ଶ୍ରୀକ୍ଷେତ୍ରରେ ଶୀତଳ ବାମ୍ଫ ସେବା ଆରମ୍ଭ

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ମହାବିଷୁବ ସଂକ୍ରାନ୍ତି ଓ ଉକ୍ରଳ ନବବର୍ଷ ଅବସରରେ ଶାନ୍ତି ଅନୁଷ୍ଠାନ ପକ୍ଷରୁ ଶୀତଳ ବାମ୍ଫ ସେବାର ଶୁଭାରମ୍ଭ ହୋଇଛି । ମହାବିଷୁବ ସଂକ୍ରାନ୍ତିଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଏହି ସେବା ପ୍ରଦାନ କରାଯିବ । ରବିବାର ପୌର ସଦନ ଛକଠାରେ ଏହି ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ନୃସିଂହ ଚରଣ ମିଶ୍ର ମୁଖ୍ୟ ଅତିଥି, ଆଇନଜୀବୀ ଶିବପ୍ରସାଦ ମିଶ୍ର, ଡଃ ନରହରି ମିଶ୍ର, ଶିଳ୍ପପତି ରାଜକିଶୋର ପାତ୍ର, ଇଂ.ରାଜେଶ ମିଶ୍ର, ଗବେଷକ ଦେବୀ ପ୍ରସାଦ ନନ୍ଦ, ସାମ୍ବାଦିକ ନାରାୟଣ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୁରୀ ଏକ ପର୍ଯ୍ୟଟନ କ୍ଷେତ୍ର । ଗ୍ରୀଷ୍ମ ପ୍ରବାହରୁ ପର୍ଯ୍ୟଟକଙ୍କ ସମେତ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ଦୀର୍ଘ ୧୭ ବର୍ଷ ଧରି ଶାନ୍ତି ଅନୁଷ୍ଠାନ ପକ୍ଷରୁ ଶୀତଳ ବାମ୍ଫ ପ୍ରଦାନ ସହ ମହାପ୍ରଭୁଙ୍କୁ ଟଙ୍କ ତୋରାଣୀ ପ୍ରଦାନ କରାଯାଉଛି । ଅନୁଷ୍ଠାନ ଗଠନ ହେବ ବର୍ଷଠାରୁ ଶୀତଳ ବାମ୍ଫ ସେବା ଆରମ୍ଭ ହୋଇଥିଲା । ବରଫରେ ଶ୍ରୀକର୍ପୁର, ଶ୍ରୀଚନ୍ଦନ, ଅଗୁର ପକାଇ ଏବଂ ଧଳା ଟାୱାଲାକୁ ସେଥିରେ ଓଦା କରାଯାଇ ପଥଚାରୀଙ୍କ ମୁଖମଣ୍ଡଳ ଏବଂ ଦୁଇ ହାତକୁ ପୋଛି ଦିଆଯାଇ, ଥଣ୍ଡା ପାଣି ଏବଂ ଟଙ୍କ ତୋରାଣୀ ଦିଆଯାଇଥାଏ । ଏହା କିଛି ସମୟ ଲାଗି ମଧ୍ୟ ଲୋକଙ୍କୁ ସାମୟିକ ଶୀତଳତା ପ୍ରଦାନ କରିଥାଏ । ଅନୁଷ୍ଠାନ ସଭାନ୍ରେତୀ ସଂଘମିତ୍ରା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ପଦ୍ମନାଭ ପଣ୍ଡା ବିବରଣୀ ପାଠ କରିଥିଲେ । ଏହି ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସାମାଜିକ ଅନୁଷ୍ଠାନ ସଖା, ସାହିଭାଇ, ସମର୍ପଣ, ହୋଇ ଇଜ୍ ଲାଇଫ ଏବଂ ଜନ ଜାଗରଣ ମଞ୍ଚ କର୍ମକର୍ତ୍ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ତ୍ତିକ ବେହେରା, ଅଶୋକ ସାହୁ, ଛବିନ୍ଦ୍ର ମହାନ୍ତି, ପ୍ରଭାକର ବେହେରା, ବାସୁଦେବ ସେଠୀ, ଶରତଚନ୍ଦ୍ର ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ