ଶ୍ରୀଧର ସ୍ୱାମୀଙ୍କ ସ୍ମୃତିରକ୍ଷା ପାଇଁ ସରକାରୀସ୍ତରରେ ଉଦ୍ୟମ ହେବା ଆବଶ୍ୟକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚତୁର୍ଦ୍ଦଶ ଶତାବ୍ଦୀରେ ଜନ୍ମଗ୍ରହଣ କରି ସାରା ଭାରତରେ ଚହଳ ପକାଇଥିବା ଓଡ଼ିଆପୁଅ, ବାଲେଶ୍ୱର ରେମୁଣାସ୍ଥିତ ମୟୁର ଗ୍ରାମର ଜ୍ଞାନୀ, ଗୁଣି, ସଂସ୍କୃତ ପଣ୍ଡିତ, ବ୍ୟାସଦେବଙ୍କ ଭାଗବତର ପ୍ରଥମ ଟିକାକାର ତଥା ପୁରୀ ଗୋବର୍ଦ୍ଧନପୀଠର ୧୦ମ ଶଙ୍କରାଚାର୍ଯ୍ୟ ଆସନ ଅଳଙ୍କୃତ କରିଥିବା ଆଚାର୍ଯ୍ୟ ଜଗତଗୁରୁ ଶ୍ରୀଧର ସ୍ୱାମୀଙ୍କ ସ୍ମୃତିରକ୍ଷା ପାଇଁ ସରକାରୀସ୍ତରରେ ଉଦ୍ୟମ ହେବା ସହ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ରୂପାନ୍ତରଣ କାର୍ଯ୍ୟକ୍ରମରେ ବ୍ୟବହୃତ ହୋଇଥିବା ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଭୋଗବର୍ଦ୍ଧନ ମଠର ସମ୍ପତ୍ତି ପ୍ରତିବଦଳରେ ଜମି ପ୍ରଦାନ କରିବା ସହ ସେଠାରେ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀଙ୍କ ସ୍ମୃତି ମନ୍ଦିର ପ୍ରତିଷ୍ଠା କରି ପ୍ରଚାର ପ୍ରସାର କରିବା ଆବଶ୍ୟକ ବୋଲି ଜଗତଗୁରୁ ଶ୍ରୀଧର ସ୍ୱାମୀଙ୍କ ସ୍ମରଣ ଉତ୍ସବର ଉଦ୍‌ଯାପନ ସମାରୋହରେ ବରେଣ୍ୟ ଅତିଥିମାନଙ୍କ ଦୃଢ ମତ ।ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦ, ମୟୁର ଗ୍ରାମ ଏବଂ ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ସ୍ୱାଧ୍ୟାୟ ପରିବାର ଏବଂ ଇସ୍କନ ମନ୍ଦିର, ଭୁବନେଶ୍ୱରର ସହଯୋଗରେ ଶ୍ରୀଧର ସ୍ୱାମୀଙ୍କ ଜନ୍ମ ଏବଂ ସ୍ୱର୍ଗପ୍ରାପ୍ତି ଦିନ ପବିତ୍ର ମାଘ ସପ୍ତମୀ ଠାରୁ ତାଙ୍କ ଜନ୍ମପୀଠ ମୟୁର ଗ୍ରାମରୁ ପ୍ରାରମ୍ଭିତ ମହୋତ୍ସବର ଉଦ୍‌ଯାପନ ସମାରୋହ ଭୁବନେଶ୍ୱରର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନ ସମାରୋହରେ ବିଶିଷ୍ଟ ନାଟ୍ୟକାର ବିଜୟ ମହାକୁଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି, ବିଶିଷ୍ଟ ଐତିହାସିକ ଡଃ ପ୍ରଫୁଲ୍ଲ ତ୍ରିପାଠୀ, ମୁଖ୍ୟବକ୍ତା ଅଧ୍ୟାତ୍ମ୍ୟବାଦୀ ପ୍ରଭାତ କୁମାର ନନ୍ଦ, ବରେଣ୍ୟ ଅତିଥି ଡା ବିଷ୍ଣୁଚରଣ ମିଶ୍ର, ପ୍ରଫେସର ଡା ଅକ୍ଷୟ ମିଶ୍ର, ସାହିତ୍ୟିକା ତନୟା ଗୋସ୍ୱାମୀ ଦାସ, ଗବେଷକ ଅସିତ ମହାନ୍ତି, ଡଃ ସ୍ୱରାଜ ମିଶ୍ର ଏବଂ ଇସ୍କନର ପ୍ରବକ୍ତା ଅକ୍ଷୟହରି ଦାସ ପ୍ରମୁଖ ଯୋଗଦେଇ ଶ୍ରୀଧର ସ୍ୱାମୀଙ୍କ ଜନ୍ମ, କାର୍ଯ୍ୟାବଳୀ, କୃତି ଓ ଜୀବନ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଜନ୍ମସ୍ଥାନ ମୟୁର ଗ୍ରାମ ଗସ୍ତ ବିଷୟରେ କହିଥିଲା ବେଳେ ମୁଖ୍ୟବକ୍ତା ତାଙ୍କ ଜୀବନ ବୃତ୍ତାନ୍ତ ତଥା ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତରେ ଶ୍ରୀଧର ସ୍ୱାମୀଙ୍କ ଟିକାକୁ ଭଣୀତା କରିଥିବା ଏବଂ ବରେଣ୍ୟ ଅତିଥି ଡା ବିଷ୍ଣୁ ଚରଣ ମିଶ୍ର ସ୍ୱାମୀଜୀଙ୍କ ଅନବଦ୍ୟ ସାହିତ୍ୟ ଓ ସଂସ୍କୃତ କୃତି ସମ୍ପର୍କରେ ବର୍ଣ୍ଣନ କରିବା ସହ ଡଃ ସ୍ୱରାଜ ମିଶ୍ର ଏବଂ ଅସିତ ମହାନ୍ତି ସ୍ୱାମୀଜୀଙ୍କ ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । ତନୟା ଗୋସ୍ୱାମୀ ସ୍ୱାମୀଜୀଙ୍କ ସ୍ମୃତିକୁ ଉଜ୍ଜିବୀତ କରିବାକୁ ପଦକ୍ଷେପ ନେବା ପାଇଁ କେତେକ ଉପଦେଶ ପ୍ରଦାନ କରିଥିଲେ । ଇସ୍କନ ପ୍ରବକ୍ତା ଅକ୍ଷୟହରି ଦାସ ତାଙ୍କ ଆଚାର୍ଯ୍ୟ ପରମ୍ପରା ବିଷୟ ଉଲ୍ଲେଖ କରି ଶ୍ରୀଧର ସ୍ୱାମୀଙ୍କୁ ଶ୍ରୀଚୈତନ୍ୟ ଦେବ ଗୁରୁତୁଲ୍ୟ ମାନିବା ସହ କାଶୀପୀଠର ବିନ୍ଦୁ ମାଧବ ମନ୍ଦିରରେ ଉପସନା ବେଳେ ଶରୀର ଅସୁସ୍ଥ ସମୟରେ ତାଙ୍କ ଶିଷ୍ୟ ମାଧବଙ୍କ ରୂପରେ ସ୍ୱୟ ବିନ୍ଦୁ ମାଧବ ଆସି ତାଙ୍କର ସେବା ପୂଜା କରିଥିବା ବିଷୟ ବିଷଦ ରୂପେ ବର୍ଣ୍ଣନା କରିଥିଲେ । ଜନ୍ମପୀଠ ସ୍ମୃତି ପରିଷଦର ସମ୍ପାଦକ ହରେକୃଷ୍ଣ ପଣ୍ଡା ପ୍ରଥମେ ବିବରଣୀ ପାଠ କରିଥିଲେ ଏବଂ ପରିଶେଷରେ ଭକ୍ତ ପ୍ରଦୀପ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ପରିଚୟ ଦେବା ସହ ସମଗ୍ର କାର୍ଯ୍ୟକ୍ରମକୁ ସମାଜସେବୀ ଶ୍ରଦ୍ଧାଳୁ ମନୋରଞ୍ଜନ ମହାନ୍ତି ସଞ୍ଚାଳନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀଧର ସ୍ୱାମୀଙ୍କ ସ୍ମୃତି ରକ୍ଷା ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ଡା ବିଷ୍ଣୁଚରଣ ମିଶ୍ର ଏବଂ ଡା ଅକ୍ଷୟ କୁମାର ମିଶ୍ରଙ୍କୁ ଶ୍ରୀଧର ସ୍ୱାମୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଶ୍ରୀଧର ଗୋସ୍ୱାମୀଙ୍କ ୨୧ତମ ପିଢିର ଦାୟାଦ ଭବାନୀ ଶଙ୍କର ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାରୋହ ପ୍ରାରମ୍ଭରେ ବୈକୁଣ୍ଠ ପରିବାର ତରଫରୁ ସତ୍ୟାନନ୍ଦ ପାଣି ଓ ଶ୍ରୀନିବାସ ପତି ଭଜନ ପରିବେଷଣ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ନାରାୟଣ ସାହୁ ଗୀତଗୋବିନ୍ଦ ଗାନ କରିଥିଲେ । ଇସ୍କନ ଭକ୍ତ ମଣ୍ଡଳୀ ଶରତ ପୂର୍ଣ୍ଣିମାଙ୍କ ନେତୃତ୍ୱରେ ସଂକୀର୍ତ୍ତନ କରି କାର୍ଯ୍ୟକ୍ରମକୁ ରସାୟିତ କରି ଗଢି ତୋଳିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନିହାରିକା ମହାନ୍ତିଙ୍କ ତତ୍ତ୍ୱାବଧାନରେ ମମତା ନାୟକ, ସିପ୍ରା ନାୟକ, ନିରଞ୍ଜନ ପଣ୍ଡା, ରଜତ ପାତ୍ର, ଗୌରାଙ୍ଗ ନାୟକ, ସାକେତ ମହାନ୍ତି, ପ୍ରଶାନ୍ତ ଶତପଥୀ, ଗିରିଶ ପ୍ରସାଦ ଦାସ, ଶରତ ଚନ୍ଦ୍ର ପ୍ରଧାନ, ପରମାନନ୍ଦ ବାରିକ, ନୟନ ପଣ୍ଡା ଏବଂ ଲବକୁଶ ବିଦ୍ୟାମନ୍ଦିରର ଗୁରୁମା ଓ ଛାତ୍ରୀମାନଙ୍କ ସହଯୋଗରେ ମହାନନ୍ଦର ସହ ସମାପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ