ଶ୍ରୀକ୍ଷେତ୍ରେ ବାହୁଡା ଦୃଶ୍ୟ
ସମଗ୍ର ଭାରତବର୍ଷରେ ଉକ୍ରଳ ଭୂମି ଏକ ଜଗନ୍ନାଥ ସଂସ୍କୃତିସଂପନ୍ନ ପ୍ରାଚୀନ ସଭ୍ୟରାଜ୍ୟ ଭାବେ ପରିଚିତ । କେଉଁ ଅନାଦି କାଳରୁ ଏଠାରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳିତ ହୋଇଆସୁଅଛି । ଏହି କଥାକୁ ଲକ୍ଷ୍ୟ କରି “ବାର ମାସରେ ତେର ପର୍ବ” ନାମରେ ଏକ ଲୋକୋକ୍ତି ଓଡିଶାରେ ସର୍ବତ୍ର ପ୍ରଚଳିତ । ବାସ୍ତବିକ ନିସର୍ଗର ବୈବିଧ୍ୟ ଭଳି ପାରମ୍ପରିକ କ୍ରମେ ଗୋଟିଏ ପରେ ଗୋଟିଏ ଅସଂଖ୍ୟ ପାର୍ବଣ ପଦାର୍ପଣ କରି ଆମର ସାମାଜିକ ଜୀବନକୁ ଅତିବ ସରସ ସୁନ୍ଦର ତଥା ଆନନ୍ଦମୁଖର କରିଥାନ୍ତି । ଏଯାବତ୍ ଜଗନ୍ନାଥ ସଂସ୍କୃତିରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ‘ଘୋଷ ପର୍ବ’ ଓ ‘ବାହୁଡା ପର୍ବ’ ଅନ୍ୟତମ । ଆଜି ସେହି ବିଶ୍ୱ ନିୟନ୍ତା ଲୀଳାମୟ ଲୀଳାର ସାଗର ପ୍ରଭୂ ଶ୍ରୀଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଜ୍ୟେଷ୍ଠଭ୍ରାତା ବଳଭଦ୍ରଙ୍କ ମାଉସୀ ମା’ ଘରୁ ଶ୍ରୀମନ୍ଦିର ଅଭିମୂଖେ “ବାହୁଡା ପର୍ବ” ଶ୍ରୀକ୍ଷେତ୍ରଧାମରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାସମାରୋହରେ ପାଳିତ ହେଉଅଛି ।
ଜଗନ୍ନାଥ ଅଷ୍ଟକଂରେ ବର୍ଣ୍ଣିତ –
“ହର ତ୍ୱଂ ସଂସାରଂ ଦ୍ରୁତତର ମସାରଂ ସୁରପତେ
ହର ତ୍ୱଂ ପାପାନାଂ ବିତତି ମପରାଂ ୟାଦବପତେ
ଅହୋ ଦୀନାନାଥଂ ନିହିତ ମଚଲଂ ନିଶ୍ଚିତପଦଂ
ଜଗମ୍ମାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ” ।ା
ଘୋଷଯାତ୍ରାର ଏକ ମୁଖ୍ୟ ଅଂଶ ହେଉଛି ‘ବାହୁଡା ଯାତ୍ରା’ । ଏହାର ଅର୍ଥ ‘ପ୍ରତ୍ୟାବର୍ତନ’ । ଅର୍ଥାତ୍ ସେହିଦିନ ତିନି ଦିଅଁ ରଥୋପରେ ଉପବିଷ୍ଟ ହୋଇ ମହାସମାରୋହରେ ମାଉସୀ ମା ଘରୁ ବଡଦେଉଳକୁ ଫେରି ଆସନ୍ତି । ପବିତ୍ର ଦଶମୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୁଏ । ସେଦିନ ମାଉସୀ ମା’ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଗଣ ଉପସ୍ଥିତ ହୋଇ ରଥଗୁଡିକୁ ରଜ୍ଜୁ ସାହାଯ୍ୟରେ ଟାଣି ଟାଣି ଶ୍ରୀମନ୍ଦିର ଅଭିମୂଖେ ଯାତ୍ରା କରନ୍ତି । ପୁଣି ଥରେ ଝାଂଜ, ମୃଦଙ୍ଗ ଓ କରତାଳି ଧ୍ୱନିରେ ଶ୍ରୀକ୍ଷେତ୍ର ଶବ୍ଦାୟିତ ହେବା ସାଙ୍ଗକୁ ହରିବୋଲ ଓ ହୁଳହୁଳି ଶବ୍ଦରେ ଗଗନ-ପବନ ପ୍ରକମ୍ପିତ ହୁଏ । ଭକ୍ତି ଗୀତ, ଜଣାଣ, ସ୍ତୁତି ଓ ସଂକୀର୍ତନ ଇତ୍ୟାଦିରେ ଶ୍ରୀକ୍ଷେତ୍ରଧାମ ଉଛ୍ଛୁଳି ଉଠେ । କିଛି କିଛି ଭକ୍ତ ପରମ ଭକ୍ତିରେ ଭାବ ପ୍ରବଣ ହୋଇ ରଥ ସମ୍ମୁଖସ୍ଥ ଧୂଳିରେ ଗଡିଯାଆନ୍ତି । କେତେକ ଭକ୍ତି ନିର୍ନିମେଷନୟନରେ ସେହି ମହାମୂର୍ତି ଆଡକୁ ଚାହିଁ ରହିଥାନ୍ତି । ଭକ୍ତି ଭାବରେ ସେମାନଙ୍କ ଚକ୍ଷୁରୁ ଅବିରଳ ଅଶ୍ରୁଧାରା ବହିଯାଉଥାଏ । ପୁନଶ୍ଚ ରଥ ଉପରେ ଥିବା ସେବକମାନେ ନୀତିଗତ ପୂଜା ବିଧିରେ ବ୍ୟସ୍ତ ରୁହନ୍ତି । ନିମ୍ନରେ ପଥ ପାଶ୍ୱର୍ରେ ଉପସ୍ଥିତ ବହୁ ଭକ୍ତ ସେମାନଙ୍କୁ ଲକ୍ଷ୍ୟକରି ନଡିଆ, କଦଳି ଓ ଦକ୍ଷିଣା ଆଦି ନିକ୍ଷେପ କରୁଥାନ୍ତି ଓ ସେବକମାନଙ୍କର ଅଭ୍ୟସ୍ତ ହସ୍ତ ସେଗୁଡିକୁ ଅବଲୀଳା କ୍ରମେ ଧରିନିଏ । ଶଙ୍ଖ, ଘଂଟ, ତୂରୀର ଧ୍ୱନି ହେତୁ ରଥଗୁଡିକର ମଧୁର ଧ୍ୱନିର ଝଙ୍କାର ଜାଗି ଉଠେ । ଭକ୍ତିତନ୍ମୟ ଜନସମୁଦ୍ର ମଧ୍ୟରେ ତିନୋଟି ବୃହଦାକାର ପୋତସଦୃଶ ରଥତ୍ରୟ ଗମନ କରୁଥାନ୍ତି । ସେତିକିବେଳେ ବଡଦାଣ୍ଡ ଲୋକାରଣ୍ୟ ହୋଇଉଠେ । ତାହାରି ମଧ୍ୟରେ ରଥଗୁଡିକ ବୃହଦାକାର ସିଂହ ସଦୃଶ ସିଂହ ଠାଣିରେ ଗତି କରୁଥାନ୍ତି । ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ମଠବାଡି ଓ ସାଧାରଣ ବ୍ୟକ୍ତିମାନଙ୍କର ଅଟ୍ଟାଳିକାଗୁଡିକରୁ ଅସଂଖ୍ୟ ନେତ୍ର ଚକାଡୋଳାଙ୍କର କରୁଣାକଟାକ୍ଷ ଆକାଂକ୍ଷାରେ ମୈତ୍ରୀଭାବ ନିବଦ୍ଧ ଥାଏ । କ୍ରମେ ବଡଦେଉଳର ସିଂହଦ୍ୱାର ପାଖରେ ତିନି ରଥ ଉପସ୍ଥିତ ହୁଅନ୍ତି । ପରବର୍ତୀ ଦିବସରେ ରଥ ଉପରେ ତିନି ଦିଅଁଙ୍କର ସୁନାବେଶ ହୁଏ । ସେତେବେଳେ ମୂର୍ତିଗୁଡିକ ସୁବର୍ଣ୍ଣମଣ୍ଡିତ ହୋଇ ଚମକ୍ରାର ଭାବରେ ଶୋଭା ପାଉଥାନ୍ତି । ଏହିପରି ଭାବରେ ମହାସମାରୋହରେ ଘୋଷ ପର୍ବର ଦୁଇ ବିଶିଷ୍ଟ ଅଂଶ ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ସମାହିତ ହୁଏ । ସର୍ବଶେଷରେ ଦିଅଁମାନଙ୍କୁ ପହଣ୍ଡି ବିଜେ କରାଇ ବଡଦେଉଳକୁ ନିଆଯାଇଥାଏ ।
“ପରଂବ୍ରହ୍ମାପୀଡଃ କୁବଲୟଦଳୋତୁଲୋନୟନୋ
ନିବାସୀ ନିଳାଦ୍ରୈା
ନିହିତ ଚରଣୋନଂତଶିରସି ରସାନନ୍ଦ ରାଧା
ସରସବପୁରାଲିଙ୍ଗନସୁଖୋ
ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ” ।ା
ଉକ୍ରଳୀୟ ସଂସ୍କୃତିରେ ଉକ୍ତ ପର୍ବ ଏକ ମହାନ୍ ଆଦର୍ଶର ପ୍ରତୀକ । ପୈାରାଣିକ କିମ୍ବଦନ୍ତୀ ଅନୁଯାୟୀ- ପ୍ରାଚୀନ କାଳରେ ରାଜା ମହାରାଜାମାନେ ଏହି ଯାତ୍ରାରୁ ଏକ ମହତ୍ ଶିକ୍ଷା ପାଉଥିଲେ । ରାଜ ପରିଷଦ ଓ ରାଜକାର୍ଯ୍ୟ ମଧ୍ୟରେ ଆବଦ୍ଧ ହୋଇ ସେମାନେ ଜନସାଧାରଣମାନଙ୍କୁ ଦର୍ଶନ ଦେବା ନିମନ୍ତେ ପରାଂମୁଖ ହୋଇଥାନ୍ତି । ରାଜ କର୍ମଚାରୀଙ୍କ ମାଧ୍ୟମରେ ସେମାନେ ପ୍ରଜାମାନଙ୍କୁ ଶାସନ କରିଥାନ୍ତି । କିନ୍ତୁ ରଥଯାତ୍ରା ସେମାନଙ୍କୁ ଏହି ଶିକ୍ଷା ଦିଏ ଯେ- ସେମାନଙ୍କର ବର୍ଷକୁ ଅନ୍ତତଃ ଥରେ ମାତ୍ର ପ୍ରଜାମାନଙ୍କୁ ଦର୍ଶନ ଦେବା ସହିତ ସେମାନଙ୍କୁ ସ୍ୱଚକ୍ଷୁରେ ମଧ୍ୟ ଦେଖିବା ଉଚିତ୍ । ତତ୍ଦ୍ୱାରା ରାଜା ନିଜର ପ୍ରଜାମାନଙ୍କ ସମ୍ପର୍କରେ ଏକ ମୋଟାମୋଟି ଧାରଣା ଲାଭ କରିଥାନ୍ତି । ପ୍ରଜାମାନେ ନିଜର ସର୍ବୋଚ୍ଚ ଶାସକଙ୍କୁ ସ୍ୱଚକ୍ଷୁରେ ଦେଖି ଆସ୍ୱସ୍ଥି ଅନୁଭବ କରନ୍ତି । ଯାହା ଫଳରେ ରାଜା ଓ ପ୍ରଜାଙ୍କ ମଧ୍ୟରେ ସୁସଂପର୍କ ନିବିଡ ହୁଏ ଓ କର୍ମଚାରୀମାନେ ସ୍ୱାର୍ଥ ପ୍ରଣୋଦିତ ହୋଇ ପ୍ରଜାମାନଙ୍କର ଅନିଷ୍ଟ କରିବାକୁ ଶଙ୍କିତ ହୁଅନ୍ତି ।
ତିନି ଦିଅଁ ବଡଦେଉଳକୁ ପ୍ରତ୍ୟାବର୍ତନ କରୁଥିବା ସମୟରେ ଓଡିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ଓ ଶାନ୍ତିରକ୍ଷା ବିଭାଗଦ୍ୱୟ ତତ୍ପର ହୋଇଉଠନ୍ତି । ସଂକ୍ରାମକ ରୋଗର ଆଶଙ୍କା ଦୂର କରିବା ପାଇଁ ପୁରୀ ରେଳ ଷ୍ଟେସନରେ ଡାକ୍ତରମାନେ ବୁଲି ସେହି ଯାତ୍ରୀ ଭିଡ ମଧ୍ୟରେ ଯାତ୍ରୀମାନଙ୍କୁ ହଇଜା ପ୍ରତିଷେଧକ ଇଂଜେକସନ୍ ଦେବାରେ ଲାଗିପଡନ୍ତି । ଚୋରୀ, ଡକାୟତି, ନାରୀ ହରଣ ଇତ୍ୟାଦି ସମାଜ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ଓ ଜନ ଗହଳି ମଧ୍ୟରେ ନିରୁଦ୍ଦିଷ୍ଟ ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ପାଇଁ ସରକାରଙ୍କର ପୋଲିସ୍ ବିଭାଗ ମନ ପ୍ରାଣ ଦେଇ ଲାଗି ପଡନ୍ତି । ଗୁମାସ୍ତାମାନେ ବିଦେଶାଗତ ଯାତ୍ରୀମାନଙ୍କୁ ଆଣି ପଣ୍ଡାମାନଙ୍କ ଦାୟିତ୍ୱରେ ଅର୍ପଣ କରନ୍ତି । ପଣ୍ଡାମାନେ ସେମାନଙ୍କର ରହଣି, ବସା, ସଂଚା ପ୍ରଭୃତିର ସୁବ୍ୟବସ୍ଥା କରନ୍ତି । ଫଟୋଗ୍ରାଫରମାନେ ମଧ୍ୟ ବିଭିନ୍ନ ସ୍ଥାନରୁ ରଥ ଓ ପ୍ରତ୍ୟାବର୍ତନର ଆଲୋକ ଚିତ୍ରମାନ ଗ୍ରହଣ କରନ୍ତି । ତ୍ରିମୂର୍ତିଙ୍କ ଫେରିବା ସମୟର ଧାରା ବିବରଣୀ ଚତୁର୍ଦ୍ଦିଗକୁ ପ୍ରେରଣ କରିବା ନିମିତ ଭାରତର ବେତାର ବିଭାଗ ବିଶେଷ ବ୍ୟବସ୍ଥା କରିଥାନ୍ତି । ଉତ୍ସାହ ଉନ୍ମାଦନାରେ ଶ୍ରୀଧାମଗାମୀ ଜନତା ଆତ୍ମହରା ହୋଇଉଠନ୍ତି । ପ୍ରତ୍ୟାବର୍ତନ ସମୟର ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ହୃଦୟଷ୍ପର୍ଶୀ । ରଥାରୁଢ ଜଗା, ବଳିଆ ଓ ଭଉଣୀ ସୁଭଦ୍ରାକୁ ଅପଲକ ନୟନରେ ଜଂଜାଳଗ୍ରସ୍ତ ମଣିଷ ନିଜର ସମସ୍ତ ଗ୍ଳାନି ଓ ଅବସାଦକୁ ପ୍ରଭୂଙ୍କ ଶ୍ରୀଚରଣରେ ଅଜାଡି ଦେଇ, ଭାରାକ୍ରାନ୍ତ ପ୍ରାଣକୁ ଟିକେ ଉଶ୍ୱାସ କରି ଆନନ୍ଦ ଅନୁଭବ କରିଥାଏ । ପୁନଶ୍ଚ ସେ ସେହି ଜନ ସମୁଦ୍ର ମଧ୍ୟରେ ତଥା ଭାବ ବିହ୍ୱଳରେ, ପ୍ରଭୂଙ୍କ ପାଦପଦ୍ମରେ ନିଜକୁ ଏକ କ୍ଷୁଦ୍ର ଉର୍ମି ଭଳି ହଜାଇ ଦେଇ ଅପୁର୍ବ ଆବେଗ ମନରେ ତା ମୁଖରୁ ସୁଲଳିତ କଣ୍ଠରେ ଭାସିଆସେ-
“ଜଗନ୍ନାଥ ହୋ, କିଛି ମାଗୁ ନାହିଁ ତୋତେ
ଧନ ମାଗୁ ନାହିଁ, ଜନ ମାଗୁ ନାହିଁ,
ମାଗୁଛି ଶରଧାବାଲିରୁ ହାତେ” ।ା
ତେଣୁ ସଂକ୍ଷେପରେ କହିବାକୁ ଗଲେ-ମନ୍ଦିରମାଳିନୀ ଓଡିଶାର ତଥା ଉକ୍ରଳୀୟମାନଙ୍କର ପରମ ଆରାଧ୍ୟ ଦେବତା ପ୍ରଭୂ ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ଜାତିର ନମସ୍ୟ । ତାଙ୍କର ଅଧିଷ୍ଠାନ କ୍ଷେତ୍ର ଶ୍ରୀକ୍ଷେତ୍ର ଲୀଳାମୂଖର ଜଗନ୍ନାଥ ଧାମକୁ କେନ୍ଦ୍ର କରି ଗଢି ଉଠିଛି ଅନେକ ପର୍ବ ପର୍ବାଣି, ପାରମ୍ପରିକ ଉତ୍ସବ ତଥା ମହୋତ୍ସବ । ତାଙ୍କୁ ଆଧାର କରି ଲେଖାଯାଇଛି ଅସଂଖ୍ୟ ଗ୍ରନ୍ଥ । ଏ କଳିଯୁଗରେ ପାପୀମାନଙ୍କୁ ବିନାଶ କରିବା ପାଇଁ ତାଙ୍କୁ କଳ୍କୀ ଅବତାର ନେବାକୁ ପଡିଛି । ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରା ବା ପର୍ବ ହେଉଛି ତାଙ୍କର ଏକ ମହାନ୍ ଲୀଳା କହିଲେ ଅତ୍ୟୁକ୍ତି ହେବ ନାହିଁ । ସତରେ, ପ୍ରଭୂଙ୍କ ଲୀଳା ଅଦ୍ଭୂତ ଓ ଚମକ୍ରାର । ଆମ ପରି ସାଧାରଣ ସଂସାରଗ୍ରସ୍ତ ମଣିଷ ପକ୍ଷେ ଏସବୁ ବୁଝିବା କଷ୍ଟସାଧ୍ୟ ନିଶ୍ଚୟ । ତେଣୁ କୁହାଯାଇଛି –
“ନାହିଁ ସେ ବଇଁଶୀ , ନାହିଁ ସେ ମୟୂର ଚୁଳ
ହାତ ନାହିଁ ପାଦ ନାହିଁ ତମେ ଖଣ୍ଡେ ମାଦଳ ।
ହାତ ନାହିଁ କିମ୍ପା ତୁମ୍ଭେ ହେଲ ମହାବାହୁ
ତୁମ୍ଭ ଲୀଳା ଅଗୋଚର ବୁଝିବ ବା କେହୁ” ।
-ଅମିନୀଲୁ ରାୟ
– ଘାଗଡା, ରାହାମା, ଜଗତ୍ସିଂହପୁର / ମୋ- ୯୯୩୭୪୧୨୫୧୫