ଶ୍ରୀଜିଉଙ୍କୁ ଦର୍ଶନ କଲେ ଗଜପତି ଓ ତାଙ୍କ ପରିବାର
ପୁରୀ : ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ତାଙ୍କ ପରିବାରର ସଦସ୍ୟମାନେ ରବିବାର ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି । ଗଜପତି ମହାରାଜଙ୍କ ସହ ତାଙ୍କ ଝିଅ, ଜ୍ୱାଇଁ, ନାତୁଣୀ, ସମୁଦି ଓ ସମୁଦୁଣୀ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ। ମହାରାଜ ଘଣ୍ଟାଏରୁ ଅଧିକ ସମୟ ଶ୍ରୀମନ୍ଦିରରେ ବିତାଇଥିଲେ । ଦକ୍ଷିଣଦ୍ୱାର ଦେଇ ପ୍ରବେଶ ପରେ ମହାରାଜ ପ୍ରଥମେ ବଟଗଣେଶଙ୍କୁ ଦର୍ଶନ କରିଥିଲେ । ପରେ ଗରୁଡ଼ ସ୍ତମ୍ଭ ଦେଇ ରତ୍ନ ସିଂହାସନ ନିକଟକୁ ଯାଇଥିଲେ । ସେଠାରେ ବଡ଼ଠାକୁର ବଳଭଦ୍ର ଓ ପରେ ଶ୍ରୀଜଗନ୍ନାଥ ଏବଂ ମା ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ। ପରମ୍ପରା ଅନୁସାରେ, ଛେରା ପହଁରା ସହ ଆଦି ସେବକ ଭାବେ ଗଜପତି ଯେଉଁ ସବୁ ନୀତି କରିଥାନ୍ତି ସେସବୁ ପାଇଁ ସେ ସିଂହଦ୍ୱାର ଦେଇ ପ୍ରବେଶ କରନ୍ତି। ହେଲେ ଏହା ବ୍ୟତୀତ ଅନ୍ୟ ସବୁ ସମୟରେ ଦକ୍ଷିଣ ଦ୍ୱାର ଦେଇ ଗଜପତି ମହାରାଜ ପ୍ରବେଶ କରି ପୁଣି ଥରେ ସେହି ଦ୍ୱାର ଦେଇ ଫେରି ଆସିବାର ପରମ୍ପରା ରହିଛି।


