ଶ୍ରୀକ୍ଷେତ୍ର ଦର୍ଶନ

ମୋ ମନ ବଳିଛି
ଦେଖିବି କାଳିଆ
ଶ୍ରୀକ୍ଷେତ୍ର ମଉଡମଣୀ,
ଓଢ଼ଣ ଷଷ୍ଠୀରୁ
ଘୋଡେଇ ହୋଇଛି
ନୂଆ ଶୀତବସ୍ତ୍ର କିଣି ।

ଷଷ୍ଠୀରୁ ପିନ୍ଧିବ
ମାଘ ଶ୍ରୀପଞ୍ଚମୀ
ଜାଡର ମାଡକୁ ଡରି,
ପହିଲି ଭୋଗରେ
ଲାଗିବ ଖେଚୁଡି
ଲୁଣି ପିଠା ମିଠା ଖିରୀ ।

ଧନୁ ସଂକ୍ରାନ୍ତିରୁ
ମକର ସଂକ୍ରାନ୍ତି
ପହିଲି ଭୋଗ ଖାଇବ,
ଆନନ୍ଦ ମନରେ
ମାଆ ପଣତରେ
ରଙ୍ଗା ଅଧର ପୋଛିବ ।

ଶ୍ରୀକ୍ଷେତ୍ରେ ନାହାଁନ୍ତି
ଲକ୍ଷ୍ମୀଠାକୁରାଣୀ
ମାର୍ଗଶୀରେ ବାପଘରେ,
ଯଶୋମତୀ ମାଆ
ସଅଳ ଉଠିକି
ରାନ୍ଧୁଛନ୍ତି ରୋଷଘରେ ।

ବଡଖିଆ ଭୋକ
ସମ୍ଭାଳି ନପାରେ
ଜନ୍ମରୁ ଜାଣିଛି ମାଆ,
ଖିରୀ ଖେଚୁଡିରେ
ଭାରି ଶ୍ରଦ୍ଧା ତାର
ସଅଳ ତିଆରେ ତାହା ।

ସ୍ନେହ ପ୍ରେମ ଶ୍ରଦ୍ଧା
ମାତୃତ୍ବ ମମତା
ଅନ୍ତରୁ ନିଗାଡି ଭରି,
ଅତି ଯତନରେ
ରାନ୍ଧୁଅଛି ମାଆ
ବାସେ ଯାଏ ପେଟପୁରି ।

ଏହିଭଳି ରୀତି
ଶ୍ରୀକ୍ଷେତ୍ରର ନୀତି
ଯିଏ ଆସେ ଶିଖିଯାଏ,
ଅବୁଝା ମନକୁ
ବୁଝେଇ ଦେବାକୁ
ଶ୍ରୀକ୍ଷେତ୍ରକୁ ମନ ଧାଏଁ ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ