ଶ୍ରୀକ୍ଷେତ୍ରର ଘୋଷଯାତ୍ରା ଓ ବଳରାମ ଦାସଙ୍କ ବାଲିରଥ

ରଥଯାତ୍ରା କହିଲେ ପୁରୀର ଘୋଷଯାତ୍ରାକୁ ବୁଝାଏ । ଭକ୍ତମାନଙ୍କ ପାଇଁ ଭଗବାନଙ୍କର ଅର୍ଥାତ୍ ଶ୍ରୀ ଜଗନ୍ନାଥଙ୍କର ଘୋଷଣାକୁ ଆଧାର କରି ଏହି ଯାତ୍ରାକୁ ଘୋଷଯାତ୍ରା କୁହନ୍ତି । ଏହି ଯାତ୍ରାରେ ତିନି ଠାକୁର : ଶ୍ରୀ ବଳଭଦ୍ର, ମା’ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିର ପରିତ୍ୟାଗ କରି ଆଷାଢ଼ ଶୁକ୍ଲ ଦ୍ୱିତୀୟା ଠାରୁ ନବଦିନ ପାଇଁ କନକପୁରୀ ଯାହାକି ଠାକୁରମାନଙ୍କର ଜନ୍ମସ୍ଥାନ, ଏକ ସ୍ମାରକୀ ସ୍ୱରୂପ ଯାତ୍ରା କରନ୍ତି । ଏହି ଯାତ୍ରାର ଅନ୍ୟନାମ ମହାବେଦୀ ବା ଯଜ୍ଞବେଦୀ ଯାତ୍ରା । ଏହା ଇନ୍ଦ୍ରଦ୍ୟୁମ୍ନଙ୍କର ଅଶ୍ୱମେଧ ଯଜ୍ଞ କାରଣରୁ ଏକ ସ୍ମୃତି ଯାତ୍ରା ବୋଲି ମଧ୍ୟ କୁହନ୍ତି । ଯଜ୍ଞର ପୃଷ୍ଠଭାଗରେ ଇନ୍ଦ୍ରଦ୍ୟୁମ୍ନଙ୍କର ରାଣୀ ଗୁଣ୍ଡିଚାଙ୍କର ଭୂମିକା ଥିବାରୁ ଏହାକୁ ମଧ୍ୟ ଗୁଣ୍ଡିଚା ଯାତ୍ରା କୁହନ୍ତି । ସବୁରି ଉଦ୍ଧ୍ୱର୍ରେ ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭକ୍ତ ଓ ଭଗବାନଙ୍କର ବଡ଼ଦାଣ୍ଡରେ ମୁକ୍ତଭାବରେ ସ୍ୱଚ୍ଛନ୍ଦମିଳନ : ଦର୍ଶନ ଏବଂ ଆଙ୍ଗିକ ସ୍ପର୍ଶନ । ଶ୍ରୀ ଜଗନ୍ନାଥ ହେଉଛନ୍ତି ଏ ବିଶ୍ୱର ଏକମାତ୍ର ଈଶ୍ୱର, ନାଥ, ସ୍ୱାମୀ ବା ପ୍ରଭୁ । ଭକ୍ତର ଭାଷାରେ : ତୋ ବିନୁ ଅନ୍ୟ ଗତି ନାହିଁ । ସେ କେବଳ ଦାତା, ଦଇବ, ବିଧାତା ଏବଂ ମୁକ୍ତିଦାତା । କେବଳ ଭାବରେ ଡାକି ତାଙ୍କୁ ନିଜକୁ ସମର୍ପି ଦିଅ । ବାସ୍, ସେ ତୁମପାଖରେ ବନ୍ଧାପଡ଼ିଲେ । ତୁମ ଆୟତରେ ସିଏ । ରଥଯାତ୍ରା ଦର୍ଶନରେ ଆସୁଥିବା ସମସ୍ତ ବ୍ୟକ୍ତି ହିଁ ତା’ ଲୋକ; ତା’ ଭକ୍ତ; ତାଙ୍କରି ପାଇଁ ଏ ଅଭିଯାନ ବର୍ଷକରେ ନବଦିନ । ସେହି ଭକ୍ତମାନଙ୍କ ଦର୍ଶନ ପାଇଁ ତା’ ରଥ ଅଟକିଯାଏ ବାଟରେ । ଏମିତିରେ ତ ଯବନଭକ୍ତ ସାଲବେଗ ବୃନ୍ଦାବନରୁ ଆସିବାରେ ଡେରି ହେବାରୁ ତା’ ଆସିବା ଯାଏଁ ବଳଗଣ୍ଡିରେ ଅଟକିଗଲା ରଥ । ସେମିତିରେ ରଥଯାତ୍ରା ବେଳେ ଦର୍ଶନ ନେଇ ଯିଏ ତା’ ଭକ୍ତକୁ ବଂଚିତ କଲା, ତାକୁ ଅଟ୍ଟହାସ୍ୟ କଲା; ଗାଳି, ମାଡ଼ କି ଭର୍ତ୍ସନା କଲା ଅଥବା ଅପମାନିତ କି ଲଜ୍ଜିତ କଲା, ଇଏ ଜଗନ୍ନାଥ ତା’ର ନୁହେଁ । ଭକ୍ତପାଇଁ ସେ ଅବିଚାରକ ପ୍ରତି ସହିବାର ଜନ ନୁହେଁ । ଏହାର ପ୍ରମାଣ ନିଜେ ବଳରାମ ଦାସ ।
ବଳରାମ ଦାସଙ୍କୁ ଉତ୍କଳ ବାଲ୍କୀକି ବୋଲି କୁହନ୍ତି । ତୁଳନାରେ ସେ ବଙ୍ଗର କୃତ୍ତିବାସ, ଉତ୍ତର ପ୍ରଦେଶରେ ତୁଳସୀ ଦାସ ଏବଂ ଦକ୍ଷିଣରେ ଭାସ୍ୱରଙ୍କ ସହିତ ସମକକ୍ଷ । ସେ ମୁକୁନ୍ଦଦେବଙ୍କ ଦି’ ଅଙ୍କରେ ଜନ୍ମଲାଭ କରିଥିଲେ ଏବଂ ପ୍ରତାପରୁଦ୍ରଙ୍କ ସମୟରେ ଅର୍ଥାତ୍ ଷୋଡଶ ଶତାବ୍ଦୀରେ ଜୀବିତ ଥିଲେ । ତାଙ୍କ ପିତାଙ୍କ ନାମ ସୋମନାଥ ମହାପାତ୍ର । ଭାର୍ଯ୍ୟାଙ୍କ ନାମ ଜମ୍ବୁ । ସେ ଜାତିରେ କରଣ, ବୈଷ୍ଣବ ମତାବଲମ୍ବୀ ମାତା ଲମ୍ବୀ ଏବଂ ବାସସ୍ଥାନ ହେଉଛି ଖୋଦ୍ ଶ୍ରୀ ପୁରୁଷୋତ୍ତମ । ଏ ସମସ୍ତ ତଥ୍ୟ ତାଙ୍କ ରଚିତ ‘ଗୁପ୍ତଗୀତା’ ଓ ‘ରାମାୟଣ’ ଇତ୍ୟାଦିରେ ବର୍ଣ୍ଣିତ ହୋଇଅଛି ।
ବଳରାମ ଦାସ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ମଧ୍ୟ ତାହାଙ୍କ ଚରିତ୍ର ଅତ୍ୟନ୍ତ ମନ୍ଦଥିଲା । ‘ଦାର୍ଢ଼୍ୟତା ରସାମୃତ’ରେ ଉଲ୍ଲେଖ ଅଛି :
ଶ୍ରୀ ଗୁରୁବ୍ରହ୍ମ ସେବା ବିନେ । ଅନ୍ୟ ନଜାଣେ ତାର ମନେ ।ା
କେବଳ ପ୍ରକୃତି ବଶରେ । ନିରତେ ରମେ ବେଶ୍ୟାଘରେ ।ା
ଚନ୍ଦ୍ରରେ କଳଙ୍କ ଯେସନ । ଅର୍ଜିଲାକଥା ନୁହେଁ ଆନ ।ା
ପୂର୍ବ ଅର୍ଜିତ କର୍ମଫଳେ । ନିରତେ ବେଶ୍ୟାଘରେ ଚଳେ ।ା
ସେଦିନ ଥିଲା ଶ୍ରୀ ଗୁଣ୍ଡିଚା ଯାତ୍ରାର ପ୍ରଥମ ଦିନ । ତିିନିଠାକୁର ରଥ ଉପରକୁ ବିଜେ କରିବା ବେଳେ । ଘଣ୍ଟ, ମର୍ଦ୍ଦଳ, ତୁରୀ ଓ ଶଙ୍ଖଧ୍ୱନିରେ ଗଗନପବନ ମୁଖରିତ ଅଥଚ ସେତିକିକେବେଳେ ବଳରାମ ଦାସେ ଯାଇ ଗଣିକା ଘରେ :
ଥିଲେ ଯେ ବଳରାମ ଦାସେ । ମତ୍ତ ହୋଇଣ ବେଶ୍ୟାରସେ ।
ଶ୍ରବଣେ ଶୁଣିଲେ ସେ ଧ୍ୱନି । ଶିରେ କଚାଡ଼ି କରବେନି ।ା
ବୋଇଲେ ଧିକ ମୋ ଜୀବନ । ଅଜ୍ଞାନେ ବଂଚିିଲି ମୁଁ ଦିନ ।ା
ପ୍ରଭୁ ମୋ ରଥେ ବିଜେ କଲେ । ଶୋଇମୁଁ ଅଛି ବେଶ୍ୟା ତୁଲେ ।ା
ଏତିକିରେ ଦୌଡି଼ଲେ ରଥକୁ । ହେଲେ ଦର୍ଶନପାଇଁ ପଣ୍ଡା ବା ସେବକମାନେ ତାଙ୍କୁ ରଥରେ ଚଢ଼ାଇ ଦେଲେ ନାହିଁ । ଅଶୌଚ, ଅପବିତ୍ର କୁସିôତ ଏବଂ କଦାକାର କହି ଗାଳିକଲେ, ମାଡ଼ ମାରିଲେ ଏବଂ ରଥରୁ ଠେଲି ଦେଲେ :
ସେବକ ଅନାଇଣ ଦେଲେ । କ୍ରୋଧରେ ଦାସଙ୍କୁ ବୋଇଲେ ।ା
ଗଣ୍ଡେଣ ତାମ୍ବୁଳର ଗାର । କୁଙ୍କୁମେ ଦେହ ଜର ଜର ।ା
ଅତି କଦର୍ଯ୍ୟ ତୋର କାୟେ । ଦିଶୁଛୁ ଖଣ୍ଡ ଚିତ୍ର ପ୍ରାୟେ ।ା
ସ୍ନାନଶଉଚ ତୋର ନାହିଁ । ଥିଲୁତୁ ବେଶ୍ୟା ଘରେ ଶୋଇ ।ା

ଏମନ୍ତ ବୋଲି କୋପଭରେ । ରଥରୁ ପେଲି ପକାଇଲେ ।
ଏହା ବଳରାମ ଦାସଙ୍କୁ ବହୁତ ଆଘାତ ଦେଲା । ସେ ପ୍ରଭୁଙ୍କ ଉପରେ ଅଭିମାନ କରି କହିଲେ :
ଦଣ୍ଡ ଯେ ଦେଲ ପରହସ୍ତେ । ଏଥିରେ ଯଶ ହେଲା କେତେ ।
ଏଥିକୁ ଦଣ୍ଡ ଦେଲୁ ଏତେ । ଆଜି ଜାଣିଲି ମୁଁହିଁ ତୋତେ ।ା

ଏବେ ମୁଁ ଗଲିଟି ବାହୁଡ଼ି । କେ ଝିଙ୍କୁ ତୋ ରଥ ଦଉଡ଼ି ।ା
ଯାତ୍ରା କେମନ୍ତେ କରୁତୁହି । ତାହା ଦେଖଇ କିନା ମୁହିଁ ।ା
ଭଲାକେ ଚାଳୁ ଏବେ ରଥ । ତୋ ବାପ ନନ୍ଦର ଶପଥ ।ା
ଅର୍ଥାତ୍ ଏବେ ତୋ ନନ୍ଦ ବାପର ରାଣ ଖାଇ କହୁଛି, ତୋ ରଥ ମୋ ଦୁର୍ଦ୍ଦଶା ପାଇଁ ଆଉ ଚଳିବ ନାହିଁ । ତାକୁ କେହି ଟାଣିପାରିବେ ନାହିଁ । ଏଥୁ ଅନ୍ତେ ସେ ଶ୍ରୀକ୍ଷେତ୍ରର ବାଙ୍କି ମୁହାଁଣଠି ଉପସ୍ଥିତ ହେଲେ । ବାଲିର ତିନୋଟି ରଥ ତିଆରି କଲେ । ସେ ରଥକୁ ତିନି ଠାକୁରଙ୍କୁ ବିଜେ କରିବାକୁ ଅନୁରୋଧ କଲେ ।
ବାଙ୍କି ମୁହାଁଣ ବାଲିକୁଦେ । ବସିଲା ମନର ବିଷାଦେ ।ା
ବାଲିରେ ତିନୋଗୋଟି ରଥ । ନିର୍ମାଣ କରିଣ ତ୍ୱରିତ ।ା
ବୋଇଲେ ଏଥେଁ ବିଜେକର । ମୁଁ ଯେବେ ସେବକ ତୋହର ।ା
ଭକ୍ତର ମନର ବେଦନା ପ୍ରଭୁ ଆଉ ସହିପାରିଲେ ନାହିଁ । ସେ ସେହି ବାଲିରଥରେ ଭ୍ରାତା ଓ ଭଗ୍ନୀକୁ ଧରି ବିଜେ କଲେ ।
ଦାରୁ ରଖିଣ ନନ୍ଦିଘୋଷେ । ପ୍ରଭୁ ବିଜୟ ଭକ୍ତ ପାଶେ ।
ସଙ୍ଗତେ ଘେନି ଭଗ୍ନିଭ୍ରାତ । ବିଜୟ କଲେ ବାଲିରଥ । ।ା
ବାଲିରଥରେ ତିନିଠାକୁରଙ୍କ ବିଜେର ଉପସ୍ଥିତି ଭକ୍ତ ବଳରାମ ଦାସ ଭକ୍ତି ଓ ଦାଶେ ଭକ୍ତିବଳରେ ଜାଣିପାରୁ ଆନନ୍ଦରେ ଗଦଗଦ ହେଲେ:
ଦାସଙ୍କୁ ପ୍ରବୋଧି ଶ୍ରୀଠାକୁର କହିଲେ :
ଘୋର ସନ୍ତାପ ତୋର ଦେଖି । ଯାତ୍ରା ମୁଁ ଅଇଲି ଉପେକ୍ଷି ।ା
ଏବେ ଯେ ଆୟତ ତୋହର । ତୋମନ ଯାହା ତାହା କର ।ା
ଦାସେ ତପ୍ରଭୁଙ୍କ ମୁଖରୁ ଏସବୁ ଶୁଣି ନିଜକୁ ଧନ୍ୟ ମନେକଲେ । କାରଣ ଯାହାର ଆଜ୍ଞାରେ ସକଳ ଦେବତାମାନେ ଆତଯାତ ଯାହାଙ୍କ ଦର୍ଶନପାଇଁ ଜୀବନବ୍ୟାପି ତପସ୍ୟା କରି ଦେବ, ମାନବ ଓ କିନ୍ନର ଇତ୍ୟାଦି ବିଷାଦଗ୍ରସ୍ତ, ସେ ପୁଣି ସାମାନ୍ୟ ମୂଢ଼ ବଳରାମ ଦାସ ଡାକରେ ତା’ ଅଧୀନରେ ବନ୍ଧା ପଡ଼ିଗଲେ (?) ଏବଂ ସେ ଯେଉଁ ମତେ ତାଙ୍କୁ ବ୍ୟବହାର କରୁବୋଲି ଘୋଷଣା କରିଦେଲେ!
ସେ ବିନମ୍ରତା ସହିତ ପ୍ରଭୁଙ୍କୁ ଜଣାଇଲେ :
ଞ୍ଚ ଶରଣ ପଶେ ତୋ ଚରଣେ । ଇନ୍ଦ୍ର ପଦହିଁ ଯେ ନଗଣେ ।ା
ମହାପାତକୀ ହୋଇଥାଇଁ । ସେ ଦୋଷ କ୍ଷମା କରୁତୁହିଁ ।ା
ହୁଡ଼ି ବୋଇଲି ଯେତେ ଆଜ । ସେ ତୁଣ୍ଡେ ପଡ଼ୁ ମୋର ବଜ୍ର ।ା
ଭୃତ୍ୟକୁ ଏଡ଼େ ସାହାପକ୍ଷ । ଆଜିତ ଦେଖିଲି ପ୍ରତ୍ୟକ୍ଷ ।ା
ପୁଣି କହିଲେ : ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ଯେ ତୋ’ ପରି ପ୍ରଭୁ ଥାଉ ଥାଉ ଲୋକେ ଏତେ ତୀର୍ଥ କରନ୍ତି କିଆଁ? କିଆଁ କାହାକୁ ଖୋଜନ୍ତି କୋଉଠିଁ? ମୋତେ ଯେମିତି ଲାଗୁଛି :
ଗଙ୍ଗା ତେଜିଣ ଗଙ୍ଗାଜଳେ । କୂପ ଖୋଜନ୍ତି ତୃଷ୍ଣାତୁରେ ।
ସୁଧା ତେଜିଣ ବିଷ ଖାଇ । ମରିବା ସମ ସେ ଅଟଇ ।
ଏପଟେ ବଳରାମ ଦାସ ଓ ପ୍ରଭୁଙ୍କର ଲୀଳା । ସେପଟେ ଯେତେ ଭିଡ଼ିଲେ ରଥର ଚକ ଗଡ଼ୁନି ଆଗକୁ । ମଣିଷବଳଠୁ ଆରମ୍ଭ କରି ଯାନ୍ତବବଳ ଓ ଯେତେ କଳ, ସବୁ ଅକାମୀ ହୋଇ ଯାଉଛି । ରାଜା ଏକଥା ଜାଣିଲେ ।
ଞ୍ଚ ଏଣେ ଯେ ନନ୍ଦିଘୋଷ ରଥ । କଳାପିଠିଆ ଅପ୍ରମିତ ।ା
ଦଉଡ଼ି ଧରିଣ ଓଟାରି । ବଳ ପ୍ରାକର୍ମେ ଗଲେ ହାରି ।ା
ଞ୍ଚ ଝିଙ୍କିଲେ ଯେ ଯାହାର ମତେ । ରଥ ନଚଳେ କଦାଚିତେ ।ା
ଏବେ ରାଜା ପ୍ରତାପରୁଦ୍ରଙ୍କର ଭାଳେଣି ପଡ଼ିଲା । କୋଉଠି ଅପରାଧ ହୋଇଛି? ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତିରଣ ଧରିଲେ । ତାଙ୍କୁ ସ୍ୱପ୍ନରେ ସବୁକଥା ପ୍ରଭୁ ସୂଚାଇ ଦେଲେ ଏବଂ କହିଲେ :
ମୋର ଭକତ ଯେଉଁ ଜନ । ମୋହରି ନାମ କରେ ଗାନ ।ା
ସେ କେବେ ଅଶୁଚି ନୁହଇ । ସର୍ବଦା, ଶୁଚିମନ୍ତେ ଦେହୀ ।ା
ଏପରି ଲୋକକୁ ତୋ ସେବକମାନେ ଦଣ୍ଡ ଦେଲେ । ଛି, ଛି କଲେ । ମୁଁ ଏଗୁଡାକ ସହନ୍ତି କେତେକ! ଏଣୁ ରଥ ଛାଡ଼ି ତା’ ଠି ବାଲି ରଥରେ ବନ୍ଧାଗଲି ।
ଭକତ ଭାବେ ବାନ୍ଧିଅଛି । ଆମ୍ଭେ ତ ପାରୁନୁ ମୁରୁଛି ।
ଭକତ ମୋହର ଶରୀର । ମୁହିଁ ତାହାର ପ୍ରାଣେଶ୍ୱର ।ା
ଭକତ ମୋର ଭିନ୍ନାଭିନ୍ନ । କେବେହେଁ ନୁହେଁ ହେ ରାଜନ ।ା
ଭକ୍ତର ରକ୍ଷଣ ନିମନ୍ତେ । ଚକ୍ରମୁଁ ଧରିଅଛି ହସ୍ତେ ।ା
ରାଜା ଅନୁରୋଧ କଲେ : ଏବେ ରଥ କିପରି ଚଳିବ କୁହନ୍ତୁ ପ୍ରଭୁ!
ଶ୍ରୀ ଠାକୁର ଉତ୍ତରିଲେ ଯେ ଯେଉଁମାନେ ମୋ ଭକ୍ତକୁ ଅକାରଣେ ଦଣ୍ଡ ଦେଲେ, ତୁମେ ତାଙ୍କୁ ଦଣ୍ଡଦିଅ । ସେମାନେ ମୋ ଭକ୍ତ ପାଖରେ ତିରଣ ଧରି ଶରଣ ପଶନ୍ତୁ । ମୋ ଭକ୍ତର ମଥାରେ ପାଟଶାଢ଼ୀର ଶିରୋପା ବାନ୍ଧି ତାକୁ ନନ୍ଦିଘୋଷରେ ବସା । ତାକୁ ତା’ର ସମ୍ମାନ ଓ ମର୍ଯ୍ୟାଦା ଦିଅ । ତା’ପରେ ସେ ସନ୍ତୋଷ ହୋଇ ଆଜ୍ଞାଦେଲେ, ରଥ ଚାଲିବ ।
ମୋର ଭକ୍ତକୁ ଅକାରଣେ । ଦଣ୍ଡ ବିହିଲେ ଯେଉଁମାନେ ।ା
ତାହାଙ୍କୁ ଯୋଡ଼ି ଯୋଡ଼ି କରି । ବନ୍ଧାଇଥିବୁ ଦଣ୍ଡଧାରୀ ।ା
ଗଳାରେ ଜାଲ ଫାଶ କରି । ଦନ୍ତେ ତିରଣ ଥିବେ ଧରି ।
ପଛରେ ଗଳା ଧକ୍କା ଦେଇ । ଘେନାଇ ଯିବୁ ନରସାଇଁ ।ା
ମୋ ଭୃତ୍ୟ ଛାମୁରେ ଭେଟିବେ । ସମସ୍ତେ ଚରଣ ଲୋଟିବେ ।ା
ଞ୍ଚ ଅନେକ ଗଉରବ କରି । ଘେନି ଆସିବୁ, ଦଣ୍ଡଧାରୀ ।ା
ବସାଇ ନନ୍ଦିଘୋଷ ରଥେ । ବାନ୍ଧିବୁ ପାଟ ଶାଢ଼ୀ ମାଥେ ।ା
ବୋଲିବୁ ଯାତ୍ରା ବେଗେକର । ତେବେ ଚଳିବ ରଘୁବର ।
ରାଜା ଆଜ୍ଞାମତେ ତାହାହିଁ କଲେ । ବଳରାମ ଦାସ ସନ୍ତୋଷ ହେଲେ ଏବଂ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କହିଲେ :
ବୋଇଲେ ନମୋ ମହାବାହୁ । ଭକତବତ୍ସଳ ବୋଲାଉ ।
ଏବେ ମୁଁ କହୁଅଛି ତୋତେ । ହୋ ପ୍ରଭୁ ବିଜେକର ପଥେ ।ା
ଏଥର ପିଠିଆଙ୍କୁ କହିଲେ : ଭିଡ଼ ଦଉଡ଼ି । ଦଉଡ଼ି ଭିଡ଼ା ହେଲା ଅଚଚ ଦଉଡ଼ି ରହିଲେ ପଛକୁ । ରଥ ଗଡ଼ିଲା ଆଗକୁ । ସତେ ଯେମିତି ପକ୍ଷୀପରି ଶୁନ୍ୟରେ ଉଡ଼ୁଛି ରଥ ।ା
ଏମତି ଠାକୁରର ମହିମା । କେବଳ ତାକୁ ତୁମେ ଭାବ ଓ ଭକ୍ତିରେ ବାନ୍ଧିରଖ, ସେ ତୁମ ପାଇଁ ପାଲଟି ଗଲା ଅଭଙ୍ଗା କଣ୍ଢେଇ । ତୁମେ ତାକୁ ଯେମିତି ଖେଳାଉଛ ଖେଳା, ସେ ଖେଳିବ ।
‘ଧନ୍ୟ ଏ ପ୍ରଭୁଙ୍କ ମହିମା । ରଖିଲେ ଭକତ ଗାରିମା ।
ଏଣୁ ଏ ବ୍ରହ୍ମାଣ୍ଡ ମଧ୍ୟେଣ । ହରି ଭକତ ବଡ଼ଟାଣ ।ା
ଯେ ସାଧୁଜନଙ୍କୁ ଭଜଇ । ସେ ନିଶ୍ଚେ ହରିଙ୍କୁ ଲଭଇ ।ା
ଯେବା ସାଧୁରେ ଦ୍ରୋହକରି । ସେ ନିଶ୍ଚେ ଶ୍ରୀହରି ବଇରୀ ।ା

ଭକତେ ପ୍ରଭୁ ଦୟା ଯେତେ । ବ୍ରହ୍ମା ଇନ୍ଦ୍ରରେ ନାହିଁ ତେତେ ।ା
ଏଣୁ ଘୋଷଯାତ୍ରାରେ ଭକ୍ତମାନଙ୍କ ପାଇଁ ରଥହିଁ ପଥ । କୁହାଯାଏ ରଥରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସକଳ ପାପରୁ ମୋକ୍ଷ ମିଳେ ଓ ନିର୍ବାଣ ପ୍ରାପ୍ତି ହୁଏ : ରଥେତୁ ବାମନଂ ଦୃଷ୍ଟ୍ୱା ପୁର୍ନଜନ୍ମ ନ ବିଦ୍ୟତେ ।
ଉପ ସଂହାରରେ ଭକ୍ତପାଇଁ ଭଗବାନଙ୍କ ଉଦ୍ଦେଶ୍ୟରେ ଭକ୍ତ ସାଲବେଗଙ୍କ ଭାଷାତେ ଏତିକି କହିବା :
ଏକାତୋ ଭକତ ଜୀବନ
ଭକତ ନିମନ୍ତେ ତୋର ଶଙ୍ଖଚକ୍ର ଚିହ୍ନ…. ।
ଭକ୍ତ ତୋ ପିତାମାତା, ଭକତ ତୋ ବନ୍ଧୁ
ଭକତ ହିତରେ ତୋ’ର ନାମ କୃପାସିନ୍ଧୁ ।ା…

ବିପିନବିହାରୀ ମହାନ୍ତି

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ