୁଛନ୍ତି।