ଶ୍ରୀଅରବିନ୍ଦ ଓ ସ୍ୱାଧୀନ ଭାରତ
ସ୍ୱାଧୀନ ଭାରତବର୍ଷ ଓ ଶ୍ରୀଅରବିନ୍ଦ ଉଭୟ ସେମାନଙ୍କ ଜନ୍ମତାରିଖକୁ ନେଇ ସମ୍ପର୍କୀତ । ଯୋଗୀ ଅରବିନ୍ଦ ଜନ୍ମ ନେଇଥିଲେ ୧୮୩୨ ମସିହା ଅଗଷ୍ଟ ୧୫ ତାରିଖରେ କଲିକତା ନିକଟବର୍ତ୍ତୀ କୋନ୍ ନଗରରେ । ତାଙ୍କ ପିତା ଓ ମାତାଙ୍କ ନାମ ଥିଲା ଯଥାକ୍ରମେ ଡ. କୃଷ୍ଣଧନ ଘୋଷ ଓ ସ୍ୱର୍ଣ୍ଣଲତା ଦେବୀ । ତାଙ୍କ ଜନ୍ମର ୭୫ ବର୍ଷ ପରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଜନ୍ମ ନେଇଥିଲା ସ୍ୱାଧୀନ ଭାରତ । ସେମାନଙ୍କର ଜନ୍ମତାରିଖ ଗୋଟିଏ- ଅଗଷ୍ଟ ୧୫ । ଏହି କାରଣରୁ ଅଗଷ୍ଟ ୧୫ ଥିଲା ଅରବିନ୍ଦଙ୍କ ପାଇଁ ଅତୀବ ଆନନ୍ଦର ଦିନ ।
ଭାରତ ସ୍ୱାଧୀନତା ପାଇବା ବେଳକୁ ଶ୍ରୀଅରବିନ୍ଦ ପାଲଟି ଯାଇଥିଲେ ମହାନ୍ ଯୋଗୀ । ଯେଉଁଠି ପୂର୍ବରୁ ଯୋଗୀଋଷିମାନେ ଯୋଗ ବଳରେ ପହଞ୍ଚିପାରିଥିଲେ । ଅଥଚ ଆଉ ଆଗକୁ ଯାଇପାରିନଥିଲେ, ସେଇଠୁ ଶ୍ରୀ ଅରବିନ୍ଦ ଆରମ୍ଭ କରିଥିଲେ ତାଙ୍କର ପରମଯୋଗ । ଦୀର୍ଘ ୩୦ ବର୍ଷ ଯୋଗସାଧନା ଫଳରେ ସେ ପହଞ୍ଚିପାରିଥିଲେ ଅତିମାନସ ସ୍ତରରେ ଏବଂ ସାନ୍ନିଧ୍ୟ ପାଇପାରିଥିଲେ ବିଶ୍ୱ ନିୟନ୍ତାଙ୍କର । ତାଙ୍କ ଯୋଗସାଧନାର ଉଦ୍ଦେଶ୍ୟ ଥିଲା- ମଣିଷ ତା’ ଜନ୍ମଜନ୍ମାନ୍ତର ପ୍ରଗତି ଓ ଉନ୍ନତି କଳ୍ପେ କେବଳ ମଣିଷ ଜନ୍ମରେ ହିଁ ରହିଯାଇ ସନ୍ତୋଷ ନରହୁ, ସେ ଆହୁରି ସାଧନା ବଳରେ ଦିବ୍ୟ ମାନବୋତ୍ତରକୁ ଯାଉ ଯେଉଁଠି ସେ ପହଞ୍ଚିପାରିଥିଲେ । ସେହି ସ୍ତରକୁ ଯିଏ ପହଞ୍ଚିପାରିଲା, ସେ ଯାଇ ଏ ବିଶ୍ୱକୁ ଚିହ୍ନିପାରିବ; ବ୍ୟକ୍ତି ଓ ଦେଶର ବନ୍ଧନର ମୁକ୍ତି ଜାଣିପାରିବ; ଏ ମାଟି, ଗୋଡ଼ି, ଧରିତ୍ରୀ କ’ଣ ସେ ଆବିଷ୍କାର କରିପାରିବ । ତାଙ୍କର ସେହି ଅତିମାନସ ଜ୍ଞାନ ବଳରେ ସେ କହୁଥିଲେ, ‘ଭାରତ ଏକ ଜଡ଼ ପଦାର୍ଥ, ମାଟି କ୍ଷେତ୍ର, ବନ, ପର୍ବତ ଓ ନଦୀକୁ ନେଇ ଗଠିତ ଭୂଗର୍ଭ ନୁହେଁ, ଏହା ହେଉଛି ସ୍ୱୟଂ ଜଗଜ୍ଜନନୀ ।
ଏକଦା ଈଶ୍ୱରଙ୍କୁ ପ୍ରଶ୍ନ ପଚାରିବାରେ ସେ କହିଛନ୍ତି, ‘ମୋର କେବଳ ୧୦ଟି ଅବତାର ଅଛି ଏକଥା ମୋଟେ ନୁହେଁ, ମୁଁ ବାରମ୍ବାର ଏ ବିଶ୍ୱରେ ଯୋଗୀଋଷି ଓ ମହାପୁରୁଷମାନଙ୍କ ରୂପରେ ଜନ୍ମନେଇ ସୃଷ୍ଟିକୁ ପାଳେ ବା ଦିଗ୍ଦର୍ଶନ ଦିଏ । ଏକଥା କହିବା ବାହୁଲ୍ୟ ଯେ ଶ୍ରୀଅରବିନ୍ଦ ହେଉଛନ୍ତି ସେହି ପରମ ନିୟନ୍ତାଙ୍କ ଭିନ୍ନ ଅବତାର ଭିନ୍ନ ସ୍ୱରୂପର ଭିନ୍ନ ବ୍ୟକ୍ତିତ୍ୱ ‘ମହାନ୍ଯୋଗୀ ଅରବିନ୍ଦ’ । ତାଙ୍କର ଉଦ୍ଦେଶ୍ୟ ସାଧନ ପାଇଁ ତାଙ୍କ ସହିତ କାଚ କାଞ୍ଚନ ସଂସର୍ଗ ପରି ଯୁକ୍ତ ହେଲେ ସୁଦୂର ଫ୍ରାନ୍ସର ପ୍ୟାରିସ୍ ସହରରୁ ମୀରା ରିଚାର୍ଡ, ଯେ କି ତାଙ୍କର ପରମଶିଷ୍ୟା ଭାବରେ ଭାରତର ପଦ୍ମକମଳ ପଣ୍ଡିଚେରୀ ସାଧନ କେନ୍ଦ୍ରରେ ଯୋଗଦେଲେ “ମା’ ଶ୍ରୀମା” ।
ଭାରତର ପ୍ରଥମ ସ୍ୱାଧୀନତା ଦିବସ ଅବସରରେ ଏହାର ଭବିଷ୍ୟତ ପାଇଁ ଶ୍ରୀ ଅରବିନ୍ଦ ଦେଖିଥିଲେ ୫ଟି ସ୍ୱପ୍ନ । ତାଙ୍କ ସ୍ୱପ୍ନ ସମ୍ବଳିତ ସେହି ଲେଖାଟି ୧୯୪୭ ଅଗଷ୍ଟ ୧୪ ତାରିଖରେ ତିରୁଚିଲାପଲ୍ଲୀସ୍ଥିତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରଣ କରାଯାଇଥିଲା ଏବଂ ଯାହାର ସାରମର୍ମ ଥିଲା :
୧. ବିପ୍ଲବ ମାଧ୍ୟମରେ ସ୍ୱାଧୀନ, ସଂଘବଦ୍ଧ ଏବଂ ଅଖଣ୍ଡ ଭାରତ ଗଢ଼ିବା ଥିଲା ମୋର ସ୍ୱପ୍ନ । ଆଜି ଭାରତ ସ୍ୱାଧୀନ କିନ୍ତୁ ଅଖଣ୍ଡ ନୁହେଁ । ଆଶ୍ୱାସନାର ବିଷୟ ଏହିକି ଯେ, ଆଗରୁ ଲାଗୁଥିଲା ଭାରତ ସ୍ୱାଧୀନ ହେବା ପରେ ବହୁ ଭାଗରେ ବିଭକ୍ତ ହେବ, ତେବେ ସେତେ ଦୂର ଘଟିନାହିଁ । ପୁଣି ମାତ୍ରାରେ ନହେଲେ ବି ଲାଗୁଛି ଭାରତ ଏବେ ବିପଦମୁକ୍ତ । ଏହା ନିଶ୍ଚୟ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବ ।
୨. ମୋର ଦ୍ୱିତୀୟ ସ୍ୱପ୍ନ ଥିଲା ସମଗ୍ର ଏସିଆ ମହାଦେଶର ଅଭ୍ୟୁଦୟ ଓ ମୁକ୍ତି । ଆଜି ଭାରତ ସମେତ ଏକାଧିକ ଏସୀୟ ରାଷ୍ଟ୍ର ସ୍ୱାଧୀନ । ତେବେ ଯେଉଁ ଦେଶମାନ ମୁକ୍ତ ହେଇନାହାନ୍ତି, ସେମାନଙ୍କ ପ୍ରତି ଆମର ଦାୟିତ୍ୱ ରହିଛି । ସେମାନଙ୍କ ମୁକ୍ତି ଲାଗି ଆମେ ସହାୟତାର ହାତ ବଢ଼ାଇଲେ, ସେମାନଙ୍କ ପାଇଁ ସଂଗ୍ରାମ କଲେ ବିଶ୍ୱ ଦରବାରରେ ଭାରତର ପ୍ରତିଷ୍ଠାରେ ବିଳମ୍ବ ହେବ ନାହିଁ ।
୩. ସମଗ୍ର ମାନବ ଜାତି ବିବାଦଲିପ୍ତ ନରହି ଏକତ୍ର ହେଲେ ଏକ ସୂତ୍ରରେ ବନ୍ଧିତ ହେଲେ ମାନବ ଜୀବନ ଅଧିକ ସରସ, ସୁନ୍ଦର ହୋଇପାରିବ । ସୀମା ସରହଦ ନଥିବା ଏକ ବିବାଦ ମୁକ୍ତ ବିଶ୍ୱ ଗଠନ ଦିଗରେ ପ୍ରଚେଷ୍ଟା ଚାଲିଥିଲେ ହେଁ ତାହା ସଫଳ ହେଇପାରି ନାହିଁ । ଭାରତ ସେହି ଦିଗରେ ପଦକ୍ଷେପ ନେବା ଏବଂ ବିଶ୍ୱକୁ ଏକ କରିବା ପାଇଁ ଚାଲିଥିବା ଆନ୍ଦୋଳନର ନେତୃତ୍ୱ ନେବା ମୋର ତୃତୀୟ ସ୍ୱପ୍ନ ।
୪. ଭାରତ ହେଉଛି ଆଧ୍ୟାତ୍ମିକ ବିଶ୍ୱର ନାଭିକେନ୍ଦ୍ର ଭଳି । ଯୁଗେ ଯୁଗେ ଭାରତ ହିଁ ସମଗ୍ର ବିଶ୍ୱକୁ ଦିବ୍ୟଜ୍ଞାନ ପ୍ରଦାନ କରିଆସିଛି । ଇଉରୋପ ଏବଂ ଆମେରିକାର ଚିନ୍ତାଶୀଳ ବ୍ୟକ୍ତିମାନେ ଭାରତ ଆସିଛନ୍ତି ଜ୍ଞାନଆହରଣ ପାଇଁ ଏବଂ ଆସିବେ ମଧ୍ୟ । ଭାରତ ଦିବ୍ୟ ଚେତନାର ଉତ୍ସ । ଭାରତର ସେହି ଦିବ୍ୟ ରୂପ ଅକ୍ଷୁର୍ଣ୍ଣ ରହୁ ।
୫. ମୋର ଶେଷ ସ୍ୱପ୍ନ ହେଉଛି ମଣିଷ ନିଜକୁ ମଣିଷ ସ୍ତରକୁ ଉନ୍ନୀତ କରି ଅତି ମାନବ ସ୍ତରକୁ ନେଉ । ପ୍ରକୃତ ମଣିଷ ଭଳି ବଞ୍ଚୁ । ସେପରି ଘଟିଲେ ସମଗ୍ର ବିଶ୍ୱରେ ସମସ୍ୟା ବୋଲି ଆଉ କିଛି ରହିବ ନାହିଁ । ମଣିଷ ଭିତରେ ଛପି ରହିଥିବା ପଶୁ ପ୍ରକୃତିର ଦମନ ଆମର ମୂଳ ଲକ୍ଷ୍ୟ ହେଉ । ଭାରତୀୟ ଆଧ୍ୟାତ୍ମିକ ଚେତନାର ପ୍ରଚାର ପ୍ରସାର ଦ୍ୱାରା ତାହା ସମ୍ଭବ ।
ତାଙ୍କର ସ୍ୱପ୍ନଗୁଡ଼ିକ ଆଜି କେତେଦୂର ସଫଳ ହୋଇଛି ଅଥବା ହେବାକୁ ଯାଉଛି ତାହା ସମୟ କହିବ । ଭାରତ ଏଗୁଡ଼ିକ ସାକାର କରିବାରେ କେତେଦୂର ଚେଷ୍ଟିତ, ତାହା ଏବେ ଦେଖିବା କଥା । ଆଜିର ଦିବସରେ ତାହା ଆମେ ଚିନ୍ତିବା କଥା ।
ଏତେବଡ଼ ମହାନ୍ ଯୋଗୀଶ୍ୱରଙ୍କର ଦେହାବସାନ ଘଟିଲା ୨୯ ଫେବୃୟାରୀ ୧୯୫୬ ମସିହାରେ ।